ଗୁଣୁପୁର,(ବି.ବି.ନୁ୍ୟଜ୍): ଜଣଙ୍କ ଶବ ସକ୍ରାର ସରିବା ପୂର୍ବରୁ ପହଞ୍ଚି ଯାଉଛି ଆଉ ଜଣଙ୍କ ମଲା ଖବର । ଶବ ପଛକୁ ଲାଗୁଛି ଶବ । ଆଜି ଗୋଟିଏ ଦିନରେ ଏଠାରେ ଆଉ ୫ ଜଣଙ୍କ ଆକସ୍ମିକ ମୃତୁ୍ୟ ହୋଇଛି । ସେମାନେ ହେଲେ କାଲମା ଚାଉଳ ମିଲ୍ ମାଲିକ ଗୁଡଲା ରଘୁନାଥ ଗୁପ୍ତା(୬୨), ଜଙ୍ଗମ ସାହିର ବିଜୟଲକ୍ଷ୍ମୀ (୫୪), କୁମୁଟିସାହିର ଲାଡି ନାଗେଶ୍ୱରା ଆମ୍ମା(୬୨) ଏବଂ ଡେରାସାହିରେ ରହୁଥିବା ଜିପିଏସ୍ କର୍ମଚାରୀ ପ୍ରଦୀପ କୁମାର ଭୁକ୍ତା, କୁମ୍ଭାରସାହିର ଚମ୍ପା ସାହୁ(୮୦) । ଏମାନଙ୍କୁ ମିଶାଇ ଚଳିତ ମାସରେ ମାତ୍ର ୨୦ ଦିନ ଭିତରେ ବିଭିନ୍ନ କାରଣରୁ ମୋଟ ୨୩ ଜଣଙ୍କ ମୃତୁ୍ୟ ହେଲାଣି । ଏହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଯେଉଁ ଶ୍ମଶାନରେ ନିରବତା ରାଜୁତି କରୁଥିଲା, ଆଜି ସେଠି ଦିନରାତି ଶବଦାହ ପାଇଁ ଗହଳି ।
ଆଜି ଭୋର୍ ସମୟରେ ସ୍ଥାନୀୟ ଜଗନ୍ନାଥ ରୋଡ୍ରେ ରହୁଥିବା କାଲମା ଚାଉଳ ମିଲ୍ ମାଲିକ ଗୁଡଲା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅନ୍ୟତ୍ର ସ୍ଥାନାନ୍ତର କରିବା ବେଳକୁ ସେଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ତା ପରେ ଖବର ପହଞ୍ଚିଥିଲା ସ୍ଥାନୀୟ ଜଙ୍ଗମସାହିର ବିଜୟଲକ୍ଷ୍ମୀଙ୍କ ମୃତୁ୍ୟ ଖବର । ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି କିଛି ସମୟ ମଧ୍ୟରେ ପ୍ରାଣ ହରାଇଥିଲେ । କୁମୁଟି ସାହିର ନାଗେଶ୍ୱରାଆମ୍ମା ମଧ୍ୟାହ୍ନରେ ଗ୍ୟାସ୍ଜନିତ ଯନ୍ତ୍ରଣା ଅନୁଭବ କରି ଡାକ୍ତରଖାନା ଯାଇଥିଲେ । ସେଠାରେ ତାଙ୍କ ମୃତୁ୍ୟ ହୋଇଥିବା ଖବର ମିଳିଛି । ଅପରାହ୍ନରେ ଡେରାସାହିରେ ରହୁଥିବା ଜିପିଏସ କର୍ମଚାରୀ ପ୍ରଦୀପ(୪୧) ଖାଇସାରି ପାଣି ପିଉଥିବା ବେଳେ ହଠାତ ତଳେ ପଡି ଯାଇଥିଲେ । ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ତାଙ୍କ ହୃଦଜନିତ ସମସ୍ୟା ରହିଥିଲା ବୋଲି ପରିବାର ଲୋକେ କହିଛନ୍ତି । ଆଜି ଗୋଟିଏ ଦିନରେ ସକାଳୁ ସନ୍ଧ୍ୟା ମଧ୍ୟରେ ୫ ଜଣଙ୍କ ମୃତୁ୍ୟ ଘଟଣା ସହରରେ ଆତଙ୍କ ସୃଷ୍ଟି କରିଛି । ଏମାନଙ୍କ ମୃତୁ୍ୟର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ଏବେ ସହରରେ କରୋନା ମହାମାରୀ ବଢିଚାଲିଥିବାରୁ ସାଧାରଣରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ।


Comments are closed, but trackbacks and pingbacks are open.