ଥରକେ ୭୩୨ ପଜିଟିଭ୍, ସମସ୍ତେ ସ୍ଥାନୀୟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମରେ ସଂକ୍ରମଣ ଆୟତ୍ତ ବାହାରକୁ ଚାଲିଯାଉଥିବା ମନେ ହେଉଛି । ସଂକ୍ରମିତଙ୍କ ସଂଖ୍ୟା ବାରମ୍ବାର ପୁରୁଣା ରେକର୍ଡ ଟପି ଅଧିକ ଉଚ୍ଚକୁ ଉଠୁଛି । ପ୍ରବାସୀ, ସାଧାରଣ ଲୋକ ଓ କରୋନା ଯୋଦ୍ଧାଙ୍କ ପରେ ଏବେ ଜନପ୍ରତିନିଧି ମଧ୍ୟ ଏହାର କବଳରେ ପଡ଼ିଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପତ୍ନୀ ଗୋଲାପ ସାହୁଙ୍କ ସ୍ୱାବ୍ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି । ଗୁରୁବାର କରୋନା ମାରିଛି ଲମ୍ବାଡିଆଁ । କେବଳ ଗୋଟିଏ ଦିନରେ ଜିଲ୍ଲାରେ ରେକର୍ଡସଂଖ୍ୟକ ସର୍ବାଧିକ ୭୩୨ ଜଣ ପଜିଟିଭ୍ ଠାବ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬୩୪ ହୋଇଛି । ଜିଲ୍ଲାରେ ଆଉ ୩ ଜଣ କରୋନା ରୋଗୀଙ୍କ ମୃତୁ୍ୟ ପରେ ଏହି ସଂଖ୍ୟା ୭୫କୁ ଛୁଇଁଛି । ସେପଟେ ଆରୋଗ୍ୟ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ ୫୩୦ ରେକର୍ଡ ହୋଇଛି । ଫଳରେ ଜିଲ୍ଲାରେ ସୁସ୍ଥ ଲାଭ କରିଥିବା ବ୍ୟକ୍ତିଙ୍କ ମୋଟ ସଂଖ୍ୟା ୫୦୧୩ରେ ପହଞ୍ଚିଛି । ସଂକ୍ରମିତଙ୍କ ଭଳି ଦିନକରେ ସୁସ୍ଥ ସଂଖ୍ୟା ବି ସର୍ବୋଚ୍ଚ ହୋଇଛି । ଜିଲ୍ଲାରେ ୮/୧୦ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ନେଇ ଆଶାପ୍ରକାଶ କରିଛନ୍ତି ଜିଲ୍ଲାପାଳ ।
ଜିଲ୍ଲାରେ ଗତ ୯ ତାରିଖରେ ୩୨୦ ଜଣ, ୨୧ ତାରିଖରେ ୩୭୧, ୨୨ ତାରିଖରେ ୫୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏଯାବତ୍ ସର୍ବାଧିକ ୭୩୨ ଜଣ ସଂକ୍ରମିତ ଠାବ ହୋଇଛନ୍ତି । କେବଳ ଗତ ତିନି ଦିନରେ ୧୬୪୩ ଜଣ ରୋଗୀ ବାହାରିଲେଣି । ଏଥିରୁ ଏବେ ରାଜ୍ୟର ହଟ୍ସ୍ପଟ୍ ଗଞ୍ଜାମରେ କରୋନା କିଭଳି ବ୍ୟାପି ଚାଲିଛି ତାହା ସ୍ପଷ୍ଟ ହେଉଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୬୬ ଜଣ ଯୋଦ୍ଧା ଓ ୬୬୬ ଜଣ ଆକ୍ଟିଭ୍ କଣ୍ଟାକ୍ଟ ପଜିଟିଭ୍ କେସ୍ । ବ୍ରହ୍ମପୁରରୁ ସବୁଠାରୁ ଅଧିକ ୧୨୪ ଆକ୍ଟିଭ୍ କଣ୍ଟାକ୍ଟ ଓ ୫ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ବେଗୁନିଆପଡାରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି ।
ଗଞ୍ଜାମରେ ଆଉ ୨ ମହିଳା ଏବଂ ଜଣେ ପୁରୁଷ କରୋନା ପଜିଟିଭ୍ ରୋଗୀଙ୍କ ଜୀବନ ଯାଇଛି । ଜଣେ ୪୪ ବର୍ଷୀୟ ପୁରୁଷ ଯେକି ମଧୁମେହ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ତାଙ୍କର ମୃତୁ୍ୟ ଘଟିଛି । ଜଣେ ୫୯ ବର୍ଷ ବୟସ୍କ ମହିଳା ଓ ଆଉ ଜଣେ ୫୦ ବର୍ଷ ବୟସ୍କ ମହିଳା ସଂକ୍ରମିତଙ୍କ ମଧ୍ୟ ମୃତୁ୍ୟ ଘଟିଛି । ଫଳରେ ଜିଲ୍ଲାରେ ଏଯାବତ୍ କରୋନାରେ ମୃତୁ୍ୟ ସଂଖ୍ୟା ୭୦ ହୋଇଥିବା ବେଳେ ଆଉ ୫ ଜଣ ପଜିଟିଭ୍ ରୋଗୀଙ୍କ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୃତୁ୍ୟ ଘଟିଛି । ଜିଲ୍ଲାରେ ଏଯାବତ୍ ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ବୃଦ୍ଧାଙ୍କ ସମେତ ୯ ମହିଳା, ୨୫ ବୃଦ୍ଧଙ୍କ ସମେତ ୬୬ ପୁରୁଷ । ସେହିପରି ମୃତକଙ୍କ ମଧ୍ୟରେ ସରକାରୀ ଭାବେ ଘୋଷିତ ୮ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । କେବଳ ଚଳିତ ମାସରେ ହିଁ ଗଞ୍ଜାମରେ ୬୨୨୪ ଜଣ ପଜିଟିଭ୍ ଠାବ ହୋଇଥିବା ବେଳେ ୬୦ ଜଣଙ୍କ ଜୀବନ ଗଲାଣି । ସେହପରି ୪୦୨୦ ଜଣ ଜୁଲାଇ ମାସରେ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ସେପଟେ ବ୍ରହ୍ମପୁର ମଣ୍ଡଳ କାରାଗାର ପରେ କୋଦଳା ସବ୍ଜେଲ୍ରେ କିଛି ଜଣ ପଜିଟିଭ୍ ବାହାରିଥିବା ତଥ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ସହ ଚର୍ଚ୍ଚାକୁ ଆସିଛି । ତେବେ ଏ ସମ୍ପର୍କରେ ସବ୍ଜେଲର୍ କିଛି କହିବାକୁ ମନା କରି ଦେଇଥିବା ବେଳେ ଏଭଳି କେବଳ ଶୁଣାଯାଉଛି, କୌଣସି ରିପୋର୍ଟ ଆମ ପାଖକୁ ଆସିନାହିଁ ବୋଲି କହିଛନ୍ତି ସୁପରିଣ୍ଟେଣ୍ଡେଣ୍ଟ୍ ବି.କେ.ଭୂୟାଁ । ପୂର୍ବରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଗତମାସରେ ୮ ଓ ମଙ୍ଗଳବାର ଏକାଥରକେ ୧୦ ଷ୍ଟାଫ୍, ୩୩ କଏଦୀ ପଜିଟିଭ୍ ଠାବ ହୋଇଥିଲେ । ବୁଧବାର ଛତ୍ରପୁର ସବ୍ଜେଲ୍ରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ଶୁକ୍ରବାର ଅପରାହ୍ଣରେ ଟାଉନ୍ ହଲ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ଯେ- ପ୍ଲାଜ୍ମା ଥେରାପି ନେଉଥିବା ୩ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ଜିଲ୍ଲାର ୮୩ ପ୍ରତିଶତ ଗ୍ରାମାଞ୍ଚଳ ଏବେବି କରୋନାମୁକ୍ତ । ବ୍ୟାପକ ସ୍ୱାସ୍ଥ୍ୟ ଯାଞ୍ଚ ହେତୁ ସଂଖ୍ୟାଧିକ ପଜିଟିଭ୍ ଜିଲ୍ଲାରେ ଏବେ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ଏବେ ୪୨୨୦ ଶଯ୍ୟା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଉପଲବ୍ଧ । ୨୫୦ ଶଯ୍ୟାରେ ଜରୁରୀକାଳିନ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କରାଯାଇ ସାରିଲାଣି । ଜିଲ୍ଲାରେ ନିୟୋଜିତ ୧୫୦ରୁ ୪୦ଟି ଆମ୍ବୁଲାନ୍ସରେ ଏହି ସେବା ଉପଲବ୍ଧ । ତେବେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଏହି ସଂଖ୍ୟା ହ୍ରାସ ପାଇବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons