ଦୁର୍ଦ୍ଧାନ୍ତ ଶିକାରୀ ସଫାଦର ଖାନ୍ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଦୁର୍ଦ୍ଧାନ୍ତ ହରିଣ ଶିକାରୀ ସଫାଦର ଖାନ୍(୩୯) ଗିରଫ ହୋଇଛି । ଶିକାର ପାଇଁ ସେ ଅଭୟାରଣ୍ୟରେ ପଶିଥିବାବେଳେ ଡମପଡ଼ା ରେଞ୍ଜ୍ ବନ କର୍ମଚାରୀମାନେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ସଫାଦରଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ଏକ ହେଡ୍ ଲାଇଟ୍ ଜବତ ହୋଇଛି । ଆଜି ତାଙ୍କୁ ବାଙ୍କୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଫାଦରଙ୍କ ଘର ଖୋର୍ଦ୍ଧା କେରଙ୍ଗ । ସେ ଜଣେ ପେଶାଦାର ହରିଣ ଶିକାରୀ । ସେ ଦୀର୍ଘବର୍ଷ ହେଲା ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ହରିଣ ଶିକାର କରି ମାଂସ ବିକ୍ରି କରନ୍ତି । ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ସବୁବେଳେ ସେ ବନବିଭାଗ ଟିମ୍କୁ ଚକ୍ମା ଦେଇ ଖସି ଯାଉଥିଲେ । ୬ ମାସ ତଳେ ମଧ୍ୟ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ବେଳେ ସେ ବନ କର୍ମଚାରୀଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ । ତେଣୁ ଡମପଡ଼ା ରେଞ୍ଜ୍ କର୍ମଚାରୀଙ୍କ ଟାର୍ଗେଟରେ ଥିଲେ ସଫାଦର । ଗତକାଲି ରାତିରେ ସଫାଦର ଅଭୟାରଣ୍ୟ ଭିତରକୁ ପଶିଥିବା ବନ କର୍ମଚାରୀ ଜାଣିବାକୁ ପାଇଥିଲେ । ତେଣୁ ବିଳମ୍ବିତ ରାତିରେ ରେଞ୍ଜ୍ ଅଫିସର ସଂଗ୍ରାମ ମହାନ୍ତି, ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର ଓ ଫରେଷ୍ଟର ବାଲେଶ୍ୱର କଅଁର ପ୍ରମୁଖ ଅଭୟାରଣ୍ୟ ଚଢ଼ଉ କରିଥିଲେ । ଆଜି ଭୋର ୪ଟା ସମୟରେ ସଫାଦର ବନବିଭାଗ ଟିମ୍କୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ଆଜି ସକାଳେ ଏସିଏଫ୍ ରମାକାନ୍ତ ନାୟକ ସଫାଦରଙ୍କୁ ଜେରା କଲାବେଳେ ସେ ଅଭୟାରଣ୍ୟରୁ ଅନେକ ହରିଣ ଶିକାର କରିଥିବା ସ୍ୱୀକାର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons