ଜୟପୁର,(ବି.ବି.ନୁ୍ୟଜ୍): ପୌରାଞ୍ଚଳକୁ ଶୁକ୍ରବାର ମଧ୍ୟରାତ୍ରରୁ ୪ ଦିନ ପାଇଁ ସଟ୍ଡାଉନ ଘୋଷଣା କରାଯାଇଛି । ଏ ସମ୍ପର୍କରେ ନିଦେ୍ର୍ଧଶନାମା ଜାରି କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଏଭଳି ଘୋଷଣା ପରେ ଲୋକେ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତ ହୋଇଛନ୍ତି ।
ନିଦେ୍ର୍ଧଶନାମାରେ କୁହାଯାଇଛି, ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚିହ୍ନଟ ହୋଇଥିବା ଅଧିକାଂଶ ବ୍ୟକ୍ତି ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ସହରକୁ ସଟଡାଉନ କରାଯାଇଛି । ଆଜି ପୌରସଂସ୍ଥା ପକ୍ଷରୁ ଏ ସଂପର୍କରେ ସହରରେ ମାଇକରେ ପ୍ରଚାର କରାଯାଇଛି । ଏହି ସମୟ ମଧ୍ୟରେ ଜରୁରିକାଳୀନ ସେବା ଅବ୍ୟାହତ ରହିବ । ସେଥିରେ ରହିଛି ମେଡିକାଲ, ପୁଲିସ୍, ଦମକଳ, ଡାକ, ଟେଲିକମ୍, ପରିମଳ, ପାନୀୟଜଳ, ଏଟିଏମ୍ । ଜରୁରି ସେବା ଯୋଗାଉଥିବା ସଂସ୍ଥାର କର୍ମଚାରୀ, ଅଧିକାରୀଙ୍କ ସହ ଗଣମାଧ୍ୟମ ପ୍ରତିନିଧି ସହରରେ ଚଳପ୍ରଚଳ କରିପାରିବେ । ଜାତୀୟ ରାଜପଥ ଦେଇ ପରିବହନ ଗାଡି ଚଳାଚଳରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଔଷଧ ଦୋକାନ ଖୋଲାଯିବ । ଜରୁରୀ ସେବା ଯୋଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଏହି ସମୟରେ ଯିବାଆସିବା କରିପାରିବେ । କ୍ଷୀର ଦୋକାନ, ଜାତୀୟରାଜପଥ କଡ ଗ୍ୟାରେଜ୍, ଗୋଖାଦ୍ୟ ଦୋକାନ ଖୋଲାରହିବ । ସେହିପରି ଚାଷକାମ ପାଇଁ ଦରକାର ପଡୁଥିବା ବିହନ, ରାସାୟନିକ ସାର ଓ କୀଟନାଶକ ଦୋକାନ ଖୋଲାଯିବ । ବ୍ୟାଙ୍କଗୁଡିକ ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ହକ୍କରମାନେ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବାଣ୍ଟିପାରିବେ । ମେଡିକାଲ ଏବଂ ଜରୁରି କାମରେ ହିଁ ଦୁଇ ଓ ଚାରିଚକିଆ ଗାଡି ସହରରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ସଟ୍ଡାଉନ ସମୟରେ ବିବାହ କାର୍ଯ୍ୟରେ ୫୦ ଜଣ ଏବଂ ଅନ୍ତେ୍ୟଷ୍ଟି କାମରେ ସର୍ବାଧିକ ୨୦ ଜଣଁ ଉପସ୍ଥିତ ରହିପାରିବେ ବୋଲି ଜିଲ୍ଲାପାଳଙ୍କ ନିଦେ୍ର୍ଧଶନାମାରେ କୁହାଯାଇଛି ।
Comments are closed, but trackbacks and pingbacks are open.