ଗଞ୍ଜାମରେ ପ୍ଲାଜ୍ମା ଥେରାପି ଆରମ୍ଭ

Get real time updates directly on you device, subscribe now.

ବ୍ରହ୍ମପୁର,(ବ.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ସବୁଠାରୁ ଅଧିକ କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜ୍ମା ଥେରାପି ଚିକିତ୍ସା । ମଙ୍ଗଳବାର ପୂର୍ବାହ୍ଣରେ ଏମ୍କେସିଜି ମେଡିକାଲ କଲେଜ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ଆରମ୍ଭ କରିଛନ୍ତି । କଟକ ଓ ଭୁବନେଶ୍ୱର (ଖୋର୍ଦ୍ଧା) ପରେ ଗଞ୍ଜାମ ହେଉଛି ତୃତୀୟ ଜିଲ୍ଲା ଯେଉଁଠି ଏହି ଚିକିତ୍ସା ଆରମ୍ଭ ହୋଇଛି । କଟକର ଏସ୍ସିବି, ଭୁବନେଶ୍ୱର ସମ୍ ଓ କଟକର ଅଶ୍ୱିନୀ ହସ୍ପିଟାଲ୍ ପରେ ଏମ୍କେସିଜିରେ ଏହି ଚିକିତ୍ସା ଉଦ୍ଘାଟିତ ହୋଇଛି । ସହର ଉପକଣ୍ଠ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଗୁରୁତର କରୋନା ପଜିଟିଭ୍ ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ- ସୋମବାର କରୋନାରୁ ସୁସ୍ଥ ହୋଇଥିବା ଏନ୍ଡିଆର୍ଏଫ୍ ଯବାନ ୬ ୟୁନିଟ୍ ପ୍ଲାଜ୍ମା ଦାନ କରିଛନ୍ତି ତାହାକୁ କଟକରୁ ବ୍ରହ୍ମପୁର ଅଣାଯାଇଛି । ଏଯାବତ୍ ମୋଟ ୧୬ ୟୁନିଟ୍ ପ୍ଲାଜ୍ମା ସଂଗ୍ରହ କରାଯାଇଛି । ସେଥିରୁ ୧୨ ୟୁନିଟ୍ ପ୍ଲାଜ୍ମା ବ୍ୟବହାର କରାଯାଇଛି ଓ ୪ ୟୁନିଟ୍ ପ୍ଲାଜ୍ମା ବ୍ୟାଙ୍କ୍ରେ ଗଚ୍ଛିତ ରଖାଯାଇଛି । ଭୁବନେଶ୍ୱରର ସମ୍ କୋଭିଡ୍ ହସ୍ପିଟାଲ୍, କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ରେ ଏହାର ସଫଳ ପ୍ରୟୋଗ କରାଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜ୍ମା ଥେରାପିରେ ସଫଳତା ମିଳିଛି । ଏହି ପଦ୍ଧତିରେ ଚିକିତ୍ସିତ ହେଉଥିବା ୬ରୁ ୪ ଜଣ ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଘଟିବା ସାଙ୍ଗକୁ ସେମାନେ ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ କରୁନାହାନ୍ତି । ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ କରୋନା ପଜିଟିଭ୍ ଠାବ ହେବା ସାଙ୍ଗକୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ଅନ୍ୟ ସବୁ ଜିଲ୍ଲା ଠାରୁ ଅଧିକ । ସୁସ୍ଥ ଅନେକ ରୋଗୀ ନିଜ ଆଡୁ ପ୍ଲାଜ୍ମା ଦାନ କରିବାକୁ ଇଚ୍ଛା ବ୍ୟକ୍ତ ମଧ୍ୟ କରିଲେଣି । ଏଠାରେ ଶୀଘ୍ର ପ୍ଲାଜ୍ମା ଥେରାପି ଆରମ୍ଭ କରି ଉପରମୁହାଁ ମୃତୁ୍ୟ ସଂଖ୍ୟାକୁ କମ୍ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର୍ ଧରିଥିଲା । ଏହା ପରେ ରାଜ୍ୟ ସରକାର ଗଞ୍ଜାମରେ କରୋନା ମୁକାବିଲାକୁ ଅଧିକ ଗୁରୁତ୍ୱ ଦେଇ ଏଠାରେ ମଧ୍ୟ ପ୍ଲାଜ୍ମା ଥେରାପି ଆରମ୍ଭ କରିଛନ୍ତି ।
ମଙ୍ଗଳବାର ଏମ୍କେସିଜି ପରିସରରେ ପ୍ଲାଜ୍ମା ଥେରାପି ଶୁଭାରମ୍ଭ ଅବସରରେ ଜିଲ୍ଲାପାଳଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଦ ଦତ୍ତାତ୍ରୟ ଭାଉସାହେବ, ଏମ୍କେସିଜି ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ପ୍ରଫେସର୍ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଅଧିକ୍ଷକ ପ୍ରଫେସର୍ କିରଣ କୁମାର ପଟ୍ଟନାୟକ, ଏମ୍କେସିଜି କଲେଜ ଅଧ୍ୟକ୍ଷା ପ୍ରଫେସର୍ ଦୀପ୍ତିମୟୀ ତ୍ରିପାଠୀ, କୋଭିଡ୍ ନୋଡାଲ୍ ଅଧିକାରୀ ତଥା ଶୀତଳାପଲ୍ଲୀ ହସ୍ପିଟାଲ୍ ଇନ୍ଚାର୍ଜ ଡା. ଉମାଶଙ୍କର ମିଶ୍ର, ଏମ୍କେସିଜି ରକ୍ତ ଭଣ୍ଡାର ଇନ୍ଚାର୍ଜ ଡା. ସୁସ୍ମିତା ବେହେରା, ଡା. ଜୟନ୍ତ ମିଶ୍ର, ଡା. ପ୍ରସନ୍ନ ରଥ, ଏମ୍କେସିଜି ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସବୁଠାରୁ ଅଧିକ ସଂକ୍ରମିତ ବାହାରୁଥିବା ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ହାରକୁ କମାଇବାରେ ଏହା ସହାୟକ ହେବ ତଥା ରୋଗୀମାନେ ପ୍ଲାଜ୍ମା ଥେରାପି ଦ୍ୱାରା ଅନେକ ସୁବିଧା ପାଇପାରିବେ । ଆଜିଠାରୁ ହିଁ ଜଟିଳ ରୋଗୀମାନଙ୍କୁ ପ୍ଲାଜ୍ମା ଥେରାପି ମାଧ୍ୟ୍ୟମରେ ଚିକିତ୍ସା କରାଯିବ । ଜିଲ୍ଲାର ସୁସ୍ଥ ହୋଇଥିବା ପ୍ରାୟ ୪ ଶହ ବ୍ୟକ୍ତି ପ୍ଲାଜ୍ମା ଦାନ କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେହିପରି ରକ୍ତ ଭଣ୍ଡାରର ସହକାରୀ ପ୍ରଫେସର୍ ସସ୍ମିତା ବେହେରା କହିଛନ୍ତି ଯେ- ପୂର୍ବରୁ ଚିହ୍ନଟ ରୋଗୀଙ୍କ ଠାରେ ଏହି ଥେରାପି ପ୍ରୟୋଗ କରାଯିବ । ନିୟମିତ ଭାବେ ଏହା ଲାଗୁ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି (ଏଫେରେସିସ୍ ମେସିନ୍ ଯାହା ରକ୍ତରୁ ପ୍ଲାଜ୍ମାକୁ ପୃଥକ୍ କରିବାକୁ ଉଦ୍ଧିଷ୍ଟ ସମେତ ଅନ୍ୟ ମେସିନ୍) ବ୍ଲଡ୍ ବ୍ୟାଙ୍କ୍ରେ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ଗଞ୍ଜାମ ଜିଲ୍ଲାରେ ଆଉ ୨୨୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୫୯୯୧ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୮ ଜଣ କରୋନା ଯୋଦ୍ଧା ଓ ୧୯୭ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ ରହିଛନ୍ତି । ସେହିପରି ଆଉ ୧୩୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମୋଟ ସଂଖ୍ୟା ୩୮୯୦ ହୋଇଛି । ତେବେ ଜିଲ୍ଲାରେ କୌଣସି କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିନି । ଫଳରେ ମୃତୁ୍ୟ ସଂଖ୍ୟା ୬୪ରେ ସ୍ଥିର ରହିଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବ୍ସାଇଟ୍ରେ ୫୯ ଜଣଙ୍କ କରୋନାରେ ମୃତୁ୍ୟ, ୪ ଜଣ ସଂକ୍ରମିତଙ୍କ ଅନ୍ୟ ରୋଗରେ ମୃତୁ୍ୟ ଘଟିଥିବା ବେଳେ ଗୋଟିଏ ମୃତୁ୍ୟକୁ ସନ୍ଦିଗ୍ଧ (ନାଲି ଚିହ୍ନ) ଭାବେ ଦର୍ଶାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons