୬୦ ପରିବାରର ମୂର୍ତ୍ତି କାରିଗର ଏବେ ଦିନ ମଜୁରିଆ

Get real time updates directly on you device, subscribe now.

ରାୟଗଡା,(ବି.ବି.ନୁ୍ୟଜ୍): ଦୀର୍ଘ ୭୦ ବର୍ଷର ପେସାକୁ ବଦଳାଇ ଦେଇଛି କରୋନା । ପାରମ୍ପରିକ କାରୁକାର୍ଯ୍ୟରେ ପକାଇ ଦେଇଛି ପୂର୍ଣ୍ଣଛେଦ । ୬୦ ତେଲୁଗୁ କୁମ୍ଭକାର ପରିବାର ଏବେ ଦିନ ମଜୁରିଆ । ଦିନଥିଲା, ଏମାନଙ୍କ ନିଖୁଣ ମୂର୍ତ୍ତି କେବଳ କୋରାପୁଟ ଜିଲ୍ଲା କାହିଁକି, ପଡୋଶୀ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧି ଲାଭ କରିଥିଲା । ଏବେ ମହାମାରୀ କରୋନା ସେମାନଙ୍କ ଜୀବନ ଜୀବିକାରେ ଆଣି ଦେଇଛି ବିଶାଳ ପରିବର୍ତ୍ତନ । ଆଉ ଦିନ କେଇଟା ପରେ ଅଗ୍ରଦେବଙ୍କ ପୂଜା । କିନ୍ତୁ କାରିଗରମାନେ ରାତି ପାହିଲେ ସହରକୁ ଆସୁଛନ୍ତି କାମ ଅନ୍ୱେଷଣରେ । ଦିନତମାମ୍ ହାଡଭଙ୍ଗା ପରିଶ୍ରମ କଲେ କାହାକୁ ୨୦୦ ତ ଆଉ କାହାକୁ ୩୦୦ ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି । କୌଣସି ଗୋଟିଏ ହେଲେ ସ୍ଥାନରୁ ବରାଦ ଆସି ନଥିବାରୁ ବନ୍ଦ ରହିଛି ମୂର୍ତ୍ତି ନିର୍ମାଣ । ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି ରାୟଗଡା ବ୍ଲକ୍ ପେଣ୍ଟା ପଞ୍ଚାୟତ ଅମଳାଭଟ୍ଟା ଗାଁର ମୂର୍ତ୍ତି କାରିଗରମାନେ ।
ଗାଁରେ ରହୁଛନ୍ତି ୨୦୦ ପରିବାର । ସେମାନଙ୍କ ମଧ୍ୟରେ ଅଛନ୍ତି ୬୦ କୁମ୍ଭକାର ପରିବାର । ବିଭିନ୍ନ ଦେବଦେବୀଙ୍କ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରି ୭ ଦଶନ୍ଧି ଧରି ଏମାନେ ଚର୍ଚ୍ଚାରେ ରହି ଆସୁଥିଲେ । ବିଡମ୍ବନା, କରୋନା ସଂକ୍ରମଣ ସେମାନଙ୍କ ଜୀବିକାରେ ବ୍ରେକ୍ ଲଗାଇ ଦେଇଛି । ଆଗକୁ ଗଣେଶ ପୂଜା ଥିଲେ ହେଁ, ଗୋଟିଏ ହେଲେ ବରାଦ ପାଇନାହାନ୍ତି । କାରଣ ଏବର୍ଷ ପୂଜା ହେବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ଏହି ପୂଜାରୁ ସେମାନଙ୍କ ପାରମ୍ପରିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ନାଗାବଳୀ ନଦୀତଟରୁ ମାଟି ସଂଗ୍ରହ କରି ବିଦ୍ୟାଦାତାଙ୍କ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥାନ୍ତି । ଆଗରୁ ଜିଲ୍ଲାର କୋଣ ଅନୁକୋଣରୁ ଆରମ୍ଭ କରି ପଡୋଶୀ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶରୁ ମୂର୍ତ୍ତି ନିର୍ମାଣ ପାଇଁ ଦୁଇ ମାସ ଆଗରୁ ବରାଦ ପାଉଥିଲେ । ଦିନରାତି ମୂର୍ତ୍ତି ନିର୍ମାଣରେ ଲାଗି ପଡୁଥିଲେ ଏହି ୬୦ ପରିବାର । ଲକ୍ଷ ଲକ୍ଷ ଟଙ୍କା ବେପାର କରୁଥିଲେ । ଏବର୍ଷ ସେମାନେ ହାତବାନ୍ଧି ବସିଛନ୍ତି । ରାତି ପାହିଲେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ପରିବାରର ଯୁବକମାନେ କାମ ଅନ୍ୱେଷଣରେ ୧୨ କିଲୋମିଟର ଡେଇଁ ରାୟଗଡାରେ ପହଞ୍ଚୁଛନ୍ତି । ସହରର ବିଭିନ୍ନ ଗୃହ ଓ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଦିନକୁ ପାଉଛନ୍ତି ୨୫୦ରୁ ୩୦୦ ଟଙ୍କା । ମହିଳାମାନେ ଧାନ ଓ କପା ରୁଆ କାର୍ଯ୍ୟ କରି ଦିନକୁ ପାଉଛନ୍ତି ୨୦୦ ଲେଖାଏଁ । ଏହି ସୂଚନା ଦେଇଛନ୍ତି ଅମଳାଭଟ୍ଟା ଗାଁର ପ୍ରମୁଖ ଶିଳ୍ପୀ ଭି.ଭେଙ୍କଟ ରାଓ, ଭି.ଚାନେ୍ଦ୍ରୟା, ପି.ଦାଲେୟା, ପି.ସତ୍ୟନାରାୟଣ ଓ ଟି.ଶଙ୍କର ରାଓ ପ୍ରମୁଖ ।
ଏହି ଶିଳ୍ପୀମାନଙ୍କ କହିବା କଥା, ଜୀବନରେ କେବେହେଲେ ସେମାନେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇନଥିଲେ । କରୋନା ପ୍ରଥମ କରି ସେମାନଙ୍କ ଜୀବନର ମୋଡ ବଦଳାଇ ଦେଲା । ତଥାପି ଘରେ ରହିଥିବା ବୃଦ୍ଧବୃଦ୍ଧାମାନେ ଛୋଟ ଛୋଟ ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି । ମନ ବୁଝୁ ନଥିବାରୁ ଘରେ ବସିବା ବଦଳରେ ଏହି କାର୍ଯ୍ୟରେ ଲାଗି ପଡିଛନ୍ତି । ଆଶା ରଖିଛନ୍ତି, ପ୍ରତିବର୍ଷ ଭଳି କାଳେ ଜେକେପୁର ଏବଂ ଥେରୁବାଲି ଅଞ୍ଚଳରୁ ଗ୍ରାହକମାନେ ଆସି ଘରେ ଘରେ ପୂଜା କରିବାକୁ ମୂର୍ତ୍ତି ନେଇପାରନ୍ତି । ଆଉ ସେମାନଙ୍କ ଏହି ମୂର୍ତ୍ତିକୁ ଦେଖାଇ ଆଜି ଆଖି ଛଳଛଳ କରି ଦେଇଛନ୍ତି କାରିଗରମାନେ । ସେମାନଙ୍କ ଦୁର୍ଦ୍ଧଶାକୁ ସରକାରଙ୍କ ପାଖରେ ପହଞ୍ଚାଇବାକୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଆମେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ଙ୍କୁ ପଚାରିଥିଲୁ । ସେ କହିଛନ୍ତି, ଏଭଳି ଶିଳ୍ପୀମାନଙ୍କ କଥା ତାଙ୍କ ବିଭାଗ ଚିନ୍ତା କରୁଛି । ସହାୟତା ପ୍ରଦାନ କ୍ଷେତ୍ରରେ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons