କେନ୍ଦୁଝର,(ବି.ବି.ନ୍ୟୁଜ୍) : କେନ୍ଦୁଝର ସଦରଥାନା ୨୦ ନଂ ଜାତୀୟ ରାଜପଥର ରାଇସୁଆଁ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ସ୍କୁଟି ପଛରେ ଟ୍ରକ୍ ଧକ୍କା ଦେବାରୁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କପଣ୍ଡ ଗ୍ରାମର ସରସ୍ୱତୀ ସେଠୀ(୪୨) ଙ୍କର ମୁଣ୍ଡରେ ଟ୍ରକ୍ ଚକ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ସରସ୍ୱତୀଙ୍କ ମୃତ୍ୟୁ ଘଟିଛି । ସ୍କୁଟି ଚଳାଉଥିବା ସ୍ୱାମୀ ଶୁବନାଥ ସେଠୀ(୫୧) ଏବଂ ସ୍କୁଟିରେ ଥିବା ଝିଅ ନିହାରିକା ପ୍ରିୟ ଦର୍ଶିନୀ ସେଠୀ(୧୭) ମଧ୍ୟ ତଳେ ଛିଟିକି ପଡିଥିଲେ । ଶୁବନାଥଙ୍କ ହାତ, ଗୋଡରେ ଗଭୀର କ୍ଷତ ହୋଇଛି ଏବଂ ଝିଅ ନିହାରିକାଙ୍କର ହାତ ଭାଙ୍ଗି ଶିର କଟିଯାଇଛି । ତେବେ ଝିଅଙ୍କ ସମ୍ମୁଖରେ ମା’ ର ମୃତ୍ୟୁ ଘଟଣା ଉପସ୍ଥିତ ଜନତାଙ୍କ ମନରେ ଆଲୋଡନ ସୃଷ୍ଟି କରିଥିଲା ।
ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କପଣ୍ଡ ଗାଁର ଶୁବନାଥ, ସ୍ତ୍ରୀ ସରସ୍ୱତୀ ଏବଂ ଝିଅ ନିହାରିକା ଜଣେ ସମ୍ପର୍କୀୟଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଝୁମ୍ପୁରା ଥାନା ବାରଖଣ୍ଡିଆ ଅଭିମୁଖେ ବାହାରିଥିଲେ । ବସ୍ରେ ଆସି ଦିନବେଳା କେନ୍ଦୁଝର ନିକଟସ୍ଥ ଶୁବନାଥଙ୍କ ଶ୍ୱଶୁର ଘର ଘୁଟୁର ଗ୍ରାମକୁ ଯାଇଥିଲେ । ସେଠାରୁ ଏକ ସ୍କୁଟି ନଂ ଓଡି ୦୯ ଇ ୨୨୯୪ ଯୋଗେ ବାପା, ମା’ ଏବଂ ଝିଅ କେନ୍ଦୁଝର ଆଡୁ ପଳାଶପଙ୍ଗା ଆଡକୁ ଯାଉଥିବାବେଳେ ୨୦ ନଂ ଜାତୀୟ ରାଜପଥର ରାଇସୁଆଁ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଓଆର ୦୯ କ୍ୟୁ ୪୮୪୫ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ଅନ୍ୟ ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଯାଇ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ବାପା, ମା ଏବଂ ଝିଅ ସ୍କୁଟିରୁ ତଳକୁ ଛିଟିକି ପଡିଥିଲେ । ଟ୍ରକ୍ର ଚକ ସରସ୍ୱତୀଙ୍କ ମୁଣ୍ଡ ଉପରେ ଚଢିଯିବାରୁ ପ୍ରବଳ ରକ୍ତ ସ୍ରାବ ଘଟି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଶୁବନାଥଙ୍କର ଗୋଡ ଏବଂ ହାତରେ ଗଭୀର କ୍ଷତ ଲାଗିଥିବାବଳେ ନିହାରିକାଙ୍କ ହାତ ଭାଙ୍ଗି ଶିର କଟିଯାଇଥିଲା । ବାପ , ଝିଅ ଦୁହେଁ ତଳୁ ଉଠି ରାସ୍ତା ଉପରେ ବସିଥିବାବେଳେ ତାଙ୍କ ସମ୍ମୁଖରେ ସରସ୍ୱତୀଙ୍କ ପ୍ରାଣ ବାୟୁ ଉଡିଯାଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇ ସଦରଥାନା ସବ୍ଇନ୍ସପେକ୍ଟର ବୁଦୁନି ମି ଏବଂ କନେଷ୍ଟବଳ ଜଗବନ୍ଧୁ ରାଉତ ଘଟଣାସ୍ଥଳରେ ପହଞ୍ôଚ ଆହତ ବାପ ଝିଅଙ୍କୁ ଡାକ୍ତରଖାନା ପଠାଇଥିଲେ । ଉଭୟଙ୍କୁ କେନ୍ଦୁଝର ଡାକ୍ତରଖାନା ଅଣାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ମୃତଦେହ ଜବତ କରିଛି । ଏ ସମନ୍ଧରେ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରାଯାଇଛି ଏବଂ ଟ୍ରକ୍ର ଡ୍ରାଇଭରକୁ ଅଟକ ରଖାଯାଇଥିବା ସୂଚନା ଦେଇଛନ୍ତି ସଦରଥାନା ଅଧିକାରିଣୀ ସ୍ମୃତିପ୍ରଭା ପ୍ରଧାନ ।
ତେବେ ୨୦ ନଂ ଜାତୀୟ ରାଜପଥରେ ସବୁଦିନ ଦୁର୍ଘଟଣା ଘଟି ଏହା ମୃତ୍ୟୁର ପଥ ପାଲଟିଥିବା ଆଲୋଚନା ହେଉଛି । ଜାତୀୟ ରାଜପଥ ଅନ୍ତର୍ଗତ ରାଇସୁଆଁ ଥାନାଞ୍ଚଳ ଡେଥ ଜୋନ୍ରେ ପରିଣତ ହେଲାଣି । ମାସକ ମଧ୍ୟରେ ଏହି ଅଞ୍ଚଳରେ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଏବଂ ୨୦ ରୁ ଅଧିକ ଆହତ ହୋଇସାରିଲେଣି । ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକୁ ଚିହ୍ନଟ କରି ଖୁବ୍ଶୀଘ୍ର ବ୍ଲାକ୍ ସ୍ପଟ୍ ଘୋଷଣା କରାଯିବା ନିମନ୍ତେ ସାଧାରଣରେ ଦାବି ହେଉଛି ।
Comments are closed, but trackbacks and pingbacks are open.