ବଲାଙ୍ଗୀର/ବେଲପଡ଼ା,(ବି.ବି.ନ୍ୟୁଜ୍): ପୁଅର ଜାବତୀୟ କାର୍ଯ୍ୟ ପାଇଁ ବାପା-ମା’ ସର୍ବଦା ତତ୍ପର । ତେବେ ସମାନ୍ୟ ବଚସାକୁ ନେଇ ପୁଅ ନୃଶଂସ ପାଲଟିଛି । ଘରୋଇ କଳହକୁ ନେଇ ବୃଦ୍ଧ ବାପାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିବା ପରେ ମା’କୁ ଜିଅନ୍ତା ଜାଳି ଦେବା ଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ରାତବାହାଲ ଗାଁରେ । ବେଲପଡ଼ା ପୁଲିସ ଅଭିଯୁକ୍ତ ପୁଅ ସନ୍ତୋଷ ଖର୍ସେଲକୁ ଗିରଫ କରିଛି । ଅପରପକ୍ଷେ ସନ୍ତୋଷଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ସେ ବିଭିନ୍ନ ସମୟରେ ଏଭଳି କାଣ୍ଡ ଭିଆଉଥିବା ପରିବାରବର୍ଗ ତଥା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଶନିବାର ଭୋରରୁ ବାପା ଋଷି ଏବଂ ପୁଅ ସନ୍ତୋଷଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ ସନ୍ତୋଷ ନିଜେ ଧରିଥିବା ଏକ ବାଡ଼ିରେ ବାପା ଋଷିଙ୍କୁ ପିଟିଥିଲା । ଏହା ଦେଖି ଦୀର୍ଘ ୭ମାସ ହେବ ଶଯ୍ୟାଶାୟୀ ଥିବା ମା’ ଆଶାମତୀ ବାରଣ କରିଥିଲେ । ଏଥିସହ ପୁଅର ମାଡ଼ ମାରିବା ନେଇ ଗାଁ ଲୋକଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇବାକୁ ସ୍ୱାମୀକୁ କହିଥିଲେ । ଏହା ପରେ ଋଷି ଘରୁ ବାହାରି ଗ୍ରାମାବାସୀଙ୍କୁ ଡାକିବାକୁ ଯାଇଥିଲେ । ସେହି ସମୟରେ ସନ୍ତୋଷ ଘରେ ଥିବା କିରାସିନି ଆଣି ମା’ ଆଶାମତୀଙ୍କ ଉପରେ ଢାଳି ତାଙ୍କୁ ଜାଳି ଦେଇ ଘରୁ ଚାଲିଯାଇଥିଲେ । ତେବେ ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ତାଙ୍କ ଘରକୁ ଯାଇ ଦେଖିବାରୁ ଆଶାମତୀ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ବେଲପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏଥିସହ ଅଭିଯୁକ୍ତ ପୁଅ ସନ୍ତୋଷକୁ ଗିରଫ କରିଥିଲା ।
Comments are closed, but trackbacks and pingbacks are open.