କାଠ ହାତୀ ତିଆରି କରି ଯୁବକ ସ୍ୱାବଲମ୍ବୀ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଗରିବ ଦଳିତ ଆଦିବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଥିସହ କାମ କରୁ କରୁ ବିଭିନ୍ନ କୌଶଳ ମଧ୍ୟ ଶିଖି ଆସୁଛନ୍ତି । ଦାଦନରୁ ଫେରିବା ପରେ ଏହି କୌଶଳକୁ ଧନ୍ଦାରେ ପରିଣତ କରି ଏବେ କେତେକ ଯୁବକ ସ୍ୱାବଲମ୍ବୀ ବି ହୋଇପାରିଛନ୍ତି । ସେଭଳି ଜଣେ ଯୁବକ ହେଲେ ଚନ୍ଦାହାଣ୍ଡି ବ୍ଲକ ଫଲସାପଡା ଗାଁର କବିର ଖରସେଲ । ଏବେ କାଠରେ ହାତୀ ତିଆରି କରି ନିଜ ପୋଟ ପୋଷିବାରେ ସକ୍ଷମ ହୋଇଛନ୍ତି । ମାସିକ ୧୦ହଜାର ଟଙ୍କା ଆୟ କରୁଥିବା ସେ କହିଛନ୍ତି ।
କବିରଙ୍କ ତାଙ୍କ ଦାଦନ ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ୧୫ବର୍ଷ ତଳେ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ଫଳରେ ରୋଜଗାର ଆଶାନେଇ ସେ ଆନ୍ଧ୍ର, କର୍ଣ୍ଣାଟକ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ପରି ସହରକୁ ଦାଦନ ଖଟିବାକୁ ଯାଇଥିଲେ । ପ୍ରଥମେ ହାଇଦ୍ରାବାଦର ଏକ ହୋଟେଲରେ କାମ କରିବା ପରେ କର୍ଣ୍ଣାଟକର ବେଙ୍ଗାଲୁରୁକୁ ଚାଲିଯାଇଥିଲେ । ସେଠାରେ ଜୟପାଳ ନାମକ ଏକ କାଠମୂର୍ତ୍ତି କାରିଗର ପାଖରେ କାମ କରୁଥିଲେ । ମାସିକ ୩ହଜାର ପାରିଶ୍ରମିକ ମିଳୁଥିଲା । ସେଠାରେ ତିଆରି ହେଉଥିବା କାଠହାତୀ, ବଗ, ମୟୂର ଅତ୍ୟନ୍ତ ଆକର୍ଷଣୀୟ ହେବା ସହ ଏହାର ବଜାର ଚାହିଦା ବେଶୀ ଥିଲା । ସେଠାରେ ରହି କାମ କରିବା ଭିତରେ ସେ କାଠରେ ହାତୀ, ଘୋଡା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଆକାର ତିଆରି କରିବା ଶିଖିଗଲେ । ସେଠାରୁ ଘରକୁ ଫେରି ଶିଖିଥିବା କୌଶଳକୁ କାମରେ ଲଗାଇଥିଲେ । ବାହା ହେବା ସହ ଏକ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ । ଚନ୍ଦାହାଣ୍ଡି ଅଞ୍ଚଳରେ ସାଗୁଆନ୍, ଗମ୍ଭୀର, ଶିଶୁ କାଠ ମିଳୁଥିବାରୁ ସେଥିରେ ସେ ହାତୀ ତିଆରି କରିବା ଆରମ୍ଭ କଲେ । ଲକ୍ଷ୍ମୀପୂଜା ବ୍ରତ କରୁଥିବା ମହିଳାଙ୍କ ପାଇଁ ହାତୀର ଆବଶ୍ୟକତା ଥିବାରୁ ତାଙ୍କ ତିଆରି କାଠ ହାତୀଗୁଡିକ ଭଲ ବିକ୍ରି ହୋଇଗଲା । ମା’ଓ ଛୁଆ ହାତୀର ମୂର୍ତ୍ତି ଘରେ ରଖିଲେ ଧନବୃଦ୍ଧି ହେବା ମହିଳାଙ୍କ ବିଶ୍ୱାସ ରହିଥିବାରୁ ସେ ବଜାର ଚାହିଦା ଦେଖି ଏସବୁ ତିଆରିରେ ମନୋନିବେଶ କଲେ । ଗୋଟିଏ କାଠର ମା’ଛୁଆ ହାତୀମୂର୍ତ୍ତି ପାଇଁ ୫ଶହରୁ ୬ଶହ ଟଙ୍କା ମିଳିଥାଏ ବୋଲି ସେ କହିଛନ୍ତି । ଅଫିସଗୁଡିକରେ ଗଣେଶ ମୂର୍ତ୍ତି, ହାତୀ, ବଗର ଚାହିଦା ଥିବାରୁ ସେଠାରେ ଦେବାପାଇଁ କିଛି ଅର୍ଡର ମଧ୍ୟ ମିଳିଥାଏ । ଏଥିରେ ହଜାରେରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ମାସକୁ ପ୍ରାୟ ୧୦ହଜାର ଟଙ୍କା ରୋଜଗାର କରିପାରୁଥିବା କବିର କହିଛନ୍ତି । ତେବେ ପ୍ରଶାସନ ତରଫରୁ ଅଧିକ ତାଲିମ୍ ପ୍ରଦାନ କରାଗଲେ ଆହୁରି ଭଲ କାମ ହୋଇପାରିବ ଓ ତାଙ୍କ ସହ ଅଞ୍ଚଳର ଅନ୍ୟମାନେ ମଧ୍ୟ ଏହି କୌଶଳ ଶିକ୍ଷାଲାଭ କରିପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons