ପିଓକେକୁ ଆଉ ୨୦ ହଜାର ସୈନ୍ୟ ପଠାଇଲା ପାକିସ୍ତାନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ଓ ଭାରତ ମଧ୍ୟରେ ବିବାଦ ବଢ଼ିଚାଲିଥିବା ବେଳେ ପାକିସ୍ତାନ ଏହାର ଫାଇଦା ନେବାକୁ ଷଡ଼୍ୟନ୍ତ୍ର ରଚିଛି । ଚୀନ୍ ସହିତ ଏହା ହାତ ମିଳାଇ ଏବେ ପିଓକେ (ପାକ୍ ଅଧିକୃତ କାଶ୍ମୀର) ଏବଂ ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହଠାତ୍ ସୈନ୍ୟ ଠୁଳ କରିବାରେ ଲାଗିଛି । ନିୟନ୍ତ୍ରଣରେଖା (ଏଲ୍ଓସି) ଠାରୁ କିଛି ଦୂରରେ ପାକିସ୍ତାନ ପାଖାପାଖି ୨୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ କରିଛି । ତେବେ ଭାରତ ଉପରେ ଚାପ ପକାଇବାକୁ ଚୀନ୍ର ଇସାରାରେ ହିଁ ପାକ୍ ଏଭଳି ପଦକ୍ଷେପ ନେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
ଗୋଟିଏ ପଟେ ବାସ୍ତବ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିବା ବେଳେ ଏପଟେ ଏଲ୍ଓସିରେ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ପାକିସ୍ତାନ ଉଦ୍ୟମ ଆରମ୍ଭ କରିଦେଇଛି । ଅଧିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପିଓକେକୁ ପଠାଇଛି । ଭାରତ ବିରୋଧରେ ଏବେ ପାକ୍-ଚୀନି ଭାଇ-ଭାଇ ସାଜିଛନ୍ତି ।
ଏହାବ୍ୟତୀତ ଜମ୍ମୁ-କାଶ୍ମୀରରେ ହିଂସା ବୃଦ୍ଧି ପାଇଁ ଚୀନ୍ ଏବେ ଆଉ ଏକ ଷଡ଼୍ୟନ୍ତ୍ର ରଚୁଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି । ରିପୋର୍ଟ ମୁତାବକ ଚୀନ୍ର କିଛି ବରିÂ ଅଧିକାରୀ ଏ ବାବଦରେ ଅଲ୍ ବଦର୍ ଆତଙ୍କବାଦୀଙ୍କ ସହ ଆଲୋଚନା କରୁଛନ୍ତି । ସୀମା ଅଞ୍ଚଳରେ ଚୀନ୍ ଓ ପାକିସ୍ତାନ ପରସ୍ପର ସହ ହାତ ମିଳାଇଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି । ଆତଙ୍କବାଦୀଙ୍କ ସହ ପାକିସ୍ତାନର ଭଲ ସମ୍ପର୍କ ଥିବାରୁ ଏହାକୁ ମାଧ୍ୟମ କରି ଚୀନ୍ ସେମାନଙ୍କ ସହାୟତା ନେବାକୁ ଚାହୁଁଛି । ଚୀନ୍ ଇସାରାରେ ହିଁ କାଶ୍ମୀରର ପଶ୍ଚିମ ସୀମାରେ ପରିସ୍ଥିତିକୁ ଅଶାନ୍ତ କରିବା ପାଇଁ ପାକିସ୍ତାନ ସୈନ୍ୟ ମୁତୟନ କରିଛି ।
କୁହାଯାଉଛି ଯେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଯେଉଁ ସଂଖ୍ୟକ ସୈନ୍ୟ ମୁତୟନ କରିଥିଲା, ତାହାଠାରୁ ଏଥର ଅଧିକ ମୁତୟନ କରିଛି । ଭାରତ ସହ ଏବେ ଏହାର କୌଣସି ବିବାଦ ନ ଥିବାବେଳେ ଏଲ୍ଓସିରେ ସୈନ୍ୟ କାହିଁକି ମୁତୟନ କରୁଛି, ତାହା କିଛି ବୁଝାପଡୁ ନାହିଁ । ଏହାଛଡ଼ା ପାକିସ୍ତାନର ଏୟାର ଡିଫେନ୍ସ ରାଡାର ମଧ୍ୟ ପୂରା ଅଞ୍ଚଳ ଉପରେ ନଜର ରଖିଛି । ଏଲ୍ଏସି ଓ ଏଲ୍ଓସିର ଆରପଟେ ସୈନ୍ୟ ସଂଖ୍ୟା ବଢ଼ିଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ନେଇ ଆଶଙ୍କା ରହିଛି । ତେଣୁ ଭାରତକୁ ଏ ସବୁ ସ୍ଥିତିକୁ ଚାହିଁ ପୂର୍ବାପେକ୍ଷା ଅଧିକ ସଜାଗ ରହିବାକୁ ହେବ ।
ସେତିକି ନୁହେଁ, ଭାରତକୁ ଘେରିବା ପାଇଁ ଚୀନ୍ ଏବେ ନେପାଳକୁ ଉସୁକାଉଥିବା ବେଳେ ପାକିସ୍ତାନ ମଧ୍ୟ ଏ ବାବଦରେ ଚୀନ୍କୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କୁ ଦୃଢ଼ ସମର୍ଥନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓଲି ଏବେ ନିଜ ଦଳ ନେପାଳ କମୁ୍ୟନିଷ୍ଟ ପାର୍ଟିରୁ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସେ ଭାରତକୁ ଦୋଷ ଦେଉଛନ୍ତି । ଭାରତ ପାଇଁ ତାଙ୍କ ନିଜ ଦଳ ତାଙ୍କ ବିରୋଧରେ ବିଦ୍ରୋହ କରୁଥିବା ଓଲି ଅଭିଯୋଗ କରିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏହାର ଫାଇଦା ନେଇ ଓଲିଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି । ଭାରତ ବିରୋଧରେ ଆଭିମୁଖ୍ୟ କଠୋର କରିବା ଲାଗି ସେ ଓଲିଙ୍କୁ ଉସୁକାଇବାରେ ଲାଗିଛନ୍ତି । ଏବେ ତାଙ୍କ ସହ ଇମ୍ରାନ୍ ସାମିଲ ହୋଇଛନ୍ତି । ନେପାଳକୁ ହାତ କରି ପାକିସ୍ତାନ ଓ ଚୀନ୍ ଭାରତକୁ ତିନିପଟୁ ଘେରିବାକୁ ଚାହୁଁଛନ୍ତି । ଭାରତର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନେପାଳ ନିଜର ବୋଲି ଦାବି କରୁଥିବା ବେଳେ ଏ ନେଇ ଏକ ମାନଚିତ୍ରକୁ ସଂସଦରେ ପାରିତ କରାଇଛି ।
ଅନ୍ୟପକ୍ଷରେ ଲଦାଖରେ ବଢୁଥିବା ଚୀନ୍ର ଗତିବିଧିକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଡଜନେ ଉଚ୍ଚ ଶକ୍ତିସମ୍ପନ୍ନ ବୃହତ୍ କ୍ଷମତା ଥିବା ଷ୍ଟିଲ୍ ବୋଟ୍ ଲଦାଖକୁ ପଠାଇଛି । ଏହି ଟପ୍-ଅଫ୍ ଲାଇନ୍ ସର୍ଭେଲାନ୍ସ ବୋଟ୍ଗୁଡ଼ିକ ଦ୍ୱାରା ଭାରତୀୟ ସେନା ପାଙ୍ଗୋଙ୍ଗ ସୋ’ଠାରେ ପାଟ୍ରୋଲିଂ କରିବେ । ପୂର୍ବରୁ ଉକ୍ତ ଅଞ୍ଚଳରେ ଚୀନ୍ ସେନାର ଟାଇପ୍ ୯୨୮ ଭାରୀ ଜାହାଜ ଦେଖିବାକୁ ମିଳିଛି । ତେଣୁ ତାହାକୁ ଦୃଷ୍ଟିରେ ରଖି ଭାରତ ଏଭଳି ଜବାବୀ ପଦକ୍ଷେପ ନେଇଛି । ଚୀନ୍ ଓ ଭାରତ ମଧ୍ୟରେ ବିବାଦର ସମାଧାନ ଲାଗି ଆଲୋଚନା ସତ୍ତେ୍ୱ ଉଭୟ ଏଲ୍ଏସି ନିକଟକୁ ଅସ୍ତ୍ରଶସ୍ତ୍ର ପଠାଇବାରେ ଲାଗିଛି । ଆଲୋଚନା ତା’ ବାଟରେ ଥିବା ବେଳେ ପ୍ରସ୍ତୁତି ବି ତା’ ବାଟରେ ଚାଲିଛି । ଗଣମାଧ୍ୟମକୁ ଲୁଚାଇ ଉଭୟ ବୃହତ୍ ସଂଖ୍ୟକ ଆର୍ଟିଲେରି ସୀମା ଅଞ୍ଚଳକୁ ପଠାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।
ଇତିମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ୧୨ ଘଣ୍ଟା ଧରି ସେନାସ୍ତରୀୟ ଆଲୋଚନା ଶେଷ ହୋଇଛି । କିନ୍ତୁ ଏଥିରୁ ସେମିତି କିଛି ଆଖିଦୃଶିଆ ନିର୍ଯାସ ବାହାରି ପାରିନାହିଁ । ଭାରତର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଏବଂ ଚୀନ୍ ପିଏଲ୍ଏର ମୁଖ୍ୟ ମେଜର ଜେନେରାଲ ଲିଉ ଲିନ୍ଙ୍କ ମଧ୍ୟରେ ଏହି ବୈଠକ ବସିଥିଲା । ଲଦାଖସ୍ଥିତ ଏଲ୍ଏସିର କିଛି ସ୍ଥାନରୁ ପର୍ଯ୍ୟାୟ ଭିତ୍ତିରେ ସେନା ଅପସାରଣ ପାଇଁ ଉଭୟ ସହମତ ହୋଇଥିଲେ । ଉଭୟ ସେନା ମଧ୍ୟରେ ଏହା ଥିଲା ତୃତୀୟ ପର୍ଯ୍ୟାୟ କଥାବାର୍ତ୍ତା । ବୈଠକରେ ଗଲୱାନ ଉପତ୍ୟକାରୁ ହଟ୍ ସ୍ପି୍ରଙ୍ଗ୍ସ ଅଞ୍ଚଳ ପର୍ଯ୍ୟନ୍ତ ପାଟ୍ରୋଲ ପଏଣ୍ଟ ୧୪, ୧୫ ଓ ୧୭ଠାରେ ସେନା ଅପସାରଣ ଲାଗି ଉଦ୍ଧିଷ୍ଟ ମାନଦଣ୍ଡ ପାଳନ ପାଇଁ ଉଭୟ ରାଜି ହୋଇଛନ୍ତି । କିନ୍ତୁ ପାଙ୍ଗୋଙ୍ଗ ହ୍ରଦଠାରେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସେମିତି କୌଣସି ସଫଳତା ମିଳିନାହିଁ । ଉଭୟ ପକ୍ଷ ମଧ୍ୟରେ ଏ ନେଇ ସହମତି ହୋଇ ନ ଥିବା ଜାଣିବାକୁ ମିଳିଛି । ପାଙ୍ଗୋଙ୍ଗ ହ୍ରଦଠାରେ ମେ ମାସ ୫ ତାରିଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସାଂଘାତିକ ମୁହାଁମୁହିଁ ହୋଇଥିଲା । ଫଳରେ ଉଭୟ ପକ୍ଷର ସୈନିକ ଗୁରୁତର ଆହତ ହୋଇଥିଲେ । ଜଣେ ଅଧିକାରୀଙ୍କ ମୁତାବକ ପାଙ୍ଗୋଙ୍ଗକୁ ନେଇ ଚୀନ୍ର ପିଏଲ୍ଏ (ପିପୁଲ୍ସ ଲିବରେସନ୍ ଆର୍ମି) କମାଣ୍ଡରମାନେ କୌଣସି ନରମ ମନୋଭାବ ପୋଷଣ କରି ନ ଥିଲେ । ଭାରତ ବି ପଛଘୁଞ୍ଚା ଦେଇ ନ ଥିଲା । ତେଣୁ ଏ ବାବଦରେ ଆହୁରି କଥାବାର୍ତ୍ତା ହେବ ଏବଂ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ଏଲ୍ଏସିଠାରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଲଦାଖ ଗସ୍ତ କରିବେ । ତାଙ୍କ ସହ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରୱଣେ ମଧ୍ୟ ରହିବେ । ଉଭୟ ଲଦାଖରେ ଦେଖାଦେଇଥିବା ସ୍ଥିତିର ସମୀକ୍ଷା କରିବେ । ଏଥିସହ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସେନାସ୍ତରୀୟ ଆଲୋଚନାର ନିର୍ଯାସ ବାବଦରେ ଅବଗତ ହେବେ । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲଦାଖ ଗସ୍ତ ନେଇ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ଗୋଟିଏ ଦିନ ଲାଗିବ । ଚଳିତବର୍ଷ ମେ ମାସଠାରୁ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସ୍ଥିତି କ୍ରମେ ଖରାପ ହେବାରେ ଲାଗିଛି । ମେ ପରଠାରୁ ଉଭୟ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଦେବା ପରେ ମନ୍ତ୍ରୀ ରାଜନାଥଙ୍କର ଏହା ପ୍ରଥମ ଲଦାଖ ଗସ୍ତ ହୋଇଥିବା ବେଳେ ଗତ ସପ୍ତାହକ ମଧ୍ୟରେ ନରୱଣେଙ୍କର ଏହା ଦ୍ୱିତୀୟ ଗସ୍ତ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons