ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତାକୁ ନେଇ ଆଜି କଂଗ୍ରେସ ସମେତ ରାଜ୍ୟର ୧୩ଟି ରାଜନୈତିକ ଦଳ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଲାବନ୍ଦ ଯୋଗୁ ରାଜ୍ୟ ତଥା ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଏଥିସହ ଦେଶରେ କୋଭିଡ୍ ଟେଷ୍ଟିଂ ହାର ଯଥେଷ୍ଟ କମ ରହିଥିବାରୁ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି ବୋଲି ରାଜନୈତିକ ଦଳଗୁଡିକ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ । ଏହା ସହ ଦୁର୍ଦ୍ଧଶା ଭୋଗୁଥିବା ପ୍ରବାସୀ ତଥା ଆୟକର ପରିସରଭୁକ୍ତ ହୋଇ ନଥିବା ପରିବାରକୁ ମାସିକ ୭,୫୦୦ ଟଙ୍କା ଦେବାକୁ ଦାବି ରଖିଛନ୍ତି । ଏନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି, ଆମେ ସମସ୍ତେ ଏକ ସ୍ୱର ନିମ୍ନ ଦାବିକୁ ଭିତ୍ତି କରି ୧୩ଟି ରାଜନୈତିକ ଦଳ ଏକତ୍ରିତ ହୋଇଛୁ । ଆମେ ବିଚାର କରୁଛୁ କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଲୋକଙକ ଗଣତାନ୍ତ୍ରିକ ଅଧିକାରକୁ ସଙ୍କୁଚିତ କରିବା ପାଇଁ ଲକ୍ଡାଉନ୍ ଓ ଶଟ୍ଡାଉନ୍କୁ ବ୍ୟବହାର କରାଯାଉଛି । ଲକ୍ଡାଉନ୍ କେବେ ହେଲେ କୌଣସି ରୋଗର ଔଷଧ ନୁହେଁ । ଯେତିକି କରୋନା ପରୀକ୍ଷା ହେବା କଥା ସେତିକି ହେଉ ନାହିଁ । କେନ୍ଦ୍ର ସରକାର କହିଲେ, କରୋନା ଲକ୍ଷଣ ନଥିଲେ ଟେଷ୍ଟ କର ନାହିଁ, ତାହା ଠିକ୍ କଥା ନୁହେଁ । ସମସ୍ତଙ୍କ ଟେଷ୍ଟ ନିମନ୍ତେ ଦାବି କରାଯାଉଛି । ଏଥିସହ ଲୋକଙ୍କ ଭିତରେ ଯେଉଁ ଆର୍ଥିକ ଦୁଃସ୍ଥିତି ଦେଖାଦେଇଛି ତାହାକୁ ଦୂର କରିବାକୁ ତୁରନ୍ତ ପଦକ୍ଷେପ ନିଆଯାଉ । ପ୍ରତ୍ୟେକ ପରିବାରକୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ମୁଣ୍ଡ ପିଛା ୧୦ କିଲୋ ଚାଉଳ କିମ୍ବା ଗହମ ମାଗଣାରେ ଦିଆଯାଉ । ୧୪ ଦିନ କ୍ୱାରେଣ୍ଟାଇନ୍ ଶେଷ କରିଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଦିଆଯାଉ । ଏଥିସହ ପିପିଇ , ମାସ୍କ , ସାନିଟାଇଜ୍ କିଣାରେ ହୋଇଥିବା ଦୁର୍ନୀତି ବିରୋଧରେ ସରକାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ମଧ୍ୟ ରାଜନୈତିକ ଦଳଗୁଡିକ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.