ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ବାଘ ଶିକାରୀ ଏବେ ସକ୍ରିୟ ହୋଇ ପଡ଼ିଛନ୍ତି । ବାଘ ଶିକାର କରି ଛାଲକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ସପ୍ତାହକ ମଧ୍ୟରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ୪ଟି ବାଘ ଛାଲ ଜବତ କରିବା ପରେ ଏହା ସ୍ପଷ୍ଟ ହୋଇଛି । ୮ ତାରିଖରେ ଏସ୍ଟିଏଫ୍ ନୟାଗଡ଼ ଦଶପଲ୍ଲା ଗିରିପୂଜା ଜଙ୍ଗଲରେ ଚଢ଼ଉ କରି ୨ ଶିକାରୀଙ୍କୁ ଗିରଫ କରିବା ସହ ୨ଟି କଲରା ପତରିଆ ଓ ଦୁଇଟି ହରିଣ ଛାଲ ଜବତ କରିଥିଲା । ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ସାନ ମଣିନାଗ ଜଙ୍ଗଲରେ ଏସ୍ଟିଏଫ୍ ଚଢ଼ଉ କରି ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି । ତାଙ୍କ ନାମ ଲକ୍ଷ୍ମୀଧର ନାୟକ (୩୬) । ଘର ନୟାଗଡ଼ ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ଜାମୁଗଣ୍ଡା । ସେ ବନ୍ଧମୁଣ୍ଡା ସମିତି ସଭ୍ୟ ବୋଲି ଜଣାପଡ଼ିଛି । ଲକ୍ଷ୍ମୀଧରଙ୍କ ଠାରୁ ୨ଟି କଲରା ପତରିଆ ବାଘ ଛାଲ ଓ କିଛି ହାଡ଼ ଜବତ ହୋଇଛି । ଜବତ ଛାଲ ଜଣେ ବେପାରୀ ସହ ୩ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିବା ଲକ୍ଷ୍ମୀଧର ସୂଚନା ଦେଇଛନ୍ତି ।
ଗତକାଲି ସନ୍ଧ୍ୟାରେ ସାନ ମଣିନାଗ ଜଙ୍ଗଲରେ ବେପାରୀଙ୍କୁ ଅପେକ୍ଷା କରିଥିବା ବେଳେ ଏସ୍ଟିଏଫ୍ ଚଢ଼ଉ କରି ଲକ୍ଷ୍ମୀଧରଙ୍କୁ ଗିରଫ କରିଥିଲା । ସେ ହିଁ ନୟାଗଡ଼ ଜିଲ୍ଲାରେ ବାଘ ଶିକାରର ମାଷ୍ଟରମାଇଣ୍ଡ୍ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି । ଆଜି ଲକ୍ଷ୍ମୀଧରଙ୍କୁ ରଣପୁର ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଜବତ ବାଘ ଛାଲ ଓ ହାଡ଼କୁ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ଫୋରେନ୍ସିକ୍ ଲ୍ୟାବ୍କୁ ପଠାଇ ଦିଆଯାଇଛି । ଏସ୍ଟିଏଫ୍ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ନୟାଗଡ଼ ଜିଲ୍ଲାରେ ବାଘ ଶିକାର କରାଯାଇ ରାଜ୍ୟ ବାହାରକୁ ଛାଲ ଚାଲାଣ ହେଉଥିବା ଏସ୍ଟିଏଫ୍ ସୂଚନା ପାଇଥିଲା । ତେଣୁ ଏସ୍ଟିଏଫ୍ ଟିମ୍ ଏହି ଶିକାରୀଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇ ଥିଲା । ଗତ ୮ ତାରିଖରେ ଏସ୍ଟିଏଫ୍ ଦଶପଲ୍ଲା ଗିରିପୂଜା ଜଙ୍ଗଲରେ ଚଢ଼ଉ କରି ୨ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଟି କଲରାପତରିଆ ବାଘ ଚମଡ଼ା ଓ ଦୁଇଟି ହରିଣ ଚମଡ଼ା ଜବତ କରିଥିଲା । ଦୁଇ ଶିକାରୀ ହେଲେ ଦଶପଲ୍ଲା ଥାନା ଅନ୍ତର୍ଗତ ସକିଲ ଗ୍ରାମର ପ୍ରତାପ କୁମାର ନାୟକ ଓ ଦଶପଲ୍ଲା ଶିମିଳିସାହିର କିଶୋର ଚନ୍ଦ୍ର ଦେହୁରୀ । ଉଭୟଙ୍କୁ ଜେରା କରି ଏସ୍ଟିଏଫ୍ ଲକ୍ଷ୍ମୀଧର ହିଁ ବାଘ ଶିକାରର ମାଷ୍ଟରମାଇଣ୍ଡ୍ ବୋଲି ଜାଣିବାକୁ ପାଇଥିଲା । ତେଣୁ ତାଙ୍କୁ ଗିରଫ କରିବା ପାଇଁ ଏସ୍ଟିଏଫ୍ର ଏକ ଟିମ୍ ୨ ଦିନ ହେଲା ରଣପୁର ଅଞ୍ଚଳରେ ପଇଁତରା ମାରୁଥିଲା । ଗତକାଲି ସନ୍ଧ୍ୟାରେ ରଣପୁର ସାନ ମଣିନାଗ ମୁଣ୍ଡିଆରେ ବାଘ ଚମଡ଼ା ଡିଲ୍ ହେଉଥିବା ସୂଚନା ପାଇବା ପରେ ଏସ୍ଟିଏଫ୍ ଟିମ୍ ଜଙ୍ଗଲରେ ଚଢ଼ଉ କରିଥିଲା । ଲକ୍ଷ୍ମୀଧରଙ୍କୁ କାବୁ କରିବା ସହ ତାଙ୍କ ଠାରୁ ଦୁଇଟି କଲରା ପତରିଆ ବାଘ ଛାଲ ଓ କିଛି ହାଡ଼ଖଣ୍ଡ ଜବତ କରିଥିଲା । ତେବେ ଚଢ଼ଉ ସମୟରେ ବେପାରୀ ଖସି ଯାଇଥିଲେ ।ଲକ୍ଷ୍ମୀଧରଙ୍କ ଠାରୁ ଜବତ ହୋଇଥିବା ଛାଲରେ ଗୁଳିମାଡ଼ ଚିହ୍ନ ରହିଛି । ତେଣୁ କଲରାପତରିଆ ବାଘଙ୍କୁ ଗୁଳିକରି ଶିକାର କରିବା ପରେ ଛଲା ଯାଇଛି । ପୂର୍ବରୁ ପ୍ରତାପ ଓ କିଶୋରଙ୍କ ଠାରୁ ଜବତ ହୋଇଥିବା ଛାଲରେ ମଧ୍ୟ ଗୁଳିମାଡ଼ ଚିହ୍ନ ଥିଲା । ଜବତ ଛାଲରୁ ଖୁବ୍ କମ ଦିନ ମଧ୍ୟରେ ଏହି ବାଘ ଗୁଡ଼ିଙ୍କୁ ଶିକାର କରାଯାଇଥିବା ଜଣାପଡ଼ିଛି । ପ୍ରତାପ ଓ କିଶୋରଙ୍କୁ ଜେରା କରି ଏସ୍ଟିଏଫ୍ ଲକ୍ଷ୍ମୀଧରଙ୍କୁ ଗିରଫ କରିଥିଲା । ତେଣୁ ଏମାନେ କେତେ ଦିନ ଧରି ଏହି କାରବାର କରି ଆସୁଥିଲେ? କେତେ ବାଘ ଛାଲ ବାହାରକୁ ଚାଲାଣ କରିଛନ୍ତି? ଏହି ର୍ୟାକେଟ୍ରେ ଅନ୍ୟ କାହାର ସଂପୃକ୍ତି ରହିଛି? ଏହାର ଅଧିକ ଖୋଳତାଡ଼ ପାଇଁ ଏସ୍ଟିଏଫ୍ ୩ ଜଣଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ୩ ଜଣଙ୍କୁ ଏକାଠି ଜେରା କରାଯିବ ବୋଲି ଏସ୍ଟିଏଫ୍ର ଜଣେ ବରିÂ ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.