କଟକ,(ବି.ବି.ବୁ୍ୟରୋ): କରୋନାକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ଲାଗି ରହିଛି । ସମସ୍ତେ କରୋନାକୁ ନେଇ ଆତଙ୍କିତ ଥିବା ବେଳେ କଟକ ଶିଶୁଭବନରେ ବିରଳ ଜୁନୋସିସ୍ ରୋଗାକ୍ରାନ୍ତ ଏକ ଶିଶୁ କନ୍ୟାର ସଫଳ ଅପରେସନ୍ କରାଯାଇଛି । ଅପରେସନ୍ ପରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ତେବେ ଶିଶୁଟିକୁ ମେଡିକାଲ ସର୍ଭେଲାନ୍ସ ମଧ୍ୟରେ ରଖାଯାଇଥିବା ଶିଶୁଶଲ୍ୟ ବିଭାଗର ପ୍ରଫେସର ଡାକ୍ତର ପ୍ରଦୀପ କୁମାର ଜେନା କହିଛନ୍ତି ।
ଡାକ୍ତର ଜେନାଙ୍କ କହିବାନୁଯାୟୀ, ଜୁନୋସିସ୍ ରୋଗାକ୍ରାନ୍ତ ଶିଶୁଟିର ବୟସ ୨ବର୍ଷ । ଘର କୋରାପୁଟ ଜିଲ୍ଲାରେ । ଶିଶୁଜଣକ ଏକିନୋକ୍ରୋକସ୍ ଗାନୁଲୋସସ୍ ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲା । ସାଧାରଣତଃ ପଶୁପକ୍ଷୀଙ୍କଠାରୁ ଏହି ରୋଗ ମଣିଷଙ୍କୁ ସଂକ୍ରମିତ ହୋଇଥାଏ । ବିଶେଷକରି ଘୁଷୁରିମାନଙ୍କ ଶରୀରରେ ଏହି ଜୀବାଣୁ ରହିଥାଏ । ଘୁଷୁରି ଯେଉଁଠି ମଳତ୍ୟାଗ କରିଥାଏ ଓ ଉକ୍ତ ମଳ ସଂସ୍ପର୍ଶରେ ଆସିବା ପରେ ମଣିଷ ଶରୀରର ଲିଭର, ବ୍ରେନ୍ , ଲଙ୍ଗ୍ସ୍ ଓ ଅନ୍ୟାନ୍ୟ ସ୍ଥାନରେ ବଥ ବା ଆବୁ ସୃଷ୍ଟି ହୋଇଥାଏ । ମାତ୍ର ଉକ୍ତ ଶିଶୁର ଡାହାଣ ପଟ କିଡ୍ନୀରେ ଏକ ବଥ ସୃଷ୍ଟି ହୋଇଥିଲା । ଯାହା ସବୁଠୁ ବିରଳ । କାରଣ ସାଧାରଣତଃ ଏକିନୋକ୍ରୋକସ୍ ଜୀବାଣୁ ସଂସ୍ପର୍ଶରେ ଆସିଥିବା ରୋଗୀଙ୍କ ଶରୀରର ଅନ୍ୟ ସ୍ଥାନରେ ବଥ ବାହାରିଥାଏ । ମାତ୍ର ଏହି ଶିଶୁର କିଡ୍ନୀରେ ବଥ ହେବା ସଂପୂର୍ଣ୍ଣ ନୂଆ ଘଟଣା । ଏହାର ଭୟାବହତା ଉପରେ ମତ ଦେଇ ଡାକ୍ତର ଜେନା କହିଛନ୍ତି ଯେ, ଯଦି ବଥ ଅପରେସନ୍ କରାନଯାଇ ଫାଟିଯାଏ ତେବେ ବଥରେ ଥିବା ବିଷକ୍ରିୟା ରୋଗୀର ସମଗ୍ର ଶରୀରକୁ ଆକ୍ରାନ୍ତ କରିଥାଏ । ଶେଷରେ ରୋଗୀର ମୃତୁ୍ୟ ଘଟିଥାଏ । ମାତ୍ର ଏହି ରୋଗକୁ ନେଇ ଭୟଭୀତ ହେବାର କୌଣସି କାରଣ ନଥିବା ଡାକ୍ତର ଜେନା କହିଛନ୍ତି । ସଫଳତାର ସହିତ ଶିଶୁଭବନରେ ଏହି ଅପରେସନ୍ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ସେହିପରି ଶିଶୁଭବନରେ ୨ଦିନ ତଳେ ଆଉ ଏକ ଜଟିଳ ଅପରେସନ୍ ବି କରାଯାଇଛି । ମଣିପୁର ରାଜ୍ୟର ଜଣେ ୬ ମାସର ଶିଶୁକନ୍ୟା ପେଟରୁ ବାହାରିଛି ୨କେଜି ୭ଶହ ଗ୍ରାମ ଓଜନର ମାଂସ । ଜନ୍ମରୁ ଶିଶୁ ପେଟରେ ମାଂସ ବଢିବା ଆରମ୍ଭ କରିଥିଲା । ଏହି ମାଂସ ଶିଶୁର ଅନ୍ତନଳୀ ପଛପଟରେ ଥିବା ବେଳେ ଏହା କିଡ୍ନୀ, ପାକସ୍ଥଳୀ ଓ ପରିସ୍ରାଥଳୀକୁ ଲାଗି ରହିଥିଲା । ଏହି ରୋଗକୁ ଡାକ୍ତରୀ ଭାଷାରେ ଟେରାଟୋମା କୁହାଯାଏ । କାରଣ ଏହି ମାଂସରେ ହାଡ ଓ ଲୋମ ରହିଥାଏ । ଟେରାଟୋମା ହେବା ଦ୍ୱାରା ଶିଶୁ ଜଣକ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରିଥିଲା । ପେଟ ଟି ବେଲୁନ ଭଳି ଫୁଲି ରହିଥିଲା । ପେଟରେ ମାଂସ ବଢୁଥିବାରୁ ଶିଶୁର ଶରୀରର ଓଜନ ମଧ୍ୟ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିଲା । ଶିଶୁର ପରିବାର ଲୋକେ ବିଭିନ୍ନ ଆଡେ଼ ପରାମର୍ଶ ନେବା ପରେ ରାୟଗଡ଼ାକୁ ଆସିଥିଲେ । ସେଠାରୁ ସେମାନେ ଶିଶୁଭବନର ଶିଶୁଶଲ୍ୟ ବିଭାଗର ପ୍ରଫେସର ଜେନାଙ୍କ ସହିତ ଯୋଗାଯୋଗ କରିଥିଲେ । ଡାକ୍ତର ଜେନାଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଟିମ୍ ଏହାର ସଫଳ ଅପରେସନ୍ କରିଛନ୍ତି । ଶିଶୁ ଜଣଙ୍କ ଏବେ ସୁସ୍ଥ ଥିବା ଡାକ୍ତର ଜେନା କହିଛନ୍ତି ।
Comments are closed, but trackbacks and pingbacks are open.