ସୋନପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପର ଜିଲ୍ଲା ଗୋପାଲଜୀ ମଠ ମହନ୍ତ ଅପହରଣ ମାମଲାର ପର୍ଦ୍ଧାଫାଶ କରିଛି ଜିଲ୍ଲା ପୁଲିସ । ମହନ୍ତଙ୍କୁ ବରଗଡ଼ ଜିଲ୍ଲା ବରପାଲିରୁ ଉଦ୍ଧାର କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପହରଣର ମୁଖ୍ୟ କାରଣ ସମ୍ପତ୍ତି ଲୋଭ ଥିଲା ବୋଲି ସୋନପୁର ଏସ୍ପି ଦେବୀପ୍ରସାଦ ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅପହରଣକାରୀମାନେ ମହନ୍ତଙ୍କୁ ମାର୍ପିଟ୍ କରିଥିବା ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ଏସ୍ପି କହିଛନ୍ତି ।
ଏସ୍ପିଙ୍କ ସୂଚନାମତେ, ୧୮ ତାରିଖ ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ପୂଜାରୀ ସାହାଜବାହାଲ ଗାଁ ଗୋପାଲଜୀ ମଠ ମହନ୍ତ ତନ୍ମୟାନନ୍ଦ ଦାଶ(୫୬)ଙ୍କୁ ତାଙ୍କ ଘରୁ କେହି ଅପହରଣ କରି ନେଇ ଯାଇଥିଲେ । ଏନେଇ ବିନିକା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ୧୯ ତାରିଖ ବିନିକା ଥାନାରେ ଏକ ମାମଲା ରୁଜୁ ହେବା ପରେ ଏସ୍ପିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ପାଣିଗ୍ରାହୀ ଏବଂ ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଗତକାଲି ବରପାଲି ସହରର ଏକ ଘରୁ ମହନ୍ତଙ୍କୁ ଉଦ୍ଧାର କରିଥିଲେ । ଏଥିସହ ୫ଜଣ ଅଭିଯୁକ୍ତଙ୍କୁ ସେଠାରୁ ପୁଲିସ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କରା ଗାଁର ଶମ୍ଭୁପ୍ରସାଦ ହୋତା ଓରଫ୍ ମଣ୍ଟୁ(୩୧), ଓମ୍ ପ୍ରକାଶ ପଧାନ (୩୮), ଚନ୍ଦନ ପଧାନ(୨୧), ଫୁଲମୁଠି ଗାଁର ସୁରେନ୍ଦ୍ର ଦାଶ ଏବଂ ବରଗଡ଼ ଜିଲ୍ଲା ବରପାଲିର ବିଦ୍ୟାଧର ପଧାନ(୩୫) । ଅଭିଯୁକ୍ତଙ୍କୁ ବିନିକା ଥାନାକୁ ଅଣାଯାଇଛି । ସେମାନଙ୍କଠାରୁ ଅପହରଣ ବେଳେ ବ୍ୟବହୃତ ୨ଟି ବାଇକ ଏବଂ ୫ଟି ମୋବାଇଲ୍ ଫୋନ ଜବତ୍ କରାଯାଇଛି । ଆଜି ସେମାନଙ୍କୁ ବିନିକା କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ସୋନପୁର ଜେଲ୍କୁ ପଠାଇ ଦିଆଯାଇଛି । ମହନ୍ତ ଶ୍ରୀ ଦାଶଙ୍କୁ ବିନିକା ଡାକ୍ତରଖାନାରେ ଚିକିତ୍ସା ପରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ସେ ସୁସ୍ଥ ଥିବା ସୂଚନା ମିଳିଛି । ସେପଟେ ମହନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ଘରୁ ଗତ ୬ତାରିଖରେ ଚୋରି ମଧ୍ୟ ହୋଇଥିଲା । ମଣ୍ଟୁ ଏବଂ ସାଥୀ ଫ୍ରିଜ, ୱାସିଂ ମେସିନ୍ ଏବଂ ଘରର ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଥିବା ବିନିକା ଥାନାରେ ଅଭିଯୋଗ କରିଥିଲେ । ଆଜି ସେମାନଙ୍କଠୁ ଗୋଟିଏ ଫ୍ରିଜ୍ ଜବତ୍ କରାଯାଇଥିବା ଏସ୍ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏଏସ୍ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଏସ୍ଡିପିଓ ମିହିର ପଣ୍ଡା, ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.