ଅନ୍ଧ ବାପାର ଆଶାବାଡ଼ି ସାଜିଛି ଦଶ ବର୍ଷର ଝିଅ

Get real time updates directly on you device, subscribe now.

କୋଇଡା,(ବି.ବି.ନୁ୍ୟଜ୍): ପରିଣତ ବୟସରେ କୁନି ଝିଅ ହିଁ ଭରସା । ଅନ୍ଧକାରମୟ ଦୁନିଆରେ ଆଶାବାଡ଼ି ସାଜି ଭୋକର ଜ୍ୱାଳାକୁ ମେଣ୍ଟାଇବା ପାଇଁ କଅଁଳ ହାତର ସ୍ପର୍ଶରେ ଦୁଇ ମୁଠା ଖାଇବାକୁ ଦେଉଥିବା ସେ ଝିଅ ନୁହେଁ ମୋ ମାଆ । ଯେଉଁ ବୟସରେ ଖେଳକୁଦ କରି ବାପାମାଆଙ୍କ ପାଖରେ ଅଝଟ କରିବା କଥା ସେହି ବୟସରେ ନିଜ କାନ୍ଧରେ ମୁଣ୍ଡାଛନ୍ତି ସଂସାରର ବୋଝ । ଛୋଟ ଭାଇ ଓ ଅନ୍ଧ ବାପାର ସାହାରା ସାଜିଛି ୧୦ ବର୍ଷର ଝିଅ ନାନ୍ଦି ମୁଣ୍ଡା । ଏହା ସମସ୍ତଙ୍କୁ ଏକ କାହାଣୀ ପରି ମନେ ହେଉଥିଲେ ମଧ୍ୟ ଏଭଳି ସତ୍ୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ କନ୍ତରକୋଇଡା ଗ୍ରାମରେ ।
ଦଶରଥ ମୁଣ୍ଡା । ବୟସ ପାଖାପାଖି ୫୦ ବର୍ଷ । ଦିନ ଥିଲା ଲୌହ ଖଣିର ବିଶାଳ ପଥରକୁ ସେ ହାତୁଡ଼ିରେ ପିଟି ଦୁଇଫାଳ କରୁଥିଲେ ଆଜି ସେ ନିଜ ଘରର ଫଟା ଆଜବେଷ୍ଟସକୁ ଯୋଡିବା ପାଇଁ ବଳ ଜୁଟାଇ ପାରୁନାହାନ୍ତି । ୧୫ ବର୍ଷ ତଳେ ଏକ ଦୁର୍ଘଟଣାରେ ତାଙ୍କର ଦୁଇଟି ଆଖି ନଷ୍ଟ ହୋଇଯାଇଥିଲା । ଷÂ ଶ୍ରେଣୀରେ ପାଠ ପଢ଼ୁଥିବା ନାନ୍ଦି ବାପାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି । ଦୁର୍ଘଟଣା ପରେ ଆଖିକୁ ଆଉ ନଦିଶିବାରୁ ସେହି ଚିନ୍ତାରେ ସ୍ୱାମୀ ଏବଂ ଦୁଇ କୁନି ପିଲାଙ୍କୁ ଛାଡ଼ି ତାଙ୍କ ପତ୍ନୀ ଆର ପାରିକି ଚାଲିଗଲେ । ଦୁଇ କଅଁଳଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦୁନିଆ ଦେଖି ପାରୁନଥିବା ଦଶରଥ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରନ୍ତି । ସେଥିରୁ ଯାହା ମିଳେ ସେଥିରେ ଚଳେ ଅଭାବୀ ସଂସାର । ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କୁନି ଝିଅ ନାନ୍ଦି ନିଜ ବାପାଙ୍କ ଏମିତି ଅବସ୍ଥା ଦେଖି ରୋଷେଇ ଠାରୁ ଆରମ୍ଭ କରି ଘରର ସମସ୍ତ କାର୍ଯ୍ୟ କରିବା ସହ ଦୃଷ୍ଟିହୀନ ବାପାର ସବୁ କାର୍ଯ୍ୟରେ ସାହାଯ୍ୟ କରିବା ସହ ପାଠ ମଧ୍ୟ ପଢ଼ନ୍ତି । ପ୍ରଶାସନ ପକ୍ଷରୁ ଦଶରଥଙ୍କୁ ରାସନ କାର୍ଡ ଓ ମାସିକ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରି ଚୁପ ହୋଇ ବସି ପଡ଼ିଛି । କାର୍ଡରେ ମିଳୁଥିବା ୧୫ କିଲୋ ଚାଉଳ ଓ ୭୦୦ ଟଙ୍କା ଭତ୍ତାରେ ବିତୁଛି ୩ ପ୍ରାଣୀଙ୍କ ଜୀବନ । ଏପଟେ ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ସେମାନେ ଚଳୁଥିବା ବେଳେ ଭଲ ଆଜବେଷ୍ଟସ ପକାଇବା ଲାଗି ଦଶରଥଙ୍କ ପାଖରେ ଅର୍ଥ ନାହିଁ । ଅସରାଏ ବର୍ଷା ହେଲେ ଘରେ ପଶୁଛି ଆଣ୍ଠୁଏ ଲେଖାଏଁ ପାଣି । ଭଙ୍ଗା ଦଦରା ପଲିଥିନ ଗୁଡ଼ା ଘରକୁ ଦେଖିଲେ ସରକାରଙ୍କ ଆବାସ ଯୋଜନା କେବଳ ପ୍ରହସନରେ ପରିଣତ ହୋଇଛି । ଅନ୍ୟପଟେ ଭୂମିହୀନ ଗରିବ ଅସହାୟଙ୍କୁ ଥଇଥାନ ପାଇଁ ସରକାର ନିର୍ମାଣ କରିଥିବା ବସୁନ୍ଧରା ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ଏପଟେ ନାନ୍ଦି ଘର କାମରୁ ପୁରସତ୍ ପାଇଲେ ପାଠ ପଢ଼ନ୍ତି ଓ ଘର କାମରେ ୮ ବର୍ଷର ଭାଇ ତାଙ୍କୁ ସାହାଯ୍ୟ କରିଥାନ୍ତି । ଭାଇ ଏକ ସେବାଶ୍ରମ ସ୍କୁଲରେ ପାଠ ପଢ଼ନ୍ତି । କରୋନା ଯୋଗୁଁ ସ୍କୁଲ ଛୁଟି ଥିବାରୁ ସେ ଘରେ ଅଛନ୍ତି । ଦୃଷ୍ଟିହୀନ ଦଶରଥ ଆଖିର ଲୁହକୁ ଆଖିରେ ମାରି ବଞ୍ଚି ରହିବା ସହ ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରି ଜୀବନ ବିତାଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons