ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ୧୦୮ ଗରାବଡୁ ଜଳରେ ମହାସ୍ନାନ କରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି । ଏପଟେ ମହାପ୍ରଭୁଙ୍କର ଅନ୍ୟ ଏକ ଲୀଳାକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥଙ୍କ ପୀଠ ଶୂନ୍ଶାନ୍ ହୋଇପଡ଼ିଛି । କେବଳ ନୀତିକାନ୍ତିରେ ଆରମ୍ଭ ହୋଇଛି ଅଣସର । କାଳିଆ ଠାକୁରଙ୍କୁ ଅଣସର ସମୟରେ ଭକ୍ତମାନେ ଶ୍ରୀକ୍ଷେତ୍ରରେ ଦର୍ଶନ ନ ପାଇ ଛୁଟି ଆସିଥାନ୍ତି ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ । ଏହି ସମୟରେ ଅଲାରନାଥ ପୀଠ ଚଳଚଞ୍ଚଳ ହୋଇଥାଏ । ଦିନରାତି ହଜାର ହଜାର ଭକ୍ତଙ୍କ ସମାଗମରେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ପାଇଥାଏ । ମହାମାରୀ କରୋନା ପ୍ରଭାବରେ ଏ ପୀଠ ଏବେ ଭକ୍ତଶୂନ୍ୟ ହୋଇପଡ଼ିଛି ।
ଜିଲ୍ଲା ପ୍ରଶାସନର ୧୪୪ ଧାରା ଯୋଗୁ ସାଧାରଣ ଦର୍ଶନ ବନ୍ଦ ହୋଇଛି । କେବଳ ପାଳିଆ ସେବାୟତଙ୍କୁ ନେଇ ଆଜି ଅଣସର ନୀତିକାନ୍ତି ଆରମ୍ଭ ହୋଇଛି । ଭୋର ୪ଟାରେ ଦ୍ୱାର ଫିଟା ହୋଇ ଦୈନିକ ନୀତିକାନ୍ତି ସହିତ ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖିରି ପ୍ରସାଦ ଭୋଗ ହୋଇ ଅପରାହ୍ନ ସାଢେ଼ ୨ଟାରେ ପହଡ଼ ପଡ଼ିଥିଲା । ପୁନଃ ୨ଟା ୪୫ମିନିଟ୍ରେ ଚିଅାଁ ପହଡ଼ ନୀତି ହୋଇ ସଂଧ୍ୟା ୭ଟା ୧୦ ମିନିଟ୍ରେ ସଂଧ୍ୟା ଆଳତୀ, ରାତି ୮ଟାରେ ମଇଲମ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୦ଟା ୫୦ମିନିଟ୍ରେ ବଡ଼ସିଂହାର ବେଶ ହେବା ପରେ ୧୨ଟାରେ ପହୁଡ଼ ହୋଇଥିଲେ ମଧ୍ୟ ଭକ୍ତଙ୍କର ଗହଳି ଦେଖିବାକୁ ମିଳିନଥିଲା ।
ଅଲାରନାଥଙ୍କ ପୀଠରେ ଅଣସର ଦର୍ଶନ ପାଇଁ ବାଧକ ସାଜିଛି ମହାମାରୀ କରୋନା । ଏହି ସମୟରେ ଉକ୍ତ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ସରକାରଙ୍କ ଲକ୍ଡାଉନ୍ ଓ ସଟ୍ଡାଉନ୍ ନିୟମକୁ ନେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ ଅଣସର ସମୟ ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରରୁ ଆସନ୍ତା ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ମନ୍ଦିର ଓ ଏହାର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରି ନିୟମକୁ ବଳବତ୍ତର ରଖିଛନ୍ତି । ଫଳରେ ମନ୍ଦିରର ଚତୁଃପାଶ୍ୱର୍ ରାସ୍ତା ସିଲ୍ କରିବା ସହ ପୁଲିସ ଫୋର୍ସ ମୁତୟନ ହୋଇଛି ।
ଜୀବନ ସାରା ଜଗନ୍ନାଥଙ୍କ ନିକଟରେ ଉତ୍ସର୍ଗୀକୃତ ଥିବା ସନ୍ଥ ରାମଶରଣ ଦାଶ ମହାରାଜ ପ୍ରତ୍ୟେକ ଦିନ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଯୋଗାଉଥିବାରୁ ତୁଳସୀ ବାବା ନାମରେ ପରିଚିତ । ବର୍ଷକ ୩୬୫ ଦିନ ମଧ୍ୟରୁ ୩୫୧ ଦିନ ସେ ଶ୍ରୀଜଗନ୍ନାଥଙ୍କ ପାଖରେ ତୁଳସୀ ସେବା ଯୋଗାଇ ଆସୁଛନ୍ତି । ମହାପ୍ରଭୁ ଅଣସର ଘରେ ରହିବା ପରେ ବାବା ୧୪ ଦିନ ପାଇଁ ଅଲାରନାଥଙ୍କ ନିକଟରେ ତୁଳସୀ ସେବା କରିଥାଆନ୍ତି । ଏହି ସେବା ଦୀର୍ଘ ୨୦ ବର୍ଷ ଧରି ଅବିରାମ ଭାବରେ କରିଆସୁଥିଲେ ମଧ୍ୟ ଅଣସରର ପ୍ରଥମ ଦିନରେ ତୁଳସୀ ବାବା ଅଲାରନାଥଙ୍କୁ ଦର୍ଶନ ନ କରି ସିଂହଦ୍ୱାର ନିକଟରୁ ନିରାଶାରେ ଫେରିଛନ୍ତି । ଠାକୁରଙ୍କ ଦର୍ଶନ ନ ପାଇ କୋହଭରା କଣ୍ଠରେ ‘ଏ କରୋନା ମହାମାରୀ ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ପ୍ରାଚୀର ଛିଡ଼ା କରିଦେଲା । ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ମନ୍ଦିର ଭିତରକୁ ଯାଇ ଠାକୁର ଦର୍ଶନ କରିପାରିଲି ନାହିଁ ସତ, କିନ୍ତୁ ମୋ ଭକ୍ତିର ଏ ତୁଳସୀ ମାଳ ଠାକୁରଙ୍କ ସେବାରେ ନିଶ୍ଚୟ ଆସିବ’ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.