ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲା ସଦରମହକୁମାରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଡିଏନକେ ଖେଳ ପଡିଆରେ ଏହାର ଆୟୋଜନ କରାଯାଇଥିଲା । କରୋନା କଟକଣା ଯୋଗୁ ସାଧାରଣ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନଥିଲା । ପଞ୍ଚାୟତିରାଜ, ଆଇନ, ପାନୀୟ ଜଳ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ ସହ ଶ୍ରୀ ଜେନା ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ କେବଳ ପୁଲିସ ବ୍ୟାଣ୍ଡ ପାର୍ଟି ଓ ଗୋଟିଏ ଟ୍ରୁପ ଜାତୀୟ ସଂଗୀତ ଗାନ କରିବା ସହ ପରେଡ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜେନା ନିଜ ଭାଷଣରେ ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ, ସ୍ୱାଧୀନତା ସଂଗ୍ରାମରେ ଗାନ୍ଧି ଓ ଅନ୍ୟ ନେତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଟୁରୀ ନଦୀ କୂଳରେ ଅବସ୍ଥିତ ପାପଡାହାଣ୍ଡିଠାରେ ବ୍ରିଟିଶ ଗୁଳିରେ ପ୍ରାଣ ହରାଇଥିବା ୧୯ ଜଣ ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ । ଜିଲ୍ଲାର ସୌନ୍ଦ୍ୟର୍ଯ୍ୟ, ବଣ୍ଡା, ଡିଡାଇ, କୋୟା ଭଳି ଆଦିମ ଜନଜାତିଙ୍କ ମଣିଷପଣିଆ, ସରଳତା, କର୍ମ ନିପୁଣତା ଉପରେ ମଧ୍ୟ ମନ୍ତ୍ରୀ ଆଲୋକପାତ କରିଥିଲେ । କ୍ରୀଡା କ୍ଷେତ୍ରରେ ଜିଲ୍ଲାର ରାଜେଶ ହାନ୍ସଦା, ଭଗତରାମ ନାୟକଙ୍କ ପରି ଯୁବ ତୀରନ୍ଦାଜ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବାରୁ ମନ୍ତ୍ରୀ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ବଣ୍ଡା ଯୁବକ ହାଡି ଧାଙ୍ଗଡା ମାଝି ରଗବୀ ଖେଳରେ ଭାରତକୁ ପ୍ରତିନିଧିତ୍ୱ କରିଥିବାରୁ ସେ ଜିଲ୍ଲା ପାଇଁ ଗର୍ବ ବୋଲି ମନ୍ତ୍ରୀ କହିଥିଲେ । ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା କରିବାକୁ ମନ୍ତ୍ରୀ ଲୋକଙ୍କ ସହଯୋଗ କାମନା କରିଥିଲେ । କରୋନାକୁ ହଟାଇବାକୁ ଦିନରାତି ଉଦ୍ୟମରତ ଯୋଦ୍ଧାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କୋଭିଡ ମୁକାବିଲାରେ ଓଡିଶାର ଭୂମିକା ସମ୍ପର୍କରେ କହିଥିଲେ । ପ୍ଲାଜମା ଥେରାପିର ସଫଳତା ସମ୍ପର୍କରେ କହିଥିଲେ । ରାଜ୍ୟରେ କୃଷି ବୃଦ୍ଧିହାର ୭.୬ ପ୍ରତିଶତରୁ ଅଧିକ ରହିବା ଉତ୍ସାହଜନକ ବୋଲି କହିଥିଲେ । ଏହି ଅବସରରେ ୨୬ ଜଣ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପହାର ଦେଇ ସ୍ୱାଗତ କରିଥିଲେ । ସମସ୍ତ ପୁରସ୍କାର ସ୍ଥାନୀୟ ଷ୍ଟେଟବ୍ୟାଙ୍କ, ମୁଖ୍ୟ ଶାଖା ପକ୍ଷରୁ ଯୋଗାଇ ଦିଆଯାଇଥିଲା । ଡ୍ରାଇଭର, ଆଶା, ମହିଳା ଓ ଶୁଶୁ କଲ୍ୟାଣ ବିଭାଗ କର୍ମୀ, ନର୍ସ, ମେଡିକାଲ ଅଫିସର, ଡାକ୍ତର, ତହସିଲଦାର, ବିଡିଓ, ପୁଲିସ ହୋମଗାର୍ଡ ଓ ଏସଆଇମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ମୁଖ୍ୟ ଅତିଥି ସଂସ୍କୃତି ଭବନ ପରିସରରେ ଆୟୋଜିତ ଚାରାରୋପଣ କାର୍ଯ୍ୟରେ ଭାଗ ନେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପୁଲିସ ଅଧୀକ୍ଷକ ରିଷି ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ପ୍ରକଳ୍ପ ନିଦେ୍ର୍ଧଶକ ବାଳମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ ସାମନ୍ତରାୟ, ସଦର ତହସିଲଦାର ଗୁଣନିଧି ନାୟକ, ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons