ଶରଧାବାଲିରେ ତିନି ରଥ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଘଣ୍ଟ, ଝାଞ୍ଜ, ମୃଦଙ୍ଗ ଓ କାହାଳି ବାଜୁଥିଲା । ନିର୍ଦ୍ଧାରିତ ସମୟରେ ତିନି ରଥରେ ବିରାଜି ଥିଲେ ତିନି ଠାକୁର । କିନ୍ତୁ ବଡ଼ଦାଣ୍ଡରେ ନ ଥିଲେ ଭକ୍ତ । ଖାଁ ଖାଁ ଲାଗୁଥିଲା ବଡ଼ଦାଣ୍ଡ । ନ ଥିଲା କୋଳାହଳ । ହୁଳହୁଳି ଓ ଭକ୍ତି ନିବେଦନ । ଭାବର ଠାକୁର ସତେ ଯେମିତି ଖୋଜୁଥିଲେ ନିଜର ପ୍ରିୟ ଭକ୍ତମାନଙ୍କୁ । ଚକା ଆଖି ବଡ଼ଦାଣ୍ଡରେ ଖୋଜୁଥିଲା କୁଆଡେ ଗଲେ ମୋ ଭକ୍ତ…
କୋଭିଡ଼୍ କଟକଣା ଭିତରେ ସେବାୟତମାନେ ୩ ରଥକୁ ଟାଣି ଟାଣି ନେଇ ଶରଧାବାଲିରେ ପହଞ୍ଚାଇଥିଲେ । ସେବାୟତମାନେ ମାସ୍କ ପିନ୍ଧିଥିଲେ । ପାଖରେ ସାନିଟାଇଜର୍ ରଖିଥିଲେ । ଛେରାପହଁରା ବେଳେ ଗଜପତି ମହାରାଜ ମଧ୍ୟ ମାସ୍କ ପିନ୍ଧି ଆସିଥିଲେ । ସୁପ୍ରିମକୋର୍ଟ ନିଦେ୍ର୍ଧଶ ମୁତାବକ ସମସ୍ତେ ମାନିଥିଲେ ସାମାଜିକ ଦୂରତ୍ୱ ।
ଚଳିତ ରଥଯାତ୍ରା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ବିରଳ ଘଟଣା ରୂପେ ଲିପିବଦ୍ଧ ହୋଇଛି । ସର୍ବଧର୍ମ ସମନ୍ୱୟର ପ୍ରତୀକ ନୀଳାଦ୍ରିନାଥ କେବଳ ଟେଲିଭିଜନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । କରୋନା ସମୟରେ ସାରା ବିଶ୍ୱ ଦେଖିଲା ଶ୍ରୀକ୍ଷେତ୍ରରେ ସାମାଜିକ ଶୃଙ୍ଖଳା । ଇତିହାସ ରଚିଛି ଏଥରକ ରଥଯାତ୍ରା ।
ଆଜି ଶ୍ରୀବିଗ୍ରହଙ୍କ ପହଣ୍ଡି ପାଇଁ ଠିକ ସମୟରେ ବିଜେ କାହାଳି ବାଜି ଉଠିିଥିଲା । ସିଂହଦ୍ୱାରରେ କିନ୍ତୁ ନଥିଲା ଭକ୍ତଙ୍କ ଭିଡ଼ । କରୋନା କଟକଣା ନିରବତା ବଡ଼ଦାଣ୍ଡରେ ରାଜୁତି କରୁଥିଲା । ସକାଳ ସାତଟା ୧୫ ମିନିଟରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ବଢ଼ି ପହଣ୍ଡି ଆରମ୍ଭ ହୋଇଥିଳା । ରଥ ଗଡିବା ବେଳେ ବଡ଼ଦାଣ୍ଡରେ ଥିଲା ନିରବତା । ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ପ୍ରତ୍ୟେକ ରଥକୁ ୫୦୦ ଲୋକ ଟାଣିବେ । ସାମାଜିକ ଦୂରତା ରକ୍ଷା କରାଯିବ । ତଦନୁସାରେ ରଥ ଦଉଡ଼ି ଟାଣିବା ଏବଂ ରଥ ପଛ ପାଖରୁ ଠେଲିବା ସେବାୟତ, କର୍ମଚାରୀଙ୍କ ସଂଖ୍ୟା ସୀମିତ ଥିଲା । ରଥ ଉପରେ ବିଧି ଓ ଘୋଷଣା ମୁତାବକ ସେବକ, ଘଣ୍ଟୁଆ, ଡାହୁକ, କାହାଳିଆ ରହିଥିଲେ । କୋର୍ଟ ଆଦେଶ ମୁତାବକ ପ୍ରତ୍ୟେକ ରଥ ଏକ ଘଣ୍ଟା ଅନ୍ତରରେ ଟଣା ଯାଇଥିଲା । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପୂର୍ବାହ୍ନ ୧୧ଟା ୫୫ ମିନିଟ, ମା ସୁଭଦ୍ରାଙ୍କ ରଥ ୧୨ଟା ୫୫ ମିନିଟ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗୋଟାଏ ୫୫ ମିନିଟରେ ଟଣା ଆରମ୍ଭ ହୋଇଥିଲା । ବଡ଼ଦାଣ୍ଡ ଅତିକ୍ରମ କରିବାକୁ ପ୍ରତ୍ୟେକ ରଥକୁ ପାଖାପାଖି ତିନି ଘଣ୍ଟା ସମୟ ଲାଗିଥିଲା । ତାଳଧ୍ୱଜ ରଥ ତିନିଟା ୨୫ ମିନିଟ, ଦର୍ପଦଳନ ରଥ ଚାରିଟା ୧୧ ମିିନିଟ ଆଉ ନନ୍ଦିଘୋଷ ରଥ ପାଞ୍ଚଟା ୨୦ ମନିଟରେ ଶରଧାବାଲି ପହଞ୍ଚିଥିଲା ।
ପହଣ୍ଡି ବିଜେ ବିଧି ଆରମ୍ଭ ହେବା ପୂର୍ବରୁ ଶ୍ରୀମନ୍ଦିରରେ ଭୋର ୪ଟା ୨୫ ମିନିଟରୁ ମଙ୍ଗଳାଳତିରୁ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି । ଏହା ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପ୍ରଭୁଙ୍କ ବେଶ ହୋଇ ବଲ୍ଲଭ ଆଉ ସକାଳ ଧୂପ ବଢ଼ିଥିଲା । ସିଂହଦ୍ୱାରେ ରଥ ପ୍ରତିÂା ନୀତି ବଢ଼ିବା ଭିତରେ ପହଣ୍ଡି ପାଇଁ ମଙ୍ଗଳାର୍ପଣ ସକାଳ ୭ଟା ୧୫ ମିନିଟରେ ଶେଷ ହୋଇଥିଲା । ସକାଳ ସାତଟା ୨୫ ମିନିଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୯ଟା ୧୦ ମିନିଟରେ ଶେଷ ହୋଇଥିଲା । ସାଢେ଼ ନଅଟାରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ରଥାରୁଢ଼ ହୋଇଥିଲେ । ଏହା ଭିତରେ ଚିତା ଲାଗି, ଠାକୁରଙ୍କ ରୁନ୍ଧା ଆଦି ନୀତି ରଥ ଉପରେ ସମ୍ପନ୍ନ ହୋଇଥିଲା ।
ପହଣ୍ଡି ନୀତି ବଢ଼ିବା ପରେ ପରେ ଗଜପତି ମହାରାଜାଙ୍କ ଛେରାପହଁରା ପ୍ରସ୍ତୁତି ହୋଇଥିଲା । ତାମଯାନ ବିଜେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଚକଡାରେ ପହଞ୍ଚି ଛେରା ପହଁରା ରାଜନୀତି, ପୂଜାର୍ଚ୍ଚନା ଆଉ ଆଳତି ନୀତି ପୂର୍ବାହ୍ନ ୧୦ଟା ୫୫ ମିନିଟରେ ସମ୍ପନ୍ନ କରିଥିଲେ । ଏହି ସମୟ ମଧ୍ୟରେ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥର ଚାରମାଳ ଫିଟା ଯାଇଥିଲା । ତା ପରେ ମା’ ସୁଭ୍ରଦ୍ରାଙ୍କ ଦର୍ପଦଳନ ଆଉ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ ପର୍ଯ୍ୟାୟକ୍ରମେ ଚାରମାଳ ଫିଟା ଯାଇ ଘୋଡ଼ାବନ୍ଧା ଯାଇ ରଥ ଟଣା ହୋଇଥିଲା । ତିନି ରଥ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାାବାଲିରେ ଲାଗିଥିଲେ । ଶରଧାବାଲିରେ ବି ନିରବତା ବିରାଜୁଛି ।
ଉଲ୍ଲେଖନୀୟ କୋଭିଡ୍ ସଂକ୍ରମଣ ଆଶଙ୍କାରେ ସୁପ୍ରିମକୋର୍ଟ ରଥାଯାତ୍ରା ପାଳନ କରିବାକୁ ୧୧ଟି ସର୍ତ୍ତ ରଖିଥିଲେ । ଅଦାଲତଙ୍କ ଅନୁମତିର ମାତ୍ର କିଛି ଘଣ୍ଟା ମଧ୍ୟରେ ପୁରୀରେ ରଥଯାତ୍ରା ଆୟୋଜନ ଗତି ଧରିଥିଲା । କୋର୍ଟ ସର୍ତ୍ତ ରଖିଥିଲେ ବିନାଭକ୍ତରେ ବଡ଼ଦାଣ୍ଡରେ ରଥ ଟଣାଯିବ । କୋଭିଡ୍ କଟକଣାକୁ ପ୍ରଶାସନ କଡାକଡି ଭାବେ ପାଳନ କରିବ । କୋର୍ଟ ଅନୁମତି ପରେ ଦାରୁ ଦେବତା ନବଦିନ ଯାତ୍ରାରେ ବାହାରିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons