ବୋହିଗଲା ଭାବର ପଣା

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶୁକ୍ରବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କ ଅଧର ନୀତି ସମ୍ପନ୍ନ ହୋଇଛି । ରଥାରୁଢ ଶ୍ରୀବିଗ୍ରହଙ୍କୁ ଅଧର ପଣା ଭୋଗ ଲାଗିଛି । ଦିଅଁମାନଙ୍କ ଅଧର ଉଚ୍ଚା ତୁମ୍ୱାକୃତି ୯ଟି ମାଟି ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଅର୍ପଣ ହୋଇଥିଲା । ଏହାପରେ ରଥ ଉପରେ ହାଣ୍ଡିଗୁଡିକ ଭଙ୍ଗାଯାଇଥିଲା । ଅଶରୀରଙ୍କ ଉଦେ୍ଧଶ୍ୟରେ ଏହି ପଣା ସମର୍ପଣ ହେଉଥିବା କୁହାଯାଏ ।
ରଥର ପାଶ୍ୱର୍ଦେବତା ଓ ଅନ୍ୟାନ୍ୟ ଦେବଦେବୀ ତଥା ଚଣ୍ଡିଚାମୁଣ୍ଡାଙ୍କ ଉଦେ୍ଧଶ୍ୟରେ ଅଧର ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଏ । ଠାକୁରଙ୍କୁ ପୂଜା ହୋଇଥିବା ପଣା ପାଇଲେ ସେମାନେ ସନ୍ତୁଷ୍ଟ ହେଉଥିବା ବିଶ୍ୱାସ ରହିଛି । ଆଜି ରଥରେ ଅଧର ନୀତି ଶେଷ ବେଳକୁ ହୋଇଥିଲା ରାତି ୮ଟା ୧୫ ମିନିଟ୍ ।
ସକାଳେ ତିନି ରଥରେ ମଙ୍ଗଳ ଆଳତି ହେବା ପରେ ଅବକାଶ ହୋଇ ବେଶ ଶେଷ ହୋଇଥିଲା । ଗୋପାଳବଲ୍ଲଭ ନୀତି ବଢି ସକାଳଧୂପ ହୋଇଥିଲା । ପରେ ବେଶ ମଇଲମ ହୋଇ ମହାସ୍ନାନ ଓ ସର୍ବାଙ୍ଗ ବଢିଥିଲା । ପୁନର୍ବାର ବେଶଶେଷ ହୋଇ ମଧ୍ୟାହ୍ନ ଧୂପ ବଢିଥିଲା । ପରେ ଅଧର ପଣା ପାଇଁ ପ୍ରସ୍ତୁତି ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ, ରାଘବାଦାସ ମଠ ଓ ବଡ଼ଓଡିଆ ମଠ ତରଫରୁ ଯୋଗାଯାଇଥିବା ୯ଟି ମାଟି ହାଣ୍ଡିକୁ ରଥ ଉପରକୁ ଅଣାଯାଇଥିଲା । ଛାଚି, ସର, ଛେନା, କଦଳୀ, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳ ପଡି ଏହି ପଣା ତିଆରି ହୋଇଥିଲା ।
ପାଣିଆ ଆପଟ ସେବକମାନେ ପାଣି ଆଣି ରଥ ଉପରେ ଥିବା ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥିଲେ । ପରମ୍ପରା ମୁତାବକ ମାଟି ପାତ୍ର ଉପରେ ଧଳା କରିଆ ଗାମୁଛା ମାନ ରଖି ମହାସୁଆର ସେବକମାନେ ପଣା ପ୍ରସ୍ତୁତ କରିଥିଲେ । ଭିତରଛ, ତଳୁଛ ଓ ପୁଷ୍ପାଳକ ସେବକମାନେ ଠାକୁରଙ୍କ ଅଧର ଆଗରେ ନୂଆ ଗାମୁଛା ଟେରା (ଆଢୁଆଳ) କରି ରଖିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା’ କରିଥିଲେ । ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ଠାକୁରମାନଙ୍କୁ ପୂଜା କରିଥିଲେ । ଏହାପରେ ଯଥାବିଧି ହାଣ୍ଡି ଗୁଡିକୁ ଭଙ୍ଗାଯାଇଥିଲା । ପରେ ପଣା ସଂଗ୍ରହ ପାଇଁ ପ୍ରତିଯୋଗିତା ଲାଗିଥିଲା । ଚଳିତ ବର୍ଷ ଏହି ନୀତି ସ୍ୱଚକ୍ଷୁରେ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ । ପ୍ରତି ରଥରେ ତିନୋଟି କରି ମାଟିହାଣ୍ଡିରେ ଠାକୁରଙ୍କୁ ଅଧର ପଣା ଅର୍ପଣ କରାଯାଏ । ଚଳିତ ବର୍ଷ ଶ୍ରୀବଳଭଦ୍ରଙ୍କ ସମ୍ମୁଖରେ ଥିବା ମଝି ହାଣ୍ଡି ଭାଙ୍ଗି ଯାଇଥିଲା । ପୂଜା ସମ୍ପନ୍ନ ହେବା ପୂର୍ବରୁ ଏହି ଅଘଟଣ ଘଟିଥିଲା । କେବଳ ହାଣ୍ଡି ଚକି ରହିଥିବାବେଳେ ଉପରୁ ୮୦ ଭାଗ ହାଣ୍ଡି ଭାଙ୍ଗି ପଡ଼ିଥିଲା । ଏକ ମିଳା ହାଣ୍ଡିରେ ପଣା ପ୍ରସ୍ତୁତ ହୋଇଥିବାରୁ ଏଭଳି ଘଟିଥିବା କୁହାଯାଉଛି । ପୁଣି କିଛି ଲୋକଙ୍କ କହିବା କଥା ‘କରୋନା’ ଶାନ୍ତି ପାଇଁ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons