ବନ୍ତଳା,(ବି.ବି.ନୁ୍ୟଜ୍): ସାତକୋଶିଆ ଅଭୟାରଣ୍ୟରେ ମୁକ୍ତ ଭାବରେ ବୁଲୁଥିବା ବୃଦ୍ଧା ମହାବଳ ବାଘୁଣୀର ଚିକିତ୍ସା ବନବିଭାଗର ଚିନ୍ତା ବଢ଼ାଇ ଦେଇଛି । ବାଘୁଣୀ ଲାଞ୍ଜରେ ଦୀର୍ଘ ଦିନ ହେଲାଣି ଏକ ଘା’ ହୋଇଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ବାଘୁଣୀକୁ କାବୁ କରି ଚିକିତ୍ସା କରିବା କାଠିକର ପାଠ ହୋଇଥିବାରୁ ଯନ୍ତା ପକାଇବାକୁ ବନବିଭାଗ ରଣନୀତି ପ୍ରସ୍ତୁତ କରିଛି । ହେଲେ ପ୍ରାୟ ଏକ ସପ୍ତାହ ହେଲାଣି ବାଘୁଣୀ ଯନ୍ତାକୁ ଗଡ଼ୁନାହିଁ । ବଣୁଆ ବାଘୁଣୀକୁ ଧରିବା ବନ ବିଭାଗ ପାଇଁ ଚ୍ୟାଲେଂଜ୍ ସୃଷ୍ଟି କରିଛି ।
ହେଲେ, ଏନ୍କ୍ଲୋଜର୍ ମଧ୍ୟରେ ଥିବା ବାନ୍ଧବଗଡ଼ର ମହାବଳ ‘ସୁନ୍ଦରୀ’ ନିକଟତର ହେଉଛି ବୃଦ୍ଧା ବାଘୁଣୀ । ଏନ୍କ୍ଲୋଜର ନିକଟକୁ ଆସୁଛି, ମୋଟୀ ‘ସୁନ୍ଦରୀ’କୁ ଦେଖି ଗର୍ଜନ କରୁଛି । ପାଖାପାଖି ହେଉଛନ୍ତି । ଏପରିକି ଏନ୍କ୍ଲୋଜର ଆଡ଼କୁ ଲମ୍ଫ ମାରୁଛି ବାଘୁଣୀ । କିନ୍ତୁ ଏନ୍କ୍ଲୋଜର ପାଖରେ ବନ ବିଭାଗର ଯନ୍ତାକୁ ମୁହାଁଉନାହିଁ । ବ୍ୟାଘ୍ର ପ୍ରକଳ୍ପ ମୁଖ୍ୟ ତଥା ଅନୁଗୁଳ ଆର୍ସିସିଏଫ୍ ପ୍ରଦୀପ ରାଜ କରାଟ ଏ ପ୍ରସଙ୍ଗରେ କହିଛନ୍ତି, ବାଘୁଣୀର ଚିକିତ୍ସା ପାଇଁ ଦୀର୍ଘ ଦିନହେଲା ଯୋଜନା ପ୍ରସ୍ତୁତ କରିଥିଲେ ବି ବାଘୁଣୀ ଏ ପର୍ଯ୍ୟନ୍ତ ଧରାଦେଇନାହିଁ । ବାଘୁଣୀ ଯନ୍ତାକୁ ଆସୁନାହିଁ । ‘ସୁନ୍ଦରୀ’ ରହିଥିବା ଏନ୍କ୍ଲୋଜର୍ ଚାରିପାଖରେ ଘୂରି ବୁଲୁଛି । ଏନ୍କ୍ଲୋଜର ଭିତରେ ଥିବା ବାଘୁଣୀକୁ ଝାମ୍ପ ମାରୁଛି । ଦୁହେଁ ଗର୍ଜ୍ଜନ କରୁଛନ୍ତି । ଚଳପ୍ରଚଳରୁ ମୂଳ ବାଘୁଣୀର ଅସୁସ୍ଥତା ଜଣାପଡ଼ୁନଥିଲେ ବି ଯେତେ ଜଲ୍ଦି ଚିକିତ୍ସା ହୋଇପାରିବ ବାଘୁଣୀ ପାଇଁ ଭଲ ବୋଲି ଶ୍ରୀ କରାଟେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.