କରୋନା ସଚେତନତା ଗୀତ ଭାଇରାଲ୍

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସାରା ଦୁନିଆକୁ ଡରାଇଲାଣି… ସବୁରି ଛାତିକୁ ଥରାଇଲାଣି… ମହାମାରୀ କରୋନା… ହେଲେ ଆମେ ହୁସିଆର… ହେଲେ ହୁସିଆର ହେଲେ ହୁସିଆର… ହେବନାହିଁ କରୋନା । ସୁମଧୁର ସାଙ୍ଗୀତିକ ସ୍ୱରରେ ଏମିତି ସଚେତନତା ବାର୍ତ୍ତା ସମ୍ବଳିତ ଅଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆଉ ଏହାକୁ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ କରିଛନ୍ତି ଛତ୍ରପୁରର ଅଜିତ ସେଠୀ ଓ ବ୍ରହ୍ମପୁରର ବିଦିଶା ପାତ୍ର । ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ବ୍ୟବହାର କରି ଏହାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା, ସମସ୍ତଙ୍କୁ ସଚେତନ କରାଇବା ସେମାନଙ୍କ ଉଦେ୍ଧଶ୍ୟ ।
ଗୀତ ଜରିଆରେ ସଚେତନତା ଓ ସତର୍କତା ବାର୍ତ୍ତା ଦେଇଛନ୍ତି ଅଜିତ ଓ ବିଦିଶା । ଏଇ ଯେମିତି ଜ୍ୱର- କାଶ- ଥଣ୍ଡା- ସର୍ଦ୍ଧି ଲାଗୁଥିଲେ ଜମା ଲୁଚାଇବାନି ଓ ଡାକ୍ତରଙ୍କୁ ଦେଖାଇବା, ମାସ୍କ ପିନ୍ଧିବା, ହାତ ମିଶାଇବାନି, ଛିଙ୍କିବା- କାଶିବା ବେଳେ ରୁମାଲ୍ ବ୍ୟବହାର କରିବା, ଥରକୁ ଥର ହାତ ସାବୁନ୍ ଓ ସାନିଟାଇଜର୍ରେ ଧୋଇବା, ନିଜ ଛେପ- କଫ- ଖଙ୍କାର ଏଣେତେଣେ ନପକାଇ ଡଷ୍ଟବିନ୍ରେ ପକାଇବା ଆଦି ବାର୍ତ୍ତା ଦେଉଛନ୍ତି ଦୁହେଁ । ସେହିପରି ଆମେ ସାବଧାନ ରହିଲେ କରୋନା ଡର ରହିବନି । ଭିଡ଼ କିମ୍ବା ଯାନିଯାତ୍ରାକୁ ଯିବାନି ବୋଲି ମଧ୍ୟ ସଚେତନ କରାଉଛନ୍ତି । ଅନ୍ୱେଷା ମୁ୍ୟଜିକ୍ ବ୍ୟାନର୍ରେ ପ୍ରସ୍ତୁତ ୩ ମିନିଟ୍ ୬ ସେକଣ୍ଡ୍ରେ ଏହି ଭିଡିଓ- ଅଡିଓ ରେକର୍ଡିଂରେ କରୋନା ଭାଇରସ୍, ହାତ ଧୁଆ, ମାସ୍କ ପିନ୍ଧା ଆଦି ଅନେକ ସଚେତନତା ମୂଳକ ଲେଖା ଓ ଗ୍ରାଫିକ୍ସ ମଧ୍ୟ ରହିଛି । ଶେଷରେ ସେମାନେ କହିଛନ୍ତି- ହଁ ଆଜ୍ଞା ଆସନ୍ତୁ ସଚେତନ ହେବା, ସତର୍କ ହେବା, କରୋନାର ମୁକାବିଲା କରିବା ।
ଛତ୍ରପୁର ବ୍ଲକ୍ କଣମଣା ସ୍କୁଲର ଶିକ୍ଷକ ଅଜିତ ସେଠୀ ଓ ବ୍ରହ୍ମପୁର ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷ ଛାତ୍ରୀ ବିଦିଶା ପାତ୍ର (ଘର ସିଦ୍ଧାର୍ଥନଗର) । ବିଦିଶାଙ୍କ ସଙ୍ଗୀତରେ ଋଚି ରହିଛି, ଯଦିଓ ସେ ପେଷାଦାର ଗାୟିକା ନୁହଁନ୍ତି । ପୂର୍ବରୁ ଜିଲ୍ଲା ପ୍ରଶାସନ ନିମନ୍ତେ ସ୍ୱଚ୍ଛ ଭାରତ ବର୍ଷ ଶୀର୍ଷକ ସଙ୍ଗୀତ ଏବଂ ଆଉ କିଛି ଗୀତ ଗାଇଥିଲେ । ଅଜିତ ମଧ୍ୟ ନିର୍ଭୟା କଢିÿ ଗୀତ ଗାଇ ପୂର୍ବରୁ ପ୍ରଶଂସା ସାଉଁଟିଥିଲେ । କରୋନା ବ୍ୟାପୁଥିବା ଦେଖି ଦୁହିଁଙ୍କ ମନରେ ଏହି ଚିନ୍ତା ଆସିଥିଲା । ୨-୩ ଦିନରେ ଅଜିତ ଗୀତ ଲେଖିବା ସହ ସ୍ୱର ସଂଯୋଜନା କରି ମଙ୍ଗଳବାର ବ୍ରହ୍ମପୁରର ସଙ୍ଗୀତ ସାଗର ଷ୍ଟୁଡିଓରେ ରେକର୍ଡିଂ କରିଥିଲେ । ତା ପରେ ଏହି ଗୀତ ଏବେ ସୋସିଆଲ୍ ମିଡିଆରେ ଛାଇଯିବାରେ ଲାଗିଛି । ବିଦିଶାଙ୍କ କହିବା ମୁତାବକ କରୋନା ବହୁତ ବ୍ୟାପୁଛି । ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ ସବୁ ଚେଷ୍ଟା କରୁଛନ୍ତି । ସମସ୍ତେ ସଚେତନ କରିବାରେ ଲାଗିଛନ୍ତି ତ ଆମେ ଭାବିଲୁ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବୁ । ୟୁଟୁ୍ୟବ୍, ହ୍ୱାଟ୍ସ୍ ଆପ୍, ଫେସ୍୍ବୁକ୍ ଜରିଆରେ ଆମେ ଏହି ଗୀତର ପ୍ରଚାର ପ୍ରସାର କରାଇ ଯଥାସମ୍ଭବ ଲୋକଙ୍କୁ ସଚେତନ କରାଇବାକୁ ଆଶା ରଖିଛୁ ବୋଲି କହିଛନ୍ତି ଅଜିତ ସେଠୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons