ପୁଲିସ କବ୍ଜାରେ ୭ ଅନ୍ତଃରାଜ୍ୟ ଡକାୟତ

Get real time updates directly on you device, subscribe now.

ତୁରୁମୁଙ୍ଗା,(ବି.ବି.ନୁ୍ୟଜ୍): ଓଡିଶା ଏବଂ ଝାଡଖଣ୍ଡରେ ବିଭିନ୍ନ ଚୋରି, ଡକାୟତି ଘଟଣାରେ ସଂପୃକ୍ତ ଥିବା ୭ ଅନ୍ତଃରାଜ୍ୟ ଡକାୟତମାନଙ୍କୁ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୁଲିସ ଗିରଫ କରିଛିି । ଗିରଫ ଡକାୟତ ମାନେ ହେଲେ ତୁରୁମୁଙ୍ଗା ଥାନା ଡୁମୁରିଗୋଡା ଗ୍ରାମର ଚନ୍ଦନ ପାତ୍ର(୨୦) ଓ ତାର ବଡଭାଇ ଚନ୍ଦ୍ରଶେଖର ପାତ୍ର(୨୧), ଚମ୍ପୁଆ ଥାନା କୁଦଗାଡିଆର ସିପୁନ ବାରିକ(୨୨), ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗ୍ରାମର ତ୍ରୀନାଥ ମହାନ୍ତ(୩୨), ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଛେଳିଆନାଳ(ଫଗୁ)ର ବିଶ୍ୱଜିତ ଗିରି(୨୨), ଘାଗରବେଡା ଥାନା କୁଦସାହିର ଗଣେଷ ଲାଗୁରୀ(୧୯), ଝାଡଖଣ୍ଡ ପଶ୍ଚିମସିଂହଭୂମି ଜିଲ୍ଲା ଜଗନ୍ନାଥପୁର ଥାନା ଛତାପଡା ଗ୍ରାମର ମୃତୁ୍ୟଂଜୟ ବେହେରା(୨୦) । ଗିରଫ ଯୁବକ ମାନଙ୍କଠୁ ୨ଟି ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ଗୋଟିଏ ଭୁଜାଲି, ଗୋଟିଲ ଦାଉଲି, ୩ଟି ବାଇକ ଏବଂ ଚୋରି କରି ଆଣିଥିବା ଦୁଇ ମୋବାଇଲ ଜବତ ହୋଇଥିବା ଚମ୍ପୁଆ ଏସଡିପିଓ ହରିହର ପାଣି ଓ ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଆଳ ଏକ ପ୍ରେସମିଟ୍ ମାଧ୍ୟମରେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଏହି ଡକାୟତ ମାନେ ଗତ ଶୁକ୍ରବାର ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଏଥିରେ ବିଫଳ ହେବା ପରେ କ୍ଷୀରୋଦ ଏବଂ ତାଙ୍କ ବଡ ଝିଅ ଅଲିଭା ବେହେରାଙ୍କୁ ବନ୍ଧୁକରେ ବାଡେଇ ଗୁରୁତର କରିବା ସହ ଦୁଇଟି ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଘଟଣାକୁ ନେଇ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଚମ୍ପୁଆ ଏସ୍ଡିପିଓ ହରିହର ପାଣି, ତୁରୁମୁଙ୍ଗା ଥାନାଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କେସ୍ ନଂ ୨୭/୧୪.୩.୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଚୋରି ହୋଇ ଯାଇଥିବା ମୋବାଇଲ ଗୁଡିକ ଚୋର ମାନଙ୍କୁ ଧରାଇବାରେ ପୁଲିସକୁ ସହଯୋଗ କରିଥିଲା ।
ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ତୁରୁମୁଙ୍ଗା ଥାନା ଡୁମୁରିଗୋଡା ଗ୍ରାମୀ ଦୁଇ ଭାଇ ଚନ୍ଦନ ପାତ୍ର(୨୦) ଓ ଚନ୍ଦ୍ରଶେଖର ପାତ୍ର (୨୧)ଙ୍କ ସମେତ ଏକାଧିକ ପେଶାଦାର ଲୁଟେରାଙ୍କ ସଂପୃକ୍ତି ଥିବା ଜଣାପଡିଛି । ଚନ୍ଦନପାତ୍ର ଝାରବେଡାର କ୍ଷୀରୋଦ ବେହେରାଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ କ୍ଷୀରୋଦ ବେହେରା ଟଙ୍କା ଉଠାଇଥିବା ନେଇ ଚନ୍ଦନ ପୂର୍ବରୁ ଜାଣିଥିଲା । ଗତ ଶୁକ୍ରବାର କ୍ଷୀରୋଦ ଚନ୍ଦନ ସମେତ ତାଙ୍କ ଘରେ କାର୍ଯ୍ୟରତ ଅନ୍ୟ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦେବା ସମୟରେ ଟଙ୍କା ବିଡା ଦେଖି ଚନ୍ଦନର ମନ୍ଦ ବୃଦ୍ଧି ବାହାରିଥିଲା । ସେହିଦିନ କ୍ଷୀରୋଦଙ୍କ ଘରୁ ଚୋରି କରିବା ଯୋଜନା କରି ଚନ୍ଦନ ନିଜର ଅନ୍ୟ ସାଥି ମାନଙ୍କୁ ଡକାଇଥିଲା । ରାତି ପ୍ରାୟ ଗୋଟାଏ ବେଳେ ଚୋରି କରିବାକୁ ଘର ଭିତରକୁ ପଶିଥିଲେ । ଏହି ସମୟରେ ଘର ଲୋକଙ୍କ ପାଟି ଶୁଣି ଡରିଯାଇ ଲୁଟେରାମାନେ କ୍ଷୀରୋଦ ଏବଂ ତାଙ୍କ ଝିଅଙ୍କୁ ଆଘାତ କରି ଉଭୟଙ୍କ ମୋବାଇଲ ଛଡାଇ ନେଇ ଯାଇଥିଲେ । ଚୋରି ହୋଇଥିବା ଏହି ମୋବାଇଲ ଡକାୟତଙ୍କୁ ଧରିବାର ବାଟ ଦେଖାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons