କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ସାରା ବିଶ୍ୱରେ ଏବେ ଆତଙ୍କ ଖେଳାଇଛି ମହାମାରୀ କରୋନା । କରୋନା ସହ ସମସ୍ତେ ଯୁଝି ହେଉଥିବା ବେଳେ କେନ୍ଦ୍ରାପଡ଼ାରେ ଏକ ବୃଦ୍ଧ ଦମ୍ପତି କରୋନା ବିଜୟୀ ହୋଇ ସୁସ୍ଥ ହେବା ଘଟଣା ଅନ୍ୟମାନଙ୍କ ଆଗରେ ଉଦାହରଣ ସୃଷ୍ଟି କରିଛି । ପୂର୍ବରୁ ଅନ୍ୟ ରୋଗ ଥିବା ଲୋକ ବା ବୟୋବୃଦ୍ଧ ଲୋକ କରୋନା ସଂକ୍ରମିତ ହେଲେ ସ୍ଥିତି ଜଟିଳ ହେବାର ଆଶଙ୍କା ରହୁଥିବା ବେଳେ କରୋନାକୁ ମାତ୍ ଦେଇଛନ୍ତି ଏହି ବୟସ୍କ ଦମ୍ପତି । ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟର୍ ଓ ଫେସ୍ବୁକ୍ ଯୋଗେ ସୂଚନା ଦେଇ କହିଛନ୍ତି ଯେ ଏହି ବୃଦ୍ଧ ଦମ୍ପତି ସୁସ୍ଥ ହେବା ଘଟଣା ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ । କରୋନାକୁ ପରାସ୍ତ କରିବାରେ ସେମାନେ ଉଦାହରଣ ହୋଇ ରହିବେ ।
କେନ୍ଦ୍ରାପଡ଼ା ସହର ଉପକଣ୍ଠ ବଗଡ଼ା ଗ୍ରାମର ସୁରେନ୍ଦ୍ର ପତି(୮୫)କିଛି ମାସ ଆଗରୁ ଖାଦ୍ୟପେୟ ଗ୍ରହଣରେ କଷ୍ଟ ଅନୁଭବ କରିଥିଲେ । ଯନ୍ତ୍ରଣା ଲାଗି ରହିବାରୁ ସେ କେନ୍ଦ୍ରାପଡ଼ା ମୁଖ୍ୟାଳୟରେ ଚିକିତ୍ସା କରାଇଥିଲେ ଓ ତାଙ୍କୁ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରକୁ ରେଫର୍ କରାଯାଇଥିଲା । ସେଠାରେ ଯାଇ ପରୀକ୍ଷା କରାଇବାରୁ ଜଣାପଡ଼ିଥିଲା ସୁରେନ୍ଦ୍ରଙ୍କର ଜିହ୍ୱାରେ କର୍କଟ ହୋଇଥିଲା । ସେ ଠିକ୍ରେ ଖାଦ୍ୟ ଗ୍ରହଣ କରି ପାରୁନଥିଲେ । ଖାଇବାରେ ବହୁ ଅସୁବିଧା ହେଉଥିଲା । ସୁରେନ୍ଦ୍ର ସେଠାରେ ଚିକିତ୍ସିତ ହେଉଥିବା ବେଳେ କେନ୍ଦ୍ରରେ ଚିକିତ୍ସାଧୀନ ଜଣେ ରୋଗୀ କରୋନା ପଜିଟିଭ୍ ବାହାରିଥିଲେ । ହସ୍ପିଟାଲ୍ରେ ଥିବା ସମସ୍ତ ରୋଗୀ, ଡାକ୍ତର, କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା । ଯେଉଁଥିରେ ଅନ୍ୟମାନଙ୍କ ସହ ସୁରେନ୍ଦ୍ର କରୋନା ପଜିଟିଭ୍ ବାହାରିଥିଲେ । ସୁରେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ସାବିତ୍ରୀ ପତି(୭୮) ଓ ସାନ ପୁଅ ଅମରେଶ ପତି ମଧ୍ୟ ଥିଲେ । ଯେହେତୁ ସୁରେନ୍ଦ୍ର ପଜିଟିଭ୍ ବାହାରିଥିଲେ ତାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ପତ୍ନୀଙ୍କୁ ବିଦ୍ୟାଧରପୁରସ୍ଥିତ ଟିଏମ୍ସିକୁ ପଠାଇ ଦିଆଯାଇଥିଲା ସଙ୍ଗରୋଧରେ ରହିବାକୁ । ସୁରେନ୍ଦ୍ରଙ୍କ ପାଖରେ କେହି ନଥିବାରୁ ଦେଖାଶୁଣା କରିବାକୁ ପୁଅ ଅମରେଶ ରହିଥିଲେ । ସୁରେନ୍ଦ୍ରଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପାଇଁ । ପରେ ସାବିତ୍ରୀଙ୍କର ସ୍ୱାବ୍ ପରୀକ୍ଷା ପରେ କରୋନା ପଜିଟିଭ୍ ବାହାରିବାରୁ ସେ ମଧ୍ୟ ଉକ୍ତ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାରେ ୧୦ ଦିନ କାଳ ଚିକିତ୍ସାରେ ରହିବା ପରେ ଉଭୟଙ୍କ ସ୍ୱାବ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ତା’ ପରେ ସେମାନେ ଗାଁକୁ ଗତ ୮ ତାରିଖରେ ଫେରି ଗ୍ରାମରେ ଥିବା ଟିଏମ୍ସିରେ ଅତିରିକ୍ତ ୧୦ ଦିନ ରହିଥିଲେ । ଆଜି ୧୦ ଦିନ ଅବଧି ପୂରିବା ପରେ ସେମାନେ ଘରକୁ ଫେରିଛନ୍ତି । ତେବେ ହସ୍ପିଟାଲ୍ରେ ରହିବା ମଧ୍ୟରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରେରଣାଦାୟକ କଥା ସେମାନଙ୍କ ମନୋବଳ ବଢ଼ାଇଥିବା ଉଭୟ କହିଛନ୍ତି । ଧୈର୍ଯ୍ୟ ଓ ସଂଯମ ରଖିବା ସହ ଡାକ୍ତରଙ୍କ କହିବା ମୁତାବକ ଚିକିତ୍ସାରେ ରହିଲେ କରୋନା ଉପରେ ବିଜୟ ଲାଭ କରିହେବ ବୋଲି ଉଭୟ ମତ ଦେଇଛନ୍ତି ।
Comments are closed, but trackbacks and pingbacks are open.