ଉମରକୋଟ,(ବି.ବି.ନ୍ୟୁଜ୍): ୭ ମାସର ଶିଶୁପୁତ୍ରକୁ ବାପା ବିକ୍ରି କରିବା ଭଳି ଅମାନବୀୟ ଘଟଣାକୁ ପୁଲିସ୍ ଗମ୍ଭୀରତାର ସହ ବିଚାରକୁ ନେଇଛି । ତଦନ୍ତ ପରେ ଶିଶୁକୁ ମା’ କୋଳକୁ ଫେରାଇ ଆଣିଛି । ତିନି ସନ୍ତାନଙ୍କ ସହ ମାଆ ସନମତୀ ଏବେ ଝରିଗାଁ ବ୍ଲକ ଗାଉଁଟିଆଗୁଡାରେ ଥିବା ଅଜା ଘରେ ଆଶ୍ରୟ ନେଇଛନ୍ତି । ଏହି ଘଟଣା ପରେ ମଙ୍ଗଳବାର ରାତିରୁ ବାପା ସଗାରାମ ଫେରାର୍ ହୋଇଯାଇଛନ୍ତି । ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ ହେମନ୍ତ କୁମାର ପାଢି କହିଛନ୍ତି । ଅଟକ ୨ ଜଣ ହେଲେ ଛୁଆକୁ କିଣିଥିବା ରମେଶ ପଟ୍ଟନାୟକ ଓ ତାଙ୍କ ସଂପର୍କୀୟ ନରେଶ ପଟ୍ଟନାୟକ ।
ଗତ ମଙ୍ଗଳବାର ଦିନ ନିଜ ୭ ମାସର ଶିଶୁପୁତ୍ରକୁ ବିକ୍ରି କରିଦେଇଥିଲେ ସଗାରାମ । ଏହା ଜଣାପଠଡିବା ପରେ ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଗାଉଁଟିଆଗୁଡାର ଶ୍ୱଶୁର ଘର ଲୋକେ ଜ୍ୱାଇଁ ସଗାରାମଙ୍କୁ ଏକ ଖୁଣ୍ଟରେ ବାନ୍ଧି ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ସଗାରାମଙ୍କୁ ଉଦ୍ଧାର କରିଥିଲା । ଏ ସମ୍ପର୍କରେ ସନମତୀ ଉମରକୋଟ ଥାନାରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଥିଲେ । ସ୍ୱାମୀ ସଗାରାମ ୭ ମାସର ପୁଅକୁ ରମେଶ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଏତଲାରେ ଦର୍ଶାଇଥିଲେ । ଏ ସଂପର୍କରେ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରମେଶ ଓ ତାଙ୍କ ସଂପର୍କୀୟ ନରେଶ ପଟ୍ଟନାୟକ ଶିଶୁପୁତ୍ରକୁ ଧରି ଉମରକୋଟ ଥାନାରେ ପହଞ୍ଚିଥିଲେ । ଏହାପରେ ଘଟଣା ଭିନ୍ନ ମୋଡ ନେଇଥିଲା ।
ଉଲ୍ଲେଖ ଥାଉକି, ବୁର୍ଜା ପଞ୍ଚାୟତ ପୂଜାରୀଗୁଡା ଗାଁର ସମାରାମ ଗାଉଁଟିଆଗୁଡାର ସନମତୀଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଦୁଇଝିଅ ଓ ୭ ମାସର ଏକ ଶିଶୁପତ୍ର ଅଛନ୍ତି । ପୂଜାରୀଗୁଡା ଗାଁରେ ଏକ ନୁଆଁଣିଆ ଛୋଟ ଘର କରି ରହି ଆସୁଛନ୍ତି । ବର୍ଷର ଅଧିକାଂଶ ସମୟ ଦାଦନ ଖଟିବାକୁ ଯାଇଥାନ୍ତି ସଗାରାମ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆବାସ ଯୋଜନାରେ ମିଳିଥିବା ଘରର ଟିଣ ଓ ଆସବାବପତ୍ର ବିକ୍ରି କରିବା ସହ ରେସନକାର୍ଡକୁ ବନ୍ଧା ପକାଇ ଦେଇଥିବା ବୁର୍ଜା ସରପଞ୍ଚ ଶୋଭାସିଂ ଗଣ୍ଡ କହିଛନ୍ତି । ଘରର କବାଟ ନଥିବାରୁ ପାଇଖାନା କବାଟ ତାଡି ଘରର କବାଟ ଭାବେ ବ୍ୟବହାର କରିଛନ୍ତି । ତିନି ଛୁଆର ଲାଳନ ପାଳନ କରୁଥିଲେ ମଧ୍ୟ ପିତାମାତା ହିସାବରେ ଉପଯୁକ୍ତ ଯତ୍ନ ନେଉନଥିଲେ । ଏହି ଅବସ୍ଥା ଦେଖି ରମେଶଙ୍କ ଜଣେ ସମ୍ପର୍କୀୟ ନିଃସନ୍ତାନ ଥିବାରୁ ସଗାରାମଙ୍କ ୭ ମାସର ଛୁଆକୁ ପୋଷ୍ୟ ରୂପେ ନେବାକୁ ଇଚ୍ଛା କରିଥିଲେ । ସେ ସଗାରାମଙ୍କ ସହ ଆଲୋଚନା କରି ହେରାପଞ୍ଚମୀ ଦିନ ଭଲଯୋଗ ଦେଖି ନେବାକୁ ସ୍ଥିର କରିଥିଲେ । ସଗାରାମଙ୍କୁ ଏ ସମ୍ପର୍କରେ କିଛି ଟଙ୍କା ଦେବାକୁ ପ୍ରଲୋଭନ ଦେଖାଇଥିଲେ । ଟଙ୍କା ଲୋଭ ଓ ନିଜ ଛୁଆ ଭଲରେ ରହିବ ଭାବି ସଗାରାମ ବି ପ୍ରସ୍ତାବରେ ରାଜି ହୋଇଥିଲେ । ହେରାପଞ୍ଚମୀ ଦିନ ଶିଶୁପୁତ୍ରକୁ ଉମରକୋଟ ପେଣ୍ଡ୍ରାଣୀ ମନ୍ଦିରରେ ସନମତୀଙ୍କ ଉପସ୍ଥିତିରେ ରମେଶ ଓ ତାଙ୍କ ସମ୍ପର୍କୀୟକୁ ଦେଇଥିଲେ । ଏହାପରେ ସ୍ୱାମୀ-ସ୍ତ୍ରୀ ଗାଉଁଟିଆଗୁଡାରେ ଥିବା ବାପଘରକୁ ୨ ଝିଅ ସହ ବୁଲିବାକୁ ଯାଇଥିଲେ । ଶ୍ୱଶୁର ନାତି କଥା ପଚାରିବାରୁ ସଗାରାମ ଦୁର୍ଘଟଣାରେ ମରିଯାଇଥିବା କହିଥିଲେ । ଏଥିରେ ସନ୍ଦେହ କରି ଶ୍ୱଶୁର ଓ ଅନ୍ୟମାନେ ତାଙ୍କୁ ଖୁଣ୍ଟରେ ବାନ୍ଧି ପୁଲିସ୍କୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ରମେଶ ଓ ନରେଶ ମଙ୍ଗଳବାର ରାତିରେ ଛୁଆସହ ଉମରକୋଟ ଥାନାରେ ପହଞ୍ଚିଥିଲେ । ନିଃସନ୍ତାନ ଥିବା ଯୋଗୁ ସେମାନେ ଛୁଆକୁ ନେଇ ପାଳିିବେ ବୋଲି ଜଣାଇଥିଲେ । କିନ୍ତୁ ଆଇନ ଅନୁଯାୟୀ କାଗଜପତ୍ର କରାଯାଇନଥିବାରୁ ସନମତୀଙ୍କ ଏତଲାକୁ ଭିଣ୍ଟିକରି ଉଭୟଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଏସ୍ଡିପିଓ ଶ୍ରୀ ପାଢି କହିଛନ୍ତି ।
Comments are closed, but trackbacks and pingbacks are open.