ପୁରୀ,(ବି.ବି.ନ୍ୟୁଜ୍): ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ’ । ଶ୍ରୀମନ୍ଦିରରେ ୧୦ ବର୍ଷ ଶ୍ରୀବିଗ୍ରହଙ୍କ ଦର୍ଶନରେ ଶ୍ରଦ୍ଧାଳୁ ଯେଉଁ ପୁଣ୍ୟ ଫଳ ପାଏ ଆଡ଼ପମଣ୍ଡପରେ ଗୋଟିଏ ଦିନ ଦର୍ଶନରେ ତାହା ଲଭିଥାଏ । ନବମୀର ରାତ୍ରୀକାଳୀନ ଦର୍ଶନରେ ତାହା ୧୦ଗୁଣ ଫଳ ପ୍ରଦାୟକ ହୋଇଥାଏ । ଗୁଣ୍ଡିଚାଘରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଉପଲକ୍ଷେ ନୀଳାଦ୍ରୀ ମହୋଦୟରେ ଏହା ଉଲ୍ଲେଖ ରହିଛି । ଶ୍ରଦ୍ଧାଳୁମାନେ ଦର୍ଶନ ସହିତ ଦୀପ ପ୍ରଜ୍ୱଳନ କରି ବ୍ରାହ୍ମଣଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି । ଗୁରୁବାର ନବମୀ(ସନ୍ଧ୍ୟା) ଦର୍ଶନ ଅବସରରେ ଗୁଣ୍ଡିଚା ଘରେ ଭକ୍ତଙ୍କୁ ମିଳିବ ଏହି ସୌଭାଗ୍ୟ ।
ଗୁରୁବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୁଣ୍ଡିଚାଘର ଆଡ଼ପମଣ୍ଡପ ଦର୍ଶନ ଚାଲିବ । ଶୁକ୍ରବାର ଠାକୁରଙ୍କ ବାହୁଡ଼ା ଯାତ୍ରା । ଏଣୁ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୭ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ଗୁଣ୍ଡିଚାଘର ସିଂହଦ୍ୱାର ବନ୍ଦ କରିଦିଆଯିବ । କିନ୍ତୁ ମହାପ୍ରସାଦ ପାଇଁ ଆନନ୍ଦବଜାରକୁ ଶ୍ରଦ୍ଧାଳୁମାନେ ଚଳପ୍ରଚଳ କରିପାରିବେ । ସେଥିପାଇଁ ନାକଚଣା ଦ୍ୱାର ରାତି ୧୨ଟା ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ।
ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ତ୍ୱରାନ୍ୱିତ କରିବାକୁ ହେବ । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁଣ୍ଡିଚାଘରକୁ ଶୋଧ କରାଯିବ ।ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟାଦର୍ଶନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଭୋର୪ଟାରେ ଠାକୁରଙ୍କ ଦ୍ୱାର ଫିଟା, ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢି ବେଶଶେଷ ହେବ ୭ଟାରେ । ଗୋଳବଲ୍ଲଭ ନୀତି ସରି ସକାଳଧୂପ ଅନୁଷ୍ଠିତ ହେବ ସକାଳ୮ଟାରୁ ୯ଟା୩୦ମିନିଟ୍ ମଧ୍ୟରେ । ଭୋଗମଣ୍ଡପ ନୀତି ପାଇଁ ସକାଳ ୧୦ଟା୩୦ମିନିଟ୍କୁ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅନ୍ନ ମହାପ୍ରସାଦ ।
ପରେ ମଇଲମ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବ ସାଢେ୧ଟାରୁ ୩ଟା ମଧ୍ୟରେ । ୨ୟ ଭୋଗମଣ୍ଡପ ୨ଟାରୁ ସାଢେ୩ଟା ମଧ୍ୟରେ, ମଇଲମ ଓ ବେଶ ୩ଟା୪୫ରୁ ୪ଟା୪୦ମିନିଟ୍ ମଧ୍ୟରେ ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଅପରାହ୍ନ ୫ଟାରେ ହୋଇ ସନ୍ଧ୍ୟାଧୂପ ଉଠିବ ସାଢେ୫ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ । ୩ୟ ଭୋଗମଣ୍ଡପ ୫ଟା୪୫ମିନିଟ୍ରୁ ସାଢେ୭ଟା ମଧ୍ୟରେ ଅନୁଷ୍ଠିତ ହେବ । ରାହାସକୁ ଦିଅଁବିଜେ ହେବେ ରାତି ୮ଟାରେ । ପରେ ଚନ୍ଦନଲାଗି ହୋଇ ରାତି ୯ଟା୩୦ମିନିଟ୍ ସୁଦ୍ଧା ବଡ ସିଂହାର ବେଶ ଓ ଭୋଗ ନୀତି ବଢିବ ।
ପହୁଡ଼ ଆଳତି ରାତି ୧୦ଟାରେ କରାଯିବାକୁ ନୀତିନିର୍ଘଣ୍ଟ ହୋଇଛି । ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବାପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ପରେ ସିଂହାସନଠାରେ ଚାରମାଳ ବନ୍ଧାଯାଇ ବିଳମ୍ବିତ ରାତ୍ର ୨ଟା୩୦ମିନିଟ୍ରୁ ୩ଟା୩୦ ଭିତରେ କୁସୁମିଲାଗି କରାଯିବ ।
ସନ୍ଧ୍ୟା ଦର୍ଶନରେ ଠାକୁରଙ୍କ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଳିଆ ସେବକମାନଙ୍କ ସହିତ ଆଲୋଚନା କରିଛନ୍ତି । ସନ୍ଧ୍ୟା ଦର୍ଶନରେ ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସହଯୋଗ କାମନା କରାଯାଇଛି ।
Comments are closed, but trackbacks and pingbacks are open.