ସଂଗରୋଧ କେନ୍ଦ୍ରରୁ ଫେରିଲେ ଶତାଧିକ ଲୋକ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡର ସିରିଝୋଲି ପଞ୍ଚାୟତରେ କାୟା ବିସ୍ତାର କରିଚାଲିଛି କରୋନା । ଏହି ପଞ୍ଚାୟତରେ ଆଜିସୁଦ୍ଧା ୯୧ ଜଣ ସଂକ୍ରମିତ ହେଲେଣି । ସେମାନଙ୍କ ମଧ୍ୟରୁ ଶୁକ୍ରବାର ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି ୭୫ ଜଣ । ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଯେଉଁଭଳି ବ୍ୟବସ୍ଥା କରାଯିବା କଥା, ତାହା ହୋଇନି । କୁଜେନ୍ଦ୍ରି ସଂଗରୋଧ କେନ୍ଦ୍ରରେ ହୋଇଛି ବ୍ୟାପକ ଅବ୍ୟବସ୍ଥା । ପିଇବାକୁ ପାଣି ମୁନ୍ଦିଏ କିମ୍ବା ଖାଇବାକୁ ଭାତ ମୁଠାଏ ଦିଆଗଲାନି । ଦିନତମାମ ଅପେକ୍ଷା କରିବା ପରେ ବି ସଂଗ୍ରହ କରାଗଲାନି ସ୍ୱାବ୍ । ଶେଷରେ ଶତାଧିକ ଲୋକ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରି ଚାଲି ଚାଲି ଘରକୁ ପଳାଇଗଲେ ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଏହି ପଞ୍ଚାୟତରେ କରୋନା ସଂକ୍ରମିତ ହୋଇଥିବା ୭୫ ଜଣଙ୍କ ମଧ୍ୟରୁ ନିର୍ଦ୍ଧିଷ୍ଟ କେତେଜଣ ସୁପର ସ୍ପେ୍ରଡର ହୋଇପାରନ୍ତି ବୋଲି ସନେ୍ଦହ କରାଯାଇଥିଲା । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିଥିଲା ପ୍ରଶାସନ । ଆଜି ସକାଳୁ ସିରିଝୋଲି ଓ ରେଙ୍ଗଳପଦର ଗାଁରୁ ଶତାଧିକ ଲୋକଙ୍କୁ ବସ୍ ଯୋଗେ ରାମନାଗୁଡା ବ୍ଲକର କୁଜେନ୍ଦ୍ରି ସଂଘରୋଧ କେନ୍ଦ୍ରକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ବହୁ ବୃଦ୍ଧ, ମହିଳା ଓ ଶିଶୁ । ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଖାଇବାକୁ ଦିଆଯାଇନଥିଲା । ପାଣି ଟୋପାଏ ପାଇଁ ଲୋକେ ନାହିଁନଥିବା ହଇରାଣ ହୋଇଥିଲେ । ସବୁଠୁ ବଡ଼ କଥା ହେଲା, ଉକ୍ତ କେନ୍ଦ୍ର ଦାୟିତ୍ୱରେ କେହି ନଥିଲେ । ଦିନତମାମ ଅପେକ୍ଷା କରି ରହିଥିଲେ ଲୋକେ । ଏତେ ସଂଖ୍ୟାରେ ଲୋକଙ୍କୁ ନିଆଯାଇଥିଲେ ବି ସେମାନଙ୍କ ଭିତରେ ସାମାଜିକ ଦୂରତା ରକ୍ଷା କରିବା କିମ୍ବା ମାସ୍କ ପିନ୍ଧାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଅନ୍ୟପକ୍ଷରେ ଲୋକେ ବହୁସମୟ ଧରି ଜଗିଥିଲେ ବି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇନଥିଲା । ଅପରାହ୍ନରେ ସ୍ୱାବ ସଂଗ୍ରହ ପାଇଁ ଏକ ଦଳ ଆସିଥିଲେ ହେଁ କୁଜେନ୍ଦ୍ରିର ଜନସାଧାରଣ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଗାଁରେ ସ୍ୱାବ ସଂଗ୍ରହ ଓ ପରୀକ୍ଷା ନ କରିବା ଲାଗି ଦାବି କରିଥିଲେ । ଏସବୁ ଦେଖି ସ୍ୱାବ ସଂଗ୍ରହକାରୀ ଦଳ କୁଜେନ୍ଦ୍ରିରୁ ଡମ୍ବସରା ସଂଘରୋଧ କେନ୍ଦ୍ରକୁ ଚାଲିଯାଇଥିଲେ ।
ଏତେସବୁ ଅବ୍ୟବସ୍ଥା ପରେ ବି କୌଣସି ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ନଥିଲେ । ଶେଷରେ ବିରକ୍ତ ହୋଇ ଶତାଧିକ ଲୋକ ଚାଲି ଚାଲି କୁଜେନ୍ଦ୍ରିରୁ ସିରିଝୋଲି ଅଭିମୁଖେ ଫେରିଥିଲେ । ରାସ୍ତାରେ ଭୀଷଣ ବର୍ଷା ହେବାରୁ ସମସ୍ତେ ଭିଜି ଭିଜି ଘରେ ପହଞ୍ଚିଥିଲେ । ଏମିତି ଅବ୍ୟବସ୍ଥା ପରେ ସିରିଝୋଲି ଏବଂ ପଗଡବିଲି ଗାଁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସ୍ୱାବ ସଂଗ୍ରହ ଲାଗି ଆଉ କୌଣସି କେନ୍ଦ୍ରକୁ ଯିବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି । କେତେକ ସୁପର ସ୍ପେ୍ରଡରଙ୍କ ପାଇଁ ଏହି ଲୋକଙ୍କ ଭିତରୁ କେହି ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନେ୍ଦହ କରିଥିଲା ପ୍ରଶାସନ । କିନ୍ତୁ ସଂଗରୋଧ କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଆଗାମୀ ଦିନରେ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଆଲୋଚନା ହେଉଛି । କାରଣ ଏହି ଲୋକମାନେ କୁଜେନ୍ଦ୍ରି, ଗୁଲୁମୁଣ୍ଡା, ଆଚପା ରାସ୍ତାଦେଇ ଫେରିଥିଲେ । ରାସ୍ତାରେ ସେମାନେ ବିଭିନ୍ନ ଦୋକାନରେ କିଣାକିଣି କରିଥିଲେ । ଏସବୁ ପରେ କିଏ କାହା ସମ୍ପର୍କରେ ଆସିଲା, ତାହା ଜାଣିବା ମୁସ୍କିଲ ହେବ । ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, ଏହି ଲୋକମାନେ କୁଜେନ୍ଦ୍ରିରେ ମାତ୍ର ଘଣ୍ଟାଏ ରହିଥିଲେ । ସେମାନଙ୍କୁ ବିସ୍କୁଟ ଓ ପାଣି ଦିଆଯାଇଥିଲା । ସେମାନ ତାକୁ ନଖାଇ ଫୋପାଡି ଘରକୁ ପଳାଇଥିଲେ । ଏତେବଡ଼ ସମସ୍ୟା ବେଳେ ସମସ୍ତେ ସହଯୋଗ ମନଭାବ ନରଖିଲେ କରୋନା ମୁକାବିଲା କରିବା ଅସମ୍ଭବ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons