ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ନିଜେ ସତର୍କ ହୋଇ ନିଜ ପରିବାର ଓ ସମାଜର ସୁରକ୍ଷା ଦୃଷ୍ଟିରୁ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକ । ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ସୀମାରୁ ଆମ ରାଜ୍ୟ ଏବେ ସଂକ୍ରମିତ ହେଉଥିଲା ବେଳେ ସୀମା ସିଲ୍ ସମ୍ଭବ ନୁହେଁ । ତେବେ ପଞ୍ଚାୟତସ୍ତରରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପାରୁଛି । ସରପଞ୍ଚମାନେ ଏଥିରେ ସହଯୋଗ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଭିଡ଼ିଓ କନ୍ଫରେନସିଂରେ କଥା ହେବେ । ରାଜ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ବେଳେ ସରପଞ୍ଚମାନଙ୍କ ସହଯୋଗ କାମନା କରିବେ ବୋଲି କହିଛନ୍ତି ସୁବ୍ରତ ବାଗ୍ଚୀ ।
ସୀମା ସିଲ୍ ନେଇ ଗଣମାଧ୍ୟମ ପ୍ରଶ୍ନରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗ୍ଚୀ କହିଛନ୍ତି, ପଶ୍ଚିମବଙ୍ଗ ପଟୁ ରାଜ୍ୟର ସୀମା ରହିଛି ୨ କିଲୋମିଟର ଲମ୍ବା । ସେହିଭଳି ଝାଡଖଣ୍ଡରୁ ସୀମାନ୍ତରେ ୫୯୧ କିଲୋମିଟର ଲମ୍ବା, ଛତିଶଗଡ଼କୁ ଲାଗିଛି ୧୨୨୬, ଆନ୍ଧ୍ରପ୍ରଦେଶକୁ ଲାଗିଛି ୧୦୨୪ କିଲୋମିଟିର ଲମ୍ବା ରାସ୍ତା । ତେଣୁ ଏତେ ଲମ୍ବା ସୀମାକୁ ପୁଲିସ ମୁତୟନ କିମ୍ବା ସୀମା ସିଲ୍ କରାଯିବା ସମ୍ଭବ ନୁହେଁ । ତେଣୁ ପଞ୍ଚାୟତସ୍ତରରେ ବାହାର ରାଜ୍ୟ ଫେରନ୍ତାଙ୍କୁ ପଞ୍ଜୀକରଣ ସହ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ।
Comments are closed, but trackbacks and pingbacks are open.