
ପୁରୀ,(ବି.ବି.ନ୍ୟୁଜ୍): ମଝିରେ ରହିଲା ଆଉ ଗୋଟିଏ ଦିନ । ବୁଧବାର ତିନି ରଥ ପହଞ୍ଚିବ ସିଂହଦ୍ୱାରରେ । ସୋମବାର ନିର୍ମାଣକାରୀମାନେ ତିନି ରଥର ଦୁଆରଘଡ଼ା ଉଠାଇଛନ୍ତି । ସନ୍ଧ୍ୟାରେ ବର୍ଷା ଛେଚୁଥିଲା । ତଥାପି ଚାଲିଥିଲା ରଥ କାମ । ଭୋଇ ସେବକମାନେ ମିଳିତ ଭାବେ ୩ରଥକୁ ୧୨ଦୁଆର ଘଡ଼ା ଉଠାଇଥିଲେ । ମହାପ୍ରଭୁ ଅମାପ ଶକ୍ତି ଦେଇଛନ୍ତି ନିର୍ମାଣକାରୀଙ୍କ ଶରୀରରେ । ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ଦେଖି ଦର୍ଶନାର୍ଥୀ ତାଜୁବ ହେଉଥିଲେ ।
ରଥଖଳାରେ ବିଶ୍ୱକର୍ମାମାନେ ପ୍ରଭା କାମ କରୁଛନ୍ତି । ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ଠାକୁରେ ଚକା ସିଂହାସନରେ ବିଜେ ହେବେ । ଚକା ପ୍ରସ୍ତୁତି ହେଉଛି । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ । ସିଂହାସନରେ ଅବସ୍ଥାନ କରିବାପରେ ପ୍ରଭାରେ ଶ୍ରୀବିଗ୍ରହ ରୁନ୍ଧା ହେବେ । ପ୍ରଭାରେ ରୂପକାରମାନେ ଖୋଦେଇ କରିବେ । ପ୍ରଭା କାମ ସରିଲେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସରିବ ବୋଲି ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି ।
ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇସେବକମାନେ ବାଉଁଶ ତେଣ୍ଟିଆ ଓ ଦଉଡ଼ି ସାହାଯ୍ୟରେ ଦୁଆର ଘଡ଼ା ଉଠାଇଥିଲେ । ସେପଟେ ରଥଖଳାରେ ଠାକୁରଙ୍କ ସିଂହାସନ କାମ ଆଗେଇଛି । ଠାକୁରଙ୍କ ଅବସ୍ଥାନ ପାଇଁ ଚକା(ସିଂହାସନ ପିଣ୍ଡି) ତିଆରି ହେଉଛି । ପ୍ରଭା କାମ ମଧ୍ୟ ଚାଲିଛି । ଶ୍ରୀଜଗନ୍ନାଥଙ୍କ ପ୍ରଭାର ଆକାର ସବୁଠାରୁ ବଡ଼ । ବଳଭଦ୍ରଙ୍କ ତା’ଠାରୁ ଛୋଟ ଓ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ସବୁଠାରୁ ଛୋଟ ପ୍ରଭା । ଠାକୁରଙ୍କ ଆସ୍ଥାନ ହେଉଛି ୪ସ୍ତରୀୟ । ଚତୁର୍ଥ ସ୍ତରରେ ଅବସ୍ଥାନ କରିବେ ଠାକୁରେ । ପଟା ଉପରେ ସିଂହାସନ ତିଆରି ହେବ । ତା’ଉପରେ ରହିବ ବେଦି । ବେଦି ଉପରେ ରହିବ ଚକା । ପ୍ରଭା ପଛରେ ରହିବ ଧୂଳିଦଣ୍ଡା । ପ୍ରଭାରେ ଶ୍ରୀବିଗ୍ରହଙ୍କୁ ରୁନ୍ଧା ଯିବବୋଲି ନିର୍ମାଣକାରୀମାନେ କହିଛନ୍ତି ।
ସେହିଭଳି ଦେବଦଳନ ରଥରେ ଆଗିଆଣି ତାଗ ବାଡ଼ିଆ ଯାଇ ପଟା ପକାଯାଉଛି । ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ମଧ୍ୟ ପଟା ବାଡ଼ିଆ କାମ ଚାଲିଛି । ଚିତ୍ରକର ସେବକମାନେ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ରଥରେ ଲାଗିବାକୁ ଥିବା ସଖୀ, କନ୍ୟାପଟା, ଅଶ୍ୱ, ପାଶ୍ୱର୍ ଦେବାଦେବୀଙ୍କୁ ରଙ୍ଗ ଦେଇ ଜୀବନ୍ତ କରୁଛନ୍ତି । ଦୋଳବେଦିରେ କମାର ସେବକଙ୍କ କାର୍ଯ୍ୟ ଚାଲିଛି । ରଥକୁ ଯାହା ଲୁହା ସାମଗ୍ରୀ ଆବଶ୍ୟକ ସେସବୁ ଯୋଗାଇ ଦେଉଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନିର୍ଦ୍ଦେଶକ୍ରମେ ସେମାନେ ବିଶ୍ୱକର୍ମାଙ୍କୁ ସହଯୋଗ କରୁଛନ୍ତି । ରୂପକାରମାନେ ଠାକୁରଙ୍କ ରଥର ବିଭିନ୍ନ ଅଂଶରେ ମୂର୍ତ୍ତି ଖୋଦେଇରେ ମନୋନିବେଶ କରିଛନ୍ତି । ରଥଯାତ୍ରା ପାଖେଇ ଆସୁଥିବାବେଳେ ନିର୍ମାଣକାରୀ ଠାକୁରଙ୍କ କାମ ସାରିବାକୁ ତତ୍ପରତାର ସହ ଲାଗିପଡ଼ିଛନ୍ତି ।
Comments are closed, but trackbacks and pingbacks are open.