
ଦିଗପହଣ୍ଡି/ବଡ଼ଚଣା/ଚଣ୍ଡିଖୋଲ/ମାଲକାନଗିରି, (ବି.ବି.ନୁୂ୍ୟଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୫ଜଣ ବ୍ୟକ୍ତିଙ୍କ ଜୀବନ ଯାଇଛି । ସାନାଖେମୁଣ୍ଡିରେ ଜଣେ, ଜଳେଶ୍ୱର ନିକଟରେ ୨ଜଣ ରୋଗୀ ପ୍ରାଣ ହରାଇଥିବାବେଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ହାଟକରନ୍ଦା ଛକ ନିକଟରେ କଣ୍ଟେନର ଚାଳକ ଓ ଖଲାସିଙ୍କ ମୃତ୍ୟୁ ହୋଇଯାଇଛି । ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ହାଇଦ୍ରାବାଦରୁ ଯାତ୍ରୀମାନଙ୍କୁ ନେଇ ମାଲକାନଗିରି ଆସୁଥିବା ଗ୍ୟାଲେକ୍ସି ନାମକ ଏକ ବସ ପଡ଼ୋଶୀ ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଏକ ଜଙ୍ଗଲିଆ ରାସ୍ତାରେ ସୋମବାର ସକାଳେ ଓଲଟି ପଡ଼ିବାରୁ ୨୩ରୁ ଉଦ୍ଧ୍ୱର୍ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି ।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଡେଙ୍ଗାଓସ୍ତା ନିକଟରେ ରାଧା ସାହୁ(୭୦) ନାମକ ଜଣେ ବୃଦ୍ଧ ସୋମବାର ସକାଳେ ଫୁଲ ତୋଳୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ରାଧାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହି ଦୁର୍ଘଟଣାକୁ କେନ୍ଦ୍ରକରି ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରାୟ ୩ଘଣ୍ଟା ଧରି ଦିଗପହଣ୍ଡି-ରାୟଗଡ଼ା ରାସ୍ତାକୁ ଅବରୋଧ କରିଥିଲେ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ୧୬ନଂ ଜାତୀୟ ରାଜପଥ ହାଟକରନ୍ଦା ଛକ ନିକଟରେ ସୋମବାର ଭୋର୍ ସମୟରେ ଏକ ଟ୍ରେଲର୍ ଓ କଣ୍ଟେନର ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ କଣ୍ଟେନର ଚାଳକ ଓ ଖଲାସିଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଦ୍ୱୟ ତାମିଲନାଡୁ ଧାନପୁର ଗ୍ରାମର ଚାଳକ ସର୍ବନାନ ଭାଡ଼ିଭେଲ(୪୦) ଓ ଖଲାସି ଚେନ୍ନାଇ ୭୬/୯୩ ସେଣ୍ଡ ଷ୍ଟ୍ରିଟ୍ ନିଉ ୱେଷ୍ଟନର ଅରୁଣ କୁମାର ଜି(୩୨) ବୋଲି ଜଣାପଡ଼ିଛି । ହାଟକରନ୍ଦା ଛକ ନିକଟରେ ପୂର୍ବରୁ ଏକ ଲୁହାରଡ୍ ବୋଝେଇ ଟ୍ରେଲର୍(ଓଡି୨୧ଜି ୮୮୪୮) ଠିଆ ହୋଇଥିଲା । ଏକ କଣ୍ଟେନର(ଟିଏନ୍୦୩ୱାଇ ୯୩୯୩) ହଠାତ୍ ଟ୍ରେଲର୍ ପଛପଟେ ଧକ୍କା ଦେଇଥିଲା ।
ଗତକାଲି ପାଖାପାଖି ରାତି ୨ଟା ବେଳକୁ ବାଲେଶ୍ୱର ଜିଲ୍ଲା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଶ୍ଚିମବଙ୍ଗରୁ ରୋଗୀ ନେଇ ଆସୁଥିବା ଏକ ଆମ୍ବଲାନ୍ସ ପଛରୁ ଟ୍ରକକୁ ପିଟିବାରୁ ୨ରୋଗୀଙ୍କର ଜୀବନ ଯାଇଥିବାବେଳେ ଆଉ ୪ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଜଳେଶ୍ୱର ହାକ୍ତରଖାନା ଓ ଆଉ ୨ଜଣଙ୍କୁ ବସ୍ତା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମୃତାହତମାନେ ପଶ୍ଚିମବଙ୍ଗ ବାଙ୍କୁଡ଼ା ବିଷ୍ଣୁପୁର ଅଞ୍ଚଳର ।
ହାଇଦ୍ରାବାଦରୁ ମାଲକାନଗିରି ଜିଲ୍ଲା ଅଭିମୁଖେ ଆସୁଥିବା ଏକ ଘରୋଇବସ ଦୁର୍ଘଟଣା ଘଟି ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୩ଜଣ ଯାତ୍ରୀ । ରବିବାର ସନ୍ଧ୍ୟାରେ ଗ୍ୟାଲେକ୍ସି ନାମକ ଏକ ଘରୋଇ ବସ ଯାତ୍ରୀମାନଙ୍କୁ ଧରି ଭୟା ମାଲକାନଗିରି ଦେଇ ଜୟପୁର ଅଭିମୁଖେ ଆସୁଥିବା ବେଳେ ସେମବାର ଭୋର ୪ଟା ସମୟରେ ଚିନ୍ତୁର ରାସ୍ତାରେ ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ରାସ୍ତାତଳକୁ ବସଟି ଓଲଟି ପଡ଼ିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେହି ବସରେ ଥିବା ପ୍ରାୟ ୨୩ରୁ ଉଦ୍ଧ୍ୱର୍ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି ।
Comments are closed, but trackbacks and pingbacks are open.