ସାନଖେମୁଣ଼୍ଡି: ସାରା ବିଶ୍ୱ ବର୍ତ୍ତମାନ କରୋନା ମହାମାରୀରେ କବଳିତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଅନେକ ଜୀବନ ମଧ୍ୟ ଯାଉଛି।। ଏହି ସମୟରେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆମାନେ ନିଜ ଆତ୍ମୀୟ ପରିଜନଙ୍କ ସହ ଦିନ କଟାଇବା ପାଇଁ କିଏ ଚାଲିଚାଲି ତ ଆଉ କିଏ ସାଇକେଲରେ ଛୁଟି ଆସୁଛନ୍ତି । ଘର ବାହୁଡା ପରେ ଗାଇଡ଼ଲାଇନ ଅନୁସାରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡୁଛି । ତେବେ ଏହି ସମୟ ମଧ୍ୟରେ କିଛି ଅଘଟଣ ଘଟିଲେ ମଧ୍ୟ ଘରକୁ ଫେରି ପାରୁନାହାଁନ୍ତି କ୍ୱାରଣ୍ଟାଇନବାସୀ । କିଏ ନିଜ ରୋଗୀଣା ମାକୁ ଦେଖିବାକୁ ଆସିପାରୁନି ତ ଆଉ କିଏ ନିଜ ବାପାର ଅନ୍ତିମ ସଂସ୍କାରକୁ ଆସି ପାରୁନି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମରେ ।
ଏହି ଗାଁରେ ବୈକୁଣ୍ଠ ଜେନା ନାମକ ଜଣେ ବ୍ୟକ୍ତି ଗତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହର କିଛି ଦିନ ପରେ ସ୍ତ୍ରୀଙ୍କୁ ତାଙ୍କ ବାପ ଘରେ ଛାଡି ସେ ରୋଜଗାର ଆଶାରେ ମୁମ୍ବାଇ ଯାଇଥିଲେ । କିନ୍ତୁ ଫସି ଯାଇଥିଲେ ଲକଡାଉନରେ । ଏପଟେ ଗାଁରେ ସ୍ତ୍ରୀ ଆସନ୍ନ ପ୍ରସବା । ସ୍ତ୍ରୀ ଓ ସଂସାରକୁ ଆସିବାକୁ ଥିବା ନିଜ ସନ୍ତାନକୁ ଦେଖିବା ପାଇଁ ଟ୍ରେନ୍ ଯୋଗେ ଗାଁକୁ ଫେରିଥିଲେ ବୈକୁଣ୍ଠ କିନ୍ତୁ ରହି ଯାଇଥିଲେ କ୍ୱାରେଣ୍ଟାଇନ ସେଣ୍ଟରରେ ।
ଆଡ଼ପଡା ପଞ୍ଚାୟତ କସ୍ତୁରବା ଆବାସିକ ବିଦ୍ୟାଳୟରେ ଥିବା କ୍ୱାରଣ୍ଟାଇନ୍ ସେଣ୍ଟରରୁ ତାଙ୍କ ଗାଁ ୩ କିଲୋମିଟର ଦୂର । ତେବେ ଯାହା ହେଉ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଏବଂ ବୈକୁଣ୍ଠ ଭିଡ଼ିଓ କଲରେ ନିଜ ଝିଅକୁ ବ୍ରହ୍ମପୁର ବଡ଼ ମେଡ଼ିକାଲରୁ ଦେଖି ଖୁସି ହେଲେ । କିନ୍ତୁ ଏହି ଖୁସି ବେଶି ସମୟ ରହିଲାନି । କିଛି ଘଣ୍ଟା ପରେ ଜାଣିବାକୁ ପାଇଲେ ଯେ ଶିଶୁଟି କାନ୍ଦୁନାହିଁ ଏବଂ ତାର ମସ୍ତିଷ୍କ ମଧ୍ୟ କାମ କରୁନାହିଁ । ଜଣା ପଡିଲା ଯେ ତା ମସ୍ତିଷ୍କରେ ଅମ୍ଲଜାନ ପହଞ୍ଚି ପାରୁନି । ଶିଶୁଟିର ଚିକିତ୍ସା ଚାଲିଲା । କିନ୍ତୁ ମାତ୍ର ୫ ଦିନ ପରେ ଚିକିତ୍ସିତ ଅବସ୍ଥାରେ ସେ ସବୁଦିନ ପାଇଁ ଆଖି ବୁଜିଦେଲା ।
ନିଜ ଝିଅକୁ କେବଳ ଭିଡିଓ କଲରେ ଦେଖିଥିଲେ ବୈକୁଣ୍ଠ । କେତେ ଆଶା କରିଥିଲେ କୋଳରେ ଧରିବେ, ଛାତିରେ ଲଗାଇବେ କିନ୍ତୁ ଏହି ସ୍ୱପ୍ନ କେବଳ ସ୍ୱପ୍ନରେ ରହିଗଲା । ଶିଶୁଟି ଚିର ନିଦ୍ରାରେ ଶୋଇଗଲା। କ୍ୱାରଣ୍ଟାଇନ ସେଣ୍ଟରରେ ରହି ଏହି ଦୁଃଖ ଖବର ଶୁଣିଲେ ବୈକୁଣ୍ଠ । ଝିଅକୁ ଟିକିଏ ଦେଖିବାକୁ ବି ଯାଇପାରିଲେନି । ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ଆଡ଼ପଡା ସରପଞ୍ଚ ନୀଳ ମାଧବ ରାଉତ, ନୋଡାଲ ଅଫିସର ତାଙ୍କ ଦୁଃଖରେ ଦୁଃଖୀ ହୋଇଥିଲେ, ଶୋକ ପ୍ରକାଶ କରିଥିଲେ । ତେବେ ସରକାରୀ ଗାଇଡ଼ ଲାଇନ ଅନୁଯାୟୀ ବୈକୁଣ୍ଠକୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଛଡାଯାଇନଥିଲା ।
Comments are closed, but trackbacks and pingbacks are open.