ଅଧରାତିରେ ଘରେ ପଶି ଦୁର୍ବୃତ୍ତଙ୍କ ଆତଙ୍କ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରବିବାର ବିଳମ୍ବିତ ରାତିରେ ଇନ୍ଫୋସିଟି ଥାନା ଅନ୍ତର୍ଗର୍ତ କଳାରାହାଙ୍ଗ ଦ୍ୱାରିକା ବିହାରରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି । କବାଟ ଭାଙ୍ଗି ଘରେ ପଶି ଶ୍ରମିକ ନେତା ଯତିକାନ୍ତ ବେହେରା ଓ ତାଙ୍କ ପୁଅଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ପକାଇଛନ୍ତି । ପ୍ରାୟ ୨ ଘଣ୍ଟା କାଳ ଦୁର୍ବୃତ୍ତମାନେ ତାଙ୍କ ଘରେ ଆତଙ୍କ ଚଳାଇ ଚମ୍ପଟ ମାରିଛନ୍ତି । ଖବରପାଇ ଇନ୍ଫୋସିଟି ଥାନା ପୁଲିସ ଗୁରୁତର ଅବସ୍ଥାରେ ବାପା-ପୁଅଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ କେଉଁ ଉଦ୍ଦେଶ୍ୟରେ ଶ୍ରମିକ ନେତାଙ୍କୁ ଆକ୍ରମଣ ହେଲା ତାହା ସ୍ପଷ୍ଟ ହେଇନାହିଁ । ଡକାୟତି ଉଦ୍ଦେଶ୍ୟ କି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ପ୍ରାଣାନ୍ତକ ଆକ୍ରମଣ ହୋଇଛି ସେ ନେଇ ପୁଲିସ ତନାଘନା ଚଳାଇଛି । ହେଲେ ଆକ୍ରମଣକାରୀଙ୍କ ବିଷୟରେ ପୁଲିସ କିଛି ବି ସୁରାକ୍ ପାଇନାହିଁ ।
ଘଟଣାରୁ ଜଣାଯାଇଛି, କଳାରାହାଙ୍ଗ ଦ୍ୱାରିକା ବିହାରରେ ପାରାଦୀପ ଡକ୍ ଏଣ୍ଡ୍ କନ୍ଷ୍ଟ୍ରକ୍ସନ ୟୁନିଅନର ସମ୍ପାଦକ ଯତିକାନ୍ତ ବେହେରା ସପରିବାର ରହୁଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ୮ ଜଣ ଦୁର୍ବୃତ୍ତ ତାଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ । ପ୍ରଥମେ ସେମାନେ ଯତିକାନ୍ତଙ୍କୁ ଖଣ୍ଡାରେ ଚୋଟ ପକାଇଥିଲେ । ଯତିକାନ୍ତ ଦୁର୍ବୃତ୍ତଙ୍କ ସହ ଲଢ଼ିବାରୁ ସେମାନେ ତାଙ୍କ ହାତଗୋଡ଼ ବାନ୍ଧି ହାଣିଥିଲେ । ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପ୍ରତିବାଦ କରିବାରୁ ତାଙ୍କ ଗୋଡ଼ହାତ ମଧ୍ୟ ବାନ୍ଧି ମାଡ଼ ମାରିଥିଲେ । ଯତିକାନ୍ତ ଚିକ୍ରାର କରିବାରୁ ସେମାନେ ତାଙ୍କ ପାଟିରେ ଗାମୁଛା ଭର୍ତ୍ତି କରି ଦେଇଥିଲେ । ଶବ୍ଦ ଶୁଣି ଉପର ମହଲାରେ ଶୋଇଥିବା ତାଙ୍କ ପୁଅ ଶିବାଶିଷ ଆସି ଦେଖିବା ବେଳକୁ ଦୁର୍ବୃତ୍ତମାନେ ବାପା-ମା’ଙ୍କୁ ଆକ୍ରମଣ କରୁଛନ୍ତି । ତେଣୁ ସେ ଆକ୍ରମଣକାରୀଙ୍କ ସହ ଲଢ଼ିଥିଲେ । ହେଲେ ସେମାନେ ତାଙ୍କୁ ମଧ୍ୟ ଅତି ନୃଶଂସ ଭାବେ ହାଣି ପକାଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ଆତଙ୍କ ଖେଳାଇଥିଲେ । ବାପା-ପୁଅ ଗୁରୁତର ଅବସ୍ଥାରେ ଚେତା ହରାଇ ପଡ଼ିଯିବା ଦେଖି ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ । ଭୋର ସମୟରେ ଜ୍ୟୋତ୍ସ୍ନାରାଣୀଙ୍କ ଚିକ୍ରାର ଶୁଣି ପାଖପଡ଼ୋଶୀ ଉଠି ଆସିଥିଲେ । ଏଭଳି ଅବସ୍ଥା ଦେଖି ସେମାନେ ଇନ୍ଫୋସିଟି ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଦେଖିଥିଲା ଘର କାନ୍ଥସାରା ରକ୍ତର ଛିଟା ପଡ଼ିଛି । ଯତିକାନ୍ତ ଓ ପୁଅ ଶିବାଶିଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି । ପୁଲିସ ସଙ୍ଗେ ସଙ୍ଗେ ଉଭୟଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା ।
ଯତିକାନ୍ତଙ୍କ ଘରୁ କୌଣସି ଜିନିଷ ଲୁଟ୍ପାଟ ହୋଇ ନଥିବା ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି କହିଛନ୍ତି । ତେବେ କେଉଁ କାରଣରୁ ଶ୍ରମିକ ନେତା ଯତିକାନ୍ତ ଓ ତାଙ୍କ ପରିବାରକୁ ପ୍ରାଣାନ୍ତକ ଆକ୍ରମଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons