କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ପୂବେଇ ପବନ ବହୁନି କି’ ଇଲିସି ମାଛ ଆଉ ମୁହାଣକୁ ଆସୁନାହାନ୍ତି । ମୌସୁମୀ ସମୟରେ ପୂବେଇ ପବନ ବହିଲେ ସମୁଦ୍ର କୂଳକୁ ଚାଲି ଆସନ୍ତି ଇଲିସି । ଫଳରେ ଏହି ସମୟରେ ଇଲିସି ମାଛ ପ୍ରଚୁର ଧରାଯାଏ, ଦର ଟିକେ କମ୍ ରହିଥାଏ । ଅଲଗା ସମୟରେ ଇଲିସି କେଜି ପ୍ରତି ୧ ହଜାରରୁ ଦେଢ଼ ହଜାର ଟଙ୍କା ରହୁଥିବା ବେଳେ ଏହି ମୌସୁମୀ ଓ ବର୍ଷା ସମୟରେ କିଲୋ ୨୫୦ରୁ ୪୦୦ ଟଙ୍କାକୁ ଖସି ଯାଇଥାଏ । ତେଣୁ ସବୁ ବର୍ଗର ଲୋକଙ୍କ ପାଟିରେ ଇଲିସି ମାଛର ସ୍ୱାଦ ଟିକେ ବାଜେ । କିନ୍ତୁ ଚଳିତ ବର୍ଷ ମୌସୁମୀ ଗୋଳମାଳିଆ କଲା ବେଳକୁ ଇଲିସି ଆଉ ମୁହାଣକୁ ଆସୁନାହାନ୍ତି । ତେଣୁ ଗ୍ରାହକଙ୍କଠାରୁ ଆରମ୍ଭ କରି ମତ୍ସ୍ୟଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।
ମତ୍ସ୍ୟଜୀବୀମାନଙ୍କ କହିବା କଥା, ଅଗଷ୍ଟ ପ୍ରଥମ ସପ୍ତାହରେ ସାଧାରଣତଃ ଇଲିସି ମାଛ ଅଧିକ ଧରା ଯାଇଥାଏ । ହେଲେ ମୌସୁମୀ ଏବର୍ଷ ନିଷ୍କ୍ରିୟ । ପୂବେଇ ପବନ ବଦଳରେ ବହି ଚାଲିଛି ପଶ୍ଚିମା ପବନ । ଫଳରେ ଇଲିସି ମାଛ ଗଭୀର ସମୁଦ୍ରରୁ ଆଉ କୂଳକୁ ବା ମୁହାଣକୁ ଆସୁନାହାନ୍ତି । ବନ୍ୟା ଆସିଲେ ନଈର ବଢ଼ିପାଣି ସମୁଦ୍ରରେ ମିଶିବା ଫଳରେ ଇଲିସି ମାଛ ମୁହାଣ ନିକଟବର୍ତ୍ତୀ ହୋଇଥାନ୍ତି । ସେମାନଙ୍କ କହିବାନୁସାରେ, ‘ଏହି ସମୟରେ ଆମେ ମତ୍ସ୍ୟଜୀବୀମାନେ ଭଲ ଇଲିସି ଧରି ଦୁଇ ପଇସା ପାଉ । ଗୋଟିଏ ଖେପାରେ ପ୍ରାୟ ୨୦ରୁ ୩୦ କିଲୋ ଇଲିସି ପଡ଼ିଥାଆନ୍ତି । କିନ୍ତୁ ଏବେ ତାହା ମିଳୁନି । ଯାହା ଫଳରେ ଖର୍ଚ୍ଚ ବଢ଼ିବାକୁ ଲାଗିଛି । ଥରେ ସମୁଦ୍ରକୁ ଗଲେ ଡଙ୍ଗାରେ ୧୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି ରାସନ, ଜାଳେଣି ବାବଦରେ । କିନ୍ତୁ ଲାଭ ହେଉନଥିବାରୁ ଏବେ ଆଉ ଯାଉନାହୁଁ । ସାଧାରଣତଃ ବରୁଣେଇ ମୁହାଣ ନିକଟରେ ନଈ ପାଣି ସମୁଦ୍ରରେ ମିଶିବା ସମୟରେ ଇଲିସି ମାଛ ଅଧିକ ମିଳିଥାଏ । ମୌସୁମୀ ନିଷ୍କ୍ରିୟ ହେବାରୁ ଇଲିସି ଆଉ ଅଣ୍ଡା ଦେବାକୁ ମୁହାଣ ନିକଟକୁ ଆସୁନାହାନ୍ତି । ଯାହା ଏବେ ଇଲିସି ବଂଶ ବିସ୍ତାରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ।’
ସେହିପରି କେତେଜଣ ପରିବେଶବିତ୍ଙ୍କ ମତରେ ମୁହାଣ ନିକଟରେ ଇଲିସି ମାଛର ଖାଦ୍ୟ ବା ଛୋଟ ଇଲିସିର ଖାଦ୍ୟ କୁହାଯାଉଥିବା ପ୍ଲାଂଟନ୍ ଆଉ ଏବେ ଦେଖିବାକୁ ମିଳୁନି । ଟୁବି, ବତୀଘର, କଜଳପାତିଆ, ନିପାଣିଆ, ଖୋଳା, ଖରିନାସୀ, ହରିଆବାଙ୍କ, ବାରନମ୍ୱର, ରାମନଗର, ବରଜ ବାହାକୁଦ, ବଉଳକଣି, ପ୍ରଭାକରପୁର, ଜମ୍ୱୁ, କଣ୍ଡରାପାତିଆ, ସୁନିତି, ଭୋପାଳ ପ୍ରଭୃତି ଗ୍ରାମର ପାଖାପାଖି ୪୦୦ରୁ ଊଦ୍ଧ୍ୱର୍ ଇଲିସି ଧରୁଥିବା ମତ୍ସ୍ୟଜୀବୀ ପରିବାର ଇଲିସି ଜାଲ ଓ ଡାଙ୍ଗ ଜେଟିରେ ଖଟାଇ ଉପରକୁ ଚାହିଁ ବସିଛନ୍ତି । ଚିନ୍ତାରେ ପଡ଼ିଛନ୍ତି ଜୀବିକାକୁ ନେଇ । ଯେଉଁ ଦିନ ଲଗାତାର ୩ରୁ ୪ ଦିନ ଝିପିଝିପି ବର୍ଷା ହେବ ଓ ପୂବେଇ ପବନ ମାଡ଼ିଆସିବ ସେହି ଦିନକୁ ଅପେକ୍ଷା କରି ମତ୍ସ୍ୟଜୀବୀମାନେ ବସିଛନ୍ତି । କଟକ, ଭୁବନେଶ୍ୱର, ରାଉରକେଲା, ସମ୍ୱଲପୁର, କୋଲକାତା, ନୂଆଦିଲ୍ଲୀ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ଆଦି ଅଞ୍ଚଳରେ ଇଲିସିର ଅଧିକ ଚାହିଦା । ମତ୍ସ୍ୟଜୀବୀଙ୍କ କହିବା କଥା, ଗୋଟେ ଇଲିସି ଜାଲ ତିଆରି କରିବାରେ ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଡଙ୍ଗା କଥା ଛାଡ଼ । ଯଦି ଇଲିସି ନ ମିଳିବ ଜାଲ ପଇସା ଶୁଝିବୁ କେଉଁଠୁ?
ମତ୍ସ୍ୟଜୀବୀ ସଂଘର ନେତା ଭକ୍ତରଞ୍ଜନ ମାହାଳିଙ୍କ ମତରେ, ଆମ ମତ୍ସ୍ୟଜୀବୀମାନଙ୍କର ବେଉସା ଏ ବର୍ଷ ଉଜୁଡ଼ିଯିବ । ଆମେ ପୂବେଇ ପବନକୁ ଚାହିଁ ଚାହିଁ ଆଖିରୁ ପାଣି ମରିଗଲାଣି । ଅନ୍ୟପକ୍ଷରେ, ଖରିନାସୀ ଅଞ୍ଚଳର ସୁବାସ ବିଶ୍ୱାଳ, ସମୀର ମିସ୍ତ୍ରୀ କୁହନ୍ତି, ଏହି ସମୟରେ ଆମେ ଖରିନାସି ଜେଟିରେ ଇଲିସି ଖର୍ଦ୍ଧି କରି ଘରକୁ ଆଣିବା ସହିତ ବନ୍ଧୁବାନ୍ଧବଙ୍କ ଘରକୁ ପଠାଉ । ଏ ବର୍ଷ ମାଛ ଦେଖିବାକୁ ମିଳୁନି । ପଶ୍ଚିମା ପବନ ବହିଲେ ଇଲିସି ବାଂଲାଦେଶ ଉପକୂଳକୁ ଚାଲିଯିବେ । ପୂବେଇ ପବନ ହେଲେ ହିଁ ଯାଇ ଓଡ଼ିଶା ଊପକୂଳକୁ ଆସିବେ ।


Comments are closed, but trackbacks and pingbacks are open.