କାଖରେ ଆଶାବାଡ଼ି, ହାତରେ ଭିକ ମୁଣି

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନ୍ୟୁଜ୍): ଜଙ୍ଘରେ ହୋଇଛି ବିରାଟ ଘା’ । ପ୍ରତିଦିନ ପୂଜ ବାହାରୁଛି । ଅଚଳ ହୋଇପଡିଛି ଗୋଟିଏ ଗୋଡ଼ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଆଶାବାଡ଼ି ଧରି ମାଗିବାକୁ ପଡୁଛି ଭିକ । ଭୋକର ଜ୍ୱାଳା ଆଗରେ ହାର୍ ମାନିଛି ଦେହର ଯନ୍ତ୍ରଣା । ଏଭଳି ଅବସ୍ଥାରେ ୩୫ ବର୍ଷର ଜଣେ ଯୁବତୀ ପ୍ରତିଦିନ ଭିକ ମାଗି ପରିବାର ଚଳାଉଛନ୍ତି । ଆଜି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ଥାନୀୟ ଭଣ୍ଡାରଘରଣୀ ମନ୍ଦିର ନିକଟରେ । ଯୁବତୀ ଜଣଙ୍କ ଥିଲେ ଝରିଗାଁ ବ୍ଲକ୍ ତେନ୍ତୁଳି ଗାଁର ଗୋମତୀ ବୈରାଗୀ । ଦୀର୍ଘ ୪୦ କିଲୋମିଟର ଦୂରରୁ ଆଶାବାଡି ଧରି ବସ୍ରେ ଆସିଥିଲେ ନବରଙ୍ଗପୁର ସହରକୁ । ତା’ପୁଣି କେବଳ ଭିକ ମାଗିବା ପାଇଁ । ସରକାରଙ୍କ ଏତେ ଯୋଜନା ଥାଉ ଥାଉ ଜଣେ ବାପ ଛେଉଣ୍ଡ ଝିଅକୁ ପେଟ ଚାଖଣ୍ଡକ ପାଇଁ ଭିକ ମାଗିବା ପର୍ଯ୍ୟନ୍ତ କଥା ଯିବା ପ୍ରଶାସନର ପାରିବା ପଣିଆ ଉପରେ ଲଗାଇ ଦେଇଛି ବିରାଟ ପ୍ରଶ୍ନବାଚୀ ।
ସହରରେ ଦୋକାନ ଦୋକାନ ବୁଲି ଭିକ ମାଗୁଥିଲେ ଗୋମତୀ । ଦୁଇ କାଖରେ ଥିଲା ଆଶାବାଡି, ଗୋଟିଏ ହାତରେ ଥିଲା ଭିକର ମୁଣି । ଏହା ଦେଖି ଆମ ପ୍ରତିନିଧି ପହଞ୍ଚିଥିଲେ ତାଙ୍କ ପାଖରେ । ବୁଝିବାରୁ ଜଣାପଡିଲା, ୮ ବର୍ଷ ତଳେ ବାପାଙ୍କୁ ହରାଇଥିଲେ ଗୋମତୀ । ଏବେ ପରିବାର କହିଲେ, ସେ ଓ ତାଙ୍କ ମାଆ । ସରକାରଙ୍କ ତରଫରୁ ଭତ୍ତା ଓ ଚାଉଳ ମିଳୁଛି । ଆଜିକାଲିର ମହଙ୍ଗା ଯୁଗରେ ସେତିକିରେ ବଞ୍ଚିବା କଷ୍ଟକର ହୋଇପଡିଛି । ଆଗରୁ ଭିନ୍ନକ୍ଷମ ନଥିଲେ ଗୋମତୀ । କିଛି ବର୍ଷ ତଳେ ହଠାତ୍ ଜଙ୍ଘରେ ଘା’ ହୋଇଗଲା । ନିୟମିତ ପୂଜ ବାହାରିଲା । କୌଣସି ପ୍ରକାରେ ଘା’ ଶୁଖିଲା ନାହିଁ । ଏହାର ପ୍ରଭାବରେ ତାଙ୍କ ବାମଗୋଡ଼ଟି ଅଚଳ ହୋଇଗଲା । ଗରିବ ପରିବାର । ବାଧ୍ୟ ହୋଇ ଗୋମତୀଙ୍କୁ ଆଶାବାଡିର ସହାୟତା ନେବାକୁ ପଡିଲା । ପେଟ ପାଇଁ ଘରୁ ଗୋଡ଼ କାଢିବାକୁ ପଡିଲା । କେତେବେଳେ ପାପଡାହାଣ୍ଡି ତ ଆଉ କେତେବେଳେ ଉମରକୋଟ । ଆଉ କେବେ କେବେ ନବରଙ୍ଗପୁର ଆସିବାକୁ ପଡୁଛି ଭିକ ମାଗିବା ଲାଗି । ଏହି କାରଣରୁ ଆଜି ପର୍ଯ୍ୟନ୍ତ ବାହା ହୋଇପାରିନାହାନ୍ତି ଗୋମତୀ ।
ନଡ଼ା ଛପରର ଘର ଖଣ୍ଡିକରୁ ବର୍ଷା ହେଲେ ପାଣି ଗଳୁଛି । ପଇସା ଅଭାବରୁ ଏହାକୁ ମରାମତି କରିପାରୁନାହାନ୍ତି ଗୋମତୀ । ୨ ପ୍ରାଣୀଙ୍କ ଚଳିବା ଲାଗି ଶେଷରେ ଭିକ୍ଷାବୃତ୍ତିକୁ ଆପଣାଇଛନ୍ତି ସେ । ଅର୍ଥ ଅଭାବରୁ ନିଜ ଚିକିତ୍ସା କରାଇ ପାରିନାହାନ୍ତି । ଜଙ୍ଘରେ ହୋଇଥିବା ଘା’ର ଯନ୍ତ୍ରଣା ଦିନକୁ ଦିନ ବଢିଚାଲିଛି । ବଡ ଡାକ୍ତରଖାନା ଯାଇ ତୁରନ୍ତ ଚିକିତ୍ସା କରିବା ଲାଗି ପରାମର୍ଶ ଦେଇଛନ୍ତି ଡାକ୍ତର । କିନ୍ତୁ ଭାଗ୍ୟର ବିଡମ୍ବନା । ଗୋମତୀଙ୍କ ଏଭଳି ଅବସ୍ଥାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ତୁରନ୍ତ ଆର୍ଥିକ ସହାୟତାର ହାତ ବଢାଇବା ଦରକାର । ତା’ ହେଲେ ଗୋମତୀ ପୁଣିଥରେ ଦୁଇ ଗୋଡରେ ଠିଆ ହୋଇପାରନ୍ତେ ଏବଂ ସ୍ୱାବଲମ୍ବୀ ଜୀବନ ବିତାଇପାରନ୍ତେ । କେବଳ ଦେଖିବାର କଥା, ଜିଲ୍ଲା ପ୍ରଶାସନ ଗୋମତୀଙ୍କ ଆଶାବାଡି ଥିବା ହାତରୁ କେବେ ଭିକର ମୁଣି ଓହ୍ଲାଇବାରେ ସଫଳ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons