ପୁରୀ,(ବି.ବି.ବ୍ୟୁରୋ): ପତ୍ନୀଙ୍କୁ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଆସିଛନ୍ତି କାଳିଆ ସାଆନ୍ତ । ପ୍ରଚଣ୍ଡ ଅଭିମାନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରୋଷର ଶିକାର ହେବ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ, ଯିଏ ମହାପ୍ରଭୁଙ୍କୁ ଆଣିଲା । ସୋମବାର ଶ୍ରୀଗୁଣ୍ଡିଚା ଘରେ ଅନୁଷ୍ଠିତ ହେବ ହେରାପତ୍ତମୀ ନୀତି । ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀ ଠାକୁରାଣୀ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ ହେବେ । ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ । ପୁଣି ମହାପ୍ରଭୁଙ୍କ ନିକଟରୁ ରାଗ ତମତମ ହୋଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରିଯିବେ । ଏସବୁ ନୀତି ସାରି ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ରାତି ସାଢ଼େ ୯ଟା ବେଳକୁ ବିଜେ କରିବେ ବୋଲି ପ୍ରଶାସନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିଛି ।
ଏହି ନୀତିବହୁଳ ଦିନପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ପ୍ରାତଃ ୪ଟାରେ ଦ୍ୱାରଫିଟା ନୀତି ହୋଇ ୪ଟା୩୦ମିନିଟ ସୁଦ୍ଧା ଭିତର ଶୋଧ କରାଯିବ । ମଙ୍ଗଳାଳତି ୫ଟାରେ ବଢ଼ି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଇଲମ-ତଡ଼ପଲାଗ ନୀତି ସାଢ଼େ ୫ଟାରେ ହୋଇ ଅବକାଶ ବିଧି ହେବ ସକାଳ ୬ଟା ସମୟରେ । ଏହାପରେ ସକାଳ ୬ଟା୩୦ମିନିଟରୁ ୭ଟା୩୦ମିନିଟ ମଧ୍ୟରେ ସାହାଣମେଲା ଦର୍ଶନ ହେବ । ଏହାପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା ସରି ଠାକୁରମାନଙ୍କ ବେଶ ଶେଷ ହେବ । ୯ଟା୩୦ରେ ଗୋପାଳବଲ୍ଲଭ, ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ସକାଳ ଧୂପ , ୧୨ଟା୩୦ମିନିଟ୍ ସୁଦ୍ଧା ଭୋଗମଣ୍ଡପ, ମଇଲମ ୧୨ଟା୪୫ମିନିଟରେ, ଯାତ୍ରାଙ୍ଗୀ ମହାସ୍ନାନ ଅପରାହ୍ନ ୧ଟା୩୦ମିନିଟ୍ରେ, ଘଣ୍ଟଛତା ସର୍ବାଙ୍ଗ ୨ଟାରେ, ନୂଆଲାଗି ଲାଗି-ବେଶ ୨ଟା୩୦ରେ, ମଧ୍ୟାହ୍ନଧୂପ ସାଢେ୪ଟା ମଧ୍ୟରେ ଅନୁଷ୍ଠିତ ହୋଇ ସାଢ଼େ ୫ଟା ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ କରାଯିବ ।
ପୁନର୍ବାର ମଇଲମ ନୀତି ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ । ପରେ ଶାଢୀଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟାଆଳତି ବଢ଼ିବ । ମହାପ୍ରଭୁଙ୍କ ବାଡ଼ରେ ୭ଟାରେ ମହାସ୍ନାନ ହୋଇ ଘଣ୍ଟଛତା ସର୍ବାଙ୍ଗ ସାଢ଼େ ୭ଟାରେ ହେବ । ଏହାପରେ ନୂଆଲାଗି ହୋଇ ଠାକୁରେ ସନ୍ଧ୍ୟା ୮ଟାରେ ୬ମୂର୍ତ୍ତି ଅଳଙ୍କାର ଲାଗି ହେବେ । ସନ୍ଧ୍ୟାଧୂପ ଡାକିଯିବ ସାଢେ୮ଟାରେ । ପରେ ସନ୍ଧ୍ୟା ଧୂପ ଛେକ ବୁହାହୋଇ ରାତ୍ର ୯ଟା ସୁଦ୍ଧା ସନ୍ଧ୍ୟାଧୂପ ପୂଜା ବସିବ । ରାତି ସାଢ଼େ ୯ଟାରେ ମା’ଲକ୍ଷ୍ମୀଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ ବୋଲି ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଏହାପରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇ ୯ଟା୩୫ରେ ସୁଦ୍ଧା ସନ୍ଧ୍ୟାଧୂପ ଉଠି ଶେଷ ହେବ ୯ଟା୫୦ମିନିଟ୍ରେ । ୧୦ଟା୩୦ମିନିଟରେ ପ୍ରସାଦ ବାହାରି ପାଣି ପଡ଼ିବ । ଏହାପରେ ୧୧ଟାରେ ମଇଲମ ତାପରେ ମହାପ୍ରଭୁଙ୍କୁ ଚନ୍ଦନଲାଗି କରାଯିବ । ରାତି ୧୨ଟାରେ ବଡ଼ସିଂହାର ବେଶ ହୋଇ ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ଠାକୁରମାନଙ୍କ ରାତ୍ରପହୁଡ ୧ଟା ସୁଦ୍ଧା ଶେଷ କରାଯିବାକୁ ଯୋଜନା ରହିଛି । ହେରାପତ୍ତମୀ ନୀତି ପୂର୍ବରୁ ରବିବାର ମହାପ୍ରଭୁଙ୍କ ବନକଲାଗି ସରିଛି ।
Comments are closed, but trackbacks and pingbacks are open.