ବସ୍ ଚକା ତଳେ ୨ ଛାତ୍ରଛାତ୍ରୀଙ୍କ ଜୀବନ ଗଲା

Get real time updates directly on you device, subscribe now.

ଦେବଗଡ଼,(ବି.ବି.ନ୍ୟୁଜ୍): ଗୋଟିଏ ଗାଁର ୨ ଚାଷୀ ପରିବାର ନିଜ ଛୁଆଙ୍କୁ କଲେଜ ପଢ଼ାଇ ଉଚ୍ଚ ଶିକ୍ଷିତ କରିବାକୁ ଆଶାବାନ୍ଧି ଥିବା ବେଳେ ଉଭୟ ପରିବାର ଉପରେ ଆଜି ଚଡ଼କ ପଡିଛି । ଏପରିକି ଜଣେ ଡ୍ରାଇଭରଙ୍କ ବେପାରୁଆ ଚାଳନା ଯୋଗୁଁ ବସ୍ ଚକତଳେ ଚାପିହୋଇ କଲେଜ ଯାଉଥିବା ୨ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳୁ ଦେବଗଡ଼ ଥାନା ହଦମୁଣ୍ଡା କଟେଇ ସାହି ନିକଟ ଦେବଗଡ଼-ରିଆମାଳ ଘାଟି ରାସ୍ତାର ଏକ ବୁଲାଣି ଠାରେ ଘଟିଛି । ଦେବଗଡ଼ କଲେଜକୁ ବାଇକ୍ରେ ଯାଉଥିବା ୨ ମୃତ ଛାତ୍ରଛାତ୍ରୀ ହେଲେ ରିଆମାଳ ଥାନା ତାବଡ଼ା ପଞ୍ଚାୟତ ବାଘିଆବନ୍ଧ ଗାଁର ସନ୍ତୋଷ ପ୍ରଧାନ (୨୨) ଓ ସୀମାରେଖା ବିଶ୍ୱାଳ (୧୭) । ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଆଇଆଇସି ଜିତେନ୍ଦ୍ର ସାହୁ ସଦଳବଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲେ ।
ସୂଚନା ମତେ ବାଘିଆବନ୍ଧ ଗାଁ ଉପରସାହି ନିବାସୀ ଶଶିଭୂଷଣ ପ୍ରଧାନଙ୍କ ସାନପୁଅ ସନ୍ତୋଷ ଦେବଗଡ଼ର ଏକ କମ୍ପ୍ୟୁଟର୍ ଶିକ୍ଷାକେନ୍ଦ୍ରରେ ତାଲିମ ନେଉଥିବା ବେଳେ ତାଙ୍କ ପଡୋଶୀ ସ୍କୁଲ ସାହିର ପୌଲସ୍ତୀ ବିଶ୍ୱାଳଙ୍କ ବଡ଼ଝିଅ ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ-୨ କଳା ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଆଜି ସକାଳ ୭ଟାରେ ଉକ୍ତ ୨ ଛାତ୍ରଛାତ୍ରୀ ଏକ ବାଇକ୍ (ଓଡି-୨୮-୯୫୫୪) ଯୋଗେ ପାଠ ପଢ଼ିବାକୁ ଘରୁ ବାହାରିଥିଲେ । ସ୍ଥାନୀୟ କଟେଇସାହି ନିକଟ ଘାଟିରାସ୍ତାର ଏକ ବୁଲାଣୀରେ ଦେବଗଡ଼ରୁ ଅନୁଗୁଳ ଯାଉଥିବା ମାଁ ସରସ୍ୱତୀ ନାମକ ଏକ ଘରୋଇ ବସ୍ (ଓଡି-୨୮-୮୧୧୮) ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା ବେଳେ ସୀମାରେଖା ଗୁରୁତର ହୋଇଥିଲେ । ଅନ୍ୟ ଏକ ଘରୋଇ ବସ୍ର ଜଣେ ଯାତ୍ରୀ ଅଗ୍ନିଶମ ବିଭାଗ ଓ ପୁଲିସ୍କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସୀମାରେଖାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ୍ ଉଭୟ ଗାଡ଼ିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି । ଉଭୟଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons