ଭାଇ-ଭଉଣୀକୁ ସ୍କର୍ପିଓ ଚାପିଦେଲା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ରାସ୍ତା କଡ଼ରେ ବସି ଛତୁ ବିକୁଥିଲେ ଭାଇ-ଭଉଣୀ । ଘରେ ମା’କୁ କହି ଆସିଥିଲେ, ରାତିରେ ମାଉଁସ କରିବୁ । ସମସ୍ତେ ମିଳିମିଶି ଖାଇବା । ହେଲେ ଭାଇ-ଭଉଣୀ ଆଉ ଘରକୁ ଫେରିଲେନି । ସ୍କର୍ପିଓ ମାଡ଼ିଯିବାରୁ ଉଭୟଙ୍କର ଜୀବନ ଚାଲିଗଲା । ଘଟଣା ସ୍ଥଳରେ ୧୨ ବର୍ଷୀୟ ଭାଇର ମୃତୁ୍ୟ ହୋଇଥିବା ବେଳେ ମେଡିକାଲ୍ରେ ୭ ବର୍ଷର ଶିଶୁକନ୍ୟା ଆଖି ବୁଜିଥିଲା । ଅନ୍ୟ ଜଣେ ଶିଶୁ ମୃତୁ୍ୟମୁଖରୁ ବର୍ତ୍ତିଗଲେ ସିନା, ଅବସ୍ଥା ଗୁରୁତର ରହିଛି । ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ନିକଟ ଜଙ୍ଗଲ ଜଙ୍ଗଲ ରାସ୍ତାରେ ରବିବାର ଅପରାହ୍ଣରେ ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । ଉତ୍ତ୍ୟକ୍ତ ଲୋକ ରାଜପଥ ଅବରୋଧ କରିଥିଲେ ।

ସ୍ପର୍ପିଓ ଚାପାରେ ମୃତୁ୍ୟ ଘଟିଥିବା ଭାଇ-ଭଉଣୀ ହେଲେ କଙ୍କରେଇ ଗ୍ରାମର ନିରଞ୍ଜନ ବେହେରାଙ୍କ ପୁଅ ନୁଙ୍ଗୁରୁ ଓ ଝିଅ ବୈଶାଖୀ । ଗୁରୁତର ଆହତ ଶିଶୁ ସ୍ଥାନୀୟ ବାବାଜୀ ବେହେରାଙ୍କ ପୁଅ ପପୁ ବେହେରା (୧୨) ବୋଲି ଜଣାପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପପୁର ଚିକିତ୍ସା ଚାଲିଛି । ସେପଟେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଚାଳକ ଫେରାର୍ ଥିବା ବେଳେ ସେଥିରେ ଥିବା ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୪ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅପରାହ୍ଣ ୫ଟାରେ ସ୍ଥାନୀୟ ଲୋକ ଆନେ୍ଦାଳନରୁ ଓହରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ମୃତ ଭାଇ-ଭଉଣୀ କିଛିଦିନ ହେଲା ଜଙ୍ଗଲରୁ ଛତୁ ସଂଗ୍ରହ କରିବା ପରେ ରାସ୍ତା କଡ଼ରେ ବିକ୍ରି କରୁଥିଲେ । ଆଜି ସେମାନଙ୍କ ସହ ଦାଦା ପୁଅ ପପୁ ମଧ୍ୟ ସାମିଲ୍ ହୋଇଥିଲା । ଛତୁ ସଂଗ୍ରହ କରିବା ପରେ କଙ୍କରେଇ ଛକ ନିକଟ ରାସ୍ତା କଡ଼ରେ ବସି ବିକ୍ରି କରୁଥିଲେ । ସେପଟେ ଦୁର୍ଘଟଣା ଘଟାଇଥିବା ସ୍କପିଓ(ଓଆର୍୦୨ବିୱାଇ୮୭୭୮)ଟି ଭୁବନେଶ୍ୱରରୁ ଦେବଗଡ଼ ଅଭିମୁଖେ ଯାଉଥିଲା । ବରଯାତ୍ରୀ ଗାଡ଼ି ହୋଇଥିବାରୁ ଡ୍ରାଇଭରକୁ ମିଶାଇ ୬ ଜଣ ଯୁବକ ନିଶାରେ ଚୁର୍ ଥିଲେ । ମଦ୍ୟପ ଡ୍ରାଇଭର ବିଳମ୍ବ ହେଉଥିବାରୁ ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲା । ସମୟ ପ୍ରାୟ ୨ଟା ବେଳେ କଙ୍କରେଇ ଛକ ନିକଟରେ ଭାରସାମ୍ୟ ହରାଇ ଛତୁ ବିକ୍ରି କରୁଥିବା ୩ ଶିଶୁଙ୍କ ଉପରେ ମାଡ଼ି ଯାଇଥିଲା । ରାସ୍ତାଠାରୁ ପ୍ରାୟ ଶହେ ମିଟର ଜଙ୍ଗଲ ଭିତରକୁ ପଶିଯାଇଥିଲା । ଘଟଣା ସ୍ଥଳରେ ହିଁ ନୁଙ୍ଗୁରର ପ୍ରାଣବାୟୁ ଉଡ଼ିଯାଇଥିଲା । ଗୁରୁତର ବୈଶାଖୀ ଓ ପପୁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଶାଖୀର ମୃତୁ୍ୟ ଘଟିଥିଲା । ସେପଟେ ଦୁର୍ଘଟଣା ଘଟାଇ ସ୍କର୍ପିଓ ଚାଳକ ଫେରାର୍ ହୋଇଯାଇଥିବା ବେଳେ ଲୋକ ଆହତ ହୋଇଥିବା ୫ ଜଣ ବରଯାତ୍ରୀଙ୍କୁ କାବୁ କରି ନେଇଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ସତ୍ତେ୍ୱ ଉତ୍ତ୍ୟକ୍ତ ଲୋକ ଆଖିବୁଜା ମାଡ଼ମାରି ରାଗ ଶୁଝାଇଥିଲେ । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ପହଞ୍ଚି ୫ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଗୁରୁତରମାନେ ହେଲେ, ଭୁବନେଶ୍ୱର ମଞ୍ଚେଶ୍ୱରର ଦୀପକ ଶତପଥୀ (୨୫), ରସୁଲଗଡ଼ର ହରିଶ କୁମାର ଜଗଦେ୍ଧବ ରାୟ (୨୪), ଶ୍ରୀଧର ବାରିକ(୨୩) ଓ ବିଶ୍ୱଜିତ୍ ଜଗଦେ୍ଧବ(୨୩), ଝାରପଡ଼ାର ପ୍ରୀତିଶ୍ କୁମାର ପାଢୀ(୧୯) । ଶ୍ରୀଧରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ପୁଲିସ୍ର ବୁଝାସୁଝା ପରେ ପ୍ରାୟ ୩ ଘଣ୍ଟା ପରେ ରାସ୍ତାରୋକରୁ ଓହରିଥିଲେ ଗ୍ରାମବାସୀ । ପୁଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରିବା ସହ ଦୁଇ ମୃତ ଭାଇ-ଭଉଣୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବାଗାରରେ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons