
ବାଲେଶ୍ୱର,(ବି.ବି.ନ୍ୟୁଜ୍): ଅବକାରୀ ବିଭାଗ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ୧୩ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ମୂଲ୍ୟ ୧ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ତେଲେଙ୍ଗାପଡ଼ାର ପି. ସନ୍ତୋଷ(୨୫) ।
ସୂଚନା ମୁତାବକ, ସନ୍ତୋଷ ବ୍ରାଉନସୁଗର ସହ ଜଳେଶ୍ୱରରୁ ଭଦ୍ରକ ଯିବା ପାଇଁ ଜଳେଶ୍ୱର ଷ୍ଟେସନ୍କୁ ଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଜିଲ୍ଲା ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶରେ ଏକ ଟିମ୍ ତାକୁ ଜଳେଶ୍ୱରର ଝାଡ଼େଶ୍ୱରପୁର ଷ୍ଟେସନ ରାସ୍ତାରେ କାବୁ କରିଥିଲା । ଏନେଇ ଅବକାରୀ ଥାନାରେ କେସ ନଂ ୩୩/୧୯-୨୦ରେ ମାମଲା ରୁଜୁ କରାଯାଇଛି । ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଓଆଇସି ହରପ୍ରସାଦ ରଣାଙ୍କ ନେତୃତ୍ୱରେ ମିନତି ଜେନା, ରାଜୀବ କୁମାର ଭଞ୍ଜ, ମଙ୍ଗଲ ସିଂ ଚଢ଼ଉରେ ସାମିଲ ଥିଲେ ।


Comments are closed, but trackbacks and pingbacks are open.