କଟକ,(ବି.ବି.ବୁ୍ୟରୋ): କଟକରେ କରୋନା ସଂକ୍ରମଣ ଦିନକୁ ଦିନ ଉଦବେଗଜନକ ସ୍ଥିତି ସୃଷ୍ଟି କରୁଛି । ଆଜି ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ର ଦୁଇ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବଡମ୍ବାରେ ଜଣେ ବ୍ୟାଙ୍କ କ୍ୟାସିୟର୍ ମଧ୍ୟ କରୋନା କବଳରେ ପଡିଛନ୍ତି । ସେହିପରି ଗତକାଲି ପଜିଟିଭ୍ ଚିହ୍ନଟ ହୋଇଥିବା ବଡମ୍ବା ଥାନା ଅଧିକାରୀ କଟକର ସିଡିଏ ଅଞ୍ଚଳରେ ରହୁଥିବାରୁ ସେଠାରେ ଅଞ୍ଚଳବାସୀ ଆଶଙ୍କାରେ ଅଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ବଡମ୍ବା ଟାଉନ୍କୁ ୭୨ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଥିଲା ବେଳେ ସିଡିଏ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସିଏମ୍ସି । ଏଣେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ ମଧ୍ୟ କିଛି ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଥିବା ସୂଚନା ମିଳିଛି ।
ଆଚାର୍ଯ୍ୟ ହରିହର କ୍ୟାନସର୍ ହସ୍ପିଟାଲ୍ରେ କରୋନାକୁ ନେଇ ଆତଙ୍କ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ହସ୍ପିଟାଲ୍ର ଜଣେ ରୋଗୀ କରୋନା ଚିହ୍ନଟ ହେବା ପରେ ଆଜି ଦୁଇ ଜଣ କର୍ମଚାରୀ କରୋନା କବଳରେ ପଡିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଷ୍ଟାଫ୍ ନର୍ସ ଓ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ । ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇ କର୍ମଚାରୀ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁଇ ଜଣଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଅବଶ୍ୟ ଦୁଇ ଆକ୍ରାନ୍ତ ଗଲା ୨୪ ତାରିଖରୁ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ । ତଥାପି ଦୁଇ କର୍ମଚାରୀଙ୍କ ସଂସ୍ପର୍ଶରେ ଅନେକ ରୋଗୀ, ମେଡିକାଲ୍ ଷ୍ଟାଫ୍ ଆସିଥିବାରୁ ଏହାକୁ ନେଇ କ୍ୟାନସର ହସ୍ପିଟାଲ୍ରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘର କିଶନନଗର ରାମକୁମାର ପୁର ଅଞ୍ଚଳରେ । ନିଜ ଭାଇ ବାହାଘର ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରିଛନ୍ତି । ଫଳରେ କିଶନନଗର ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଗତ ୧୯ ତାରିଖରେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ କର୍କଟ ରୋଗୀ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେ ପ୍ରଥମେ ଆଉଟ୍ଡୋରକୁ ଆସିଥିଲେ, ପରେ ତାଙ୍କୁ ୱାର୍ଡକୁ ନିଆଯାଇଥିଲା । ୨୦ ତାରିଖରେ ତାଙ୍କୁ କେମୋ ଦିଆଯାଇଥିଲା । ତେବେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କଠାରୁ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ୨୩ ତାରିଖରେ ସଂପୃକ୍ତ ରୋଗୀ କରୋନା ଆକ୍ରାନ୍ତ ଜଣାପଡିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଆଜି ଚିହ୍ନଟ ହୋଇଥିବା ଦୁଇ କର୍ମଚାରୀ ଗତ ୨୩ ତାରିଖରେ ଚିହ୍ନଟ ହୋଇଥିବା ପ୍ରଥମେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ୨୪ ତାରିଖରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍କୁ ପଠାଇ ଦିଆଯାଇଥିଲା । ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଦୁଇ କର୍ମଚାରୀଙ୍କୁ ନେଇ ହସ୍ପିଟାଲ୍ରେ ଭାଳେଣି ପଡିଗଲାଣି । କାରଣ ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଉକ୍ତ ଦୁଇ କର୍ମଚାରୀ ଡାକ୍ତରଖାନାରେ ରୋଗୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ, ନିଜ ସାଥୀ ସହଯୋଗୀ ସେବିକା ଓ ଡାକ୍ତର, ପିଜି ଛାତ୍ରଙ୍କ ସହ ମିଶିଛନ୍ତି । ଏପରି ସ୍ଥିତିରେ କଣ୍ଟାକ୍ଟ ଟ୍ରେସିଂକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବେ ଆଶଙ୍କାରେ ପଡିଛନ୍ତି । ସମ୍ପୃକ୍ତ ଆକ୍ରାନ୍ତ ଦ୍ୱୟଙ୍କ ସହ ନିକଟରେ କେଉଁମାନେ ଯୋଗାଯୋଗରେ ଆସିଥିଲେ ତାହା ଚିହ୍ନଟ ହୋଇ ନପାରିଲେ ସଂକ୍ରମଣ ବ୍ୟାପିବା ଆଶଙ୍କା ଭୟଙ୍କର ରୂପ ଧାରଣ କରିପାରେ ବୋଲି ଜିଲ୍ଲାର ଜଣେ ବରିÂ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ କ୍ୟାନସର୍ ହସ୍ପିଟାଲରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଯେଉଁ ପ୍ରତିଷେଧକ ପଦକ୍ଷେପ ନେବା କଥା ତାହା ନେଇନାହାନ୍ତି ବୋଲି ଅଭିଯୋଗ ହେଉଛି ।


Comments are closed, but trackbacks and pingbacks are open.