ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ବାଲିମେଳା ରାଜ୍ୟ ରାଜପଥ ଏମଭି-୧୧ ଠାରେ ନିର୍ମିତ ଉଚ୍ଚା ସେତୁକୁ ଶୁକ୍ରବାର ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଲୋକାର୍ପଣ କରିଛନ୍ତି । ଏହି ପୋଲ ପାଇଁ ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ମନ୍ତ୍ରୀ ଆସିଥିବାବେଳେ ଏହି କାର୍ଯ୍ୟକ୍ରମ ଅନୁÂିତ ହୋଇଛି ।
ସୂଚନା ଅନୁସାରେ, ଅସରାଏ ବର୍ଷା ହେଲେ ଏମଭି-୧୧ ଠାରେ ଥିବା ନିଚ୍ଚା ପୋଲ ଉପରେ ପାଣି ହୋଇଯାଇଥାଏ । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ । ଏଠାରେ ଉଚ୍ଚା ପୋଲ ନିର୍ମାଣ ପାଇଁ ପୂର୍ବରୁ ଜିଲ୍ଲାବାସୀ ବାରମ୍ବାର ଦାବି କରି ଆସୁଥିଲେ । ରାଜ୍ୟ ସରକାର ଗତ ଦୁଇ ବର୍ଷ ହେଲା ଏହି ପୋଲ କାମ ଆରମ୍ଭ କରିଥିଲେ । ନିର୍ମାଣ କାମ ଦୀର୍ଘ ଦିନ ହେଲା ଶେଷ ହୋଇଥିଲେ ହେଁ ଉଦଘାଟନ ହୋଇ ନଥିଲା । ଗତ ୫ ଦିନ ହେଲା ଏଠାରେ ଲଗାଣ ବର୍ଷା ଯୋଗୁ ନିଚ୍ଚା ପୋଲଟି ବୁଡି ଯାଇଥିଲା । ଯୋଗାଯୋଗ ସ୍ୱାଭାବିକ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅପରାହ୍ଣରେ ନୂତନ ସେତୁଟିକୁ ଉଦଘାଟନ କରିଛନ୍ତି ।
ଉଦଘାଟନୀ ସଭାରେ କୋଭିଡ ନିୟମ ପାଳନ କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷାକରି ଏଥିରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣଚନ୍ଦ୍ର ବାକା, ମାଲାକନଗିରି ବିଧାୟକ ଆଦିତ୍ୟ ମାଢି, ପୂର୍ବତନ ବିଧାୟକ ତଥା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉଦ୍ଧବ ଚରଣ ନାୟକ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।
Comments are closed, but trackbacks and pingbacks are open.