ଖଡିଆଳ,(ବି.ବି.ନୁ୍ୟଜ୍): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବଡ଼ମହେଶ୍ୱର ୩୫୩ ନମ୍ବର ଜାତୀୟ ରାଜପଥ ଠାରେ ଏକ ପିକଅପ ଧକ୍କାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ଦୁଇଜଣ ହେଲେ ଖଡିଆଳ ଥାନା ପୋଡାପାଲି ଗାଁର ଓଏସଏପି ଯବାନ ରାଜୁକୁମାର ସାହୁ(୨୫) ଓ ଡୁମେରବାହାଲ ଗାଁର ଇଞ୍ଜିନିୟରିଂ ଛାତ୍ର ଦିବ୍ୟରଞ୍ଜନ ଘିଭେଲା (୨୫) । ଖଡ଼ିଆଳ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।ସୂଚନାମତେ ଗୁରୁବାର ରାତିରେ ରାଜୁକୁମାର ଓ ଦିବ୍ୟରଞ୍ଜନ ଦୁଇସାଙ୍ଗ କୌଣସି କାମରେ କୋମନା ପଟେ ଯାଇଥିଲେ । ବିଳମ୍ବିତ ରାତିରେ ଏକ ବାଇକ(ଓଡି୨୬ ସି ୫୩୮୯)ରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଜାତୀୟ ରାଜପଥ ୩୫୩ ବଡମହେଶ୍ୱର ଗ୍ରାମ ନିକଟରେ ଏକ ପିକଅପ୍ ଗାଡି(ଓଡି୧୭ଏଫ ୬୫୩୬) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ବନ୍ଧୁଙ୍କ ମୃତୁ୍ୟ ହୋଇଥିଲା । ଖଡିଆଳ ପୁଲିସ ପହଞ୍ଚିି ଉଭୟଙ୍କ ମୃତଦେହ ଉଦ୍ଧାର କରି ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିିଥିଲା । ଉଭୟଙ୍କ ପରିବାର ଲୋକଙ୍କୁ ଖବର ଦେଇ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଥିଲା ।
ପ୍ରକାଶଥାଉକି ମୃତ ଓଏସଏପି ଯବାନଙ୍କ ବାପା ରାମଚନ୍ଦ୍ର ଶବର କୋମନା ଥାନା ଏଏସଆଇ ରୁପେ କାର୍ଯ୍ୟରତ ଥିବାବେଳେ ଯବାନ ଜଣକ କୋରାପୁଟଠାରେ କାର୍ଯ୍ୟରତ ଥିଲେ । ଡୁମେରବାହାଲ ଗାଁର ମୃତ ଦିବ୍ୟରଞ୍ଜନ ସ୍ୱର୍ଗତ ମନବୋଧ ଘିଭେଲାଙ୍କ ପୁଅ ଥିଲେ । ଗତବର୍ଷ ତାଙ୍କ ବାପାଙ୍କ ମୃତୁ୍ୟ ହୋଇଥିଲା । ଦିବ୍ୟରଞ୍ଜନ ଇଞ୍ଜିନିୟରିଂ ସାରି ଘରେ ରହୁଥିଲେ । ଦୁଇବନ୍ଧୁଙ୍କ ଆକସ୍ମିକ ମୃତୁ୍ୟରେ ଖଡିଆଳ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖଡିଆଳ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଜାରିରଖିଥିବା ଖଡିଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.