ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି । କରୋନା ବିଭୀଷିକା ହିଁ ଚଳିତ ବର୍ଷର ରଥଯାତ୍ରାକୁ ଅନିଶ୍ଚିତତାକୁ ଠେଲି ଦେଇଛି । ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣର ଶୁଭାରମ୍ଭ ପରମ୍ପରା ଥିଲା ବେଳେ ଏଥର ତାହା ହୋଇପାରିବ ନାହିଁ । ଅକ୍ଷୟ ତୃତୀୟାରୁ ରଥ ଅନୁକୂଳ ହେବ ନାହିଁ । ନିର୍ମାଣ କାମ ଆସନ୍ତା ୩ ଯାଏ ମଧ୍ୟ ହୋଇପାରିବନି ବୋଲି ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକଡାଉନ ଗାଇଡଲାଇନ୍ ଅନୁସାରେ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ନାହିଁ । ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ମନ୍ଦିର ବାହାରେ କୌଣସି ପରମ୍ପରା ପାଳନ କରାଯାଇପାରିବ ନାହିଁ । ଅକ୍ଷୟ ତୃତୀୟା ପରମ୍ପରା କେମିତି ବିଧିର ସହ ପାଳନ କରାଯିବ ସେ ନେଇ ଶଙ୍କରାଚାର୍ଯ୍ୟ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ରଥ ନିର୍ମାଣ ନେଇ ବିକଳ୍ପ ବ୍ୟବସ୍ଥା ନେଇ ଶଙ୍କରାଚାର୍ଯ୍ୟ ହିଁ ମାର୍ଗଦର୍ଶନ କରିବେ । ପରିଚାଳନା କମିଟି ଏ ନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଦିଗ୍ଦର୍ଶନ ନେବ । ମେ ୩ ଲକ୍ଡାଉନ ପରେ ସରକାରଙ୍କ ନୂଆ ମାର୍ଗଦର୍ଶିକା ପରେ ରଥଯାତ୍ରା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି େବେ ବୋଲି ଗଜପତି ମହାରାଜ କହିଛନ୍ତି ।
କରୋନାକୁ ନେଇ କଟକଣା ଲାଗି ରହିଥିଲା ବେଳେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଭଳି ପରିସ୍ଥିତିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଅକ୍ଷୟ ତୃତୀୟାରେ ରଥକାମ ଅନୁକୂଳ ହେବାର ପରମ୍ପରା ଥିବାରୁ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସିଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଗଜପତି ମହାରାଜ କହିଛନ୍ତି, ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମକୁ ସରକାରଙ୍କ ଆଦେଶ ମାନିବାକୁ ହେବ । ମେ ୩ ପରେ ରଥଯାତ୍ରା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ମେ ୩ ଯାଏ ଲକଡାଉନ୍ ଅବଧି ଥିବା ବେଳେ ଏହାପରେ ସରକାରଙ୍କର ନୂଆ ଗାଇଡଲାଇନ୍ ଆସିବ । ସରକାର ନୂଆ ଗାଇଡଲାଇନ୍ ଜାରି ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ବସିବ । ଏ ବୈଠକରେ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଆମେ ନିଷ୍ପତ୍ତି ନେବୁ । ତେବେ ଆମେ ସରକାରଙ୍କୁ ନିବେଦନ କରୁଛୁ ଯେ, ନୂଆ ଗାଇଡ୍ଲାଇନରେ ମଣିଷ ଜୀବନ ସହ ଦେବନୀତିରେ ଯେପରି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା.କ୍ରିଷନ କୁମାରଙ୍କ ଉପସ୍ଥିତିରେ ଗଜପତି ମହାରାଜ କହିଛନ୍ତି, କୌଣସି ଧର୍ମକାର୍ଯ୍ୟ ପାଳନ କରିବା ପାଇଁ ମଣିଷ ଜୀବନ ବିପଦରେ ନପଡୁ । ଦେବନୀତି ସହ ମଣିଷର ସ୍ୱାସ୍ଥ୍ୟ ଓ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବିପଦରେ ନପକାଇ ରଥଯାତ୍ରା କରିହେବ ନା ନାହିଁ ମେ ୩ ପରେ ସରକାର ନିଷ୍ପତ୍ତି ନେବେ ।
ଏପଟେ ରାଜ୍ୟରେ କରୋନା ସ୍ଥିତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରାଇଛନ୍ତି । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।
Comments are closed, but trackbacks and pingbacks are open.