ସପ୍ତାହକରେ ଗଲାଣି ୯ ଜୀବନ

Get real time updates directly on you device, subscribe now.

ମାଥିଲି,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଶେଷ ପଞ୍ଚାୟତ କମାରପାଲ୍ଲିର ସୋଡିଗୁଡା ଗାଁରେ ଅଜଣା ରୋଗ ଆତଙ୍କ । ସପ୍ତାହକରେ ଗଲାଣି ୯ ଜୀବନ । ଏବେ ବି ୨୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଫୁଲିଯାଉଛି ଦେହହାତ, ଦୁର୍ବଳ ହୋଇଯାଉଛି ଶରୀର । ମାତ୍ର ଦିନ କେଇଟା ଭିତରେ ଉଡ଼ିଯାଉଛି ପ୍ରାଣବାୟୁ । ତେଣେ କରୋନା ଭୟରେ ଲୋକେ ଡାକ୍ତରଖାନା ଯାଉନାହାନ୍ତି । ଗୁଣିଆ ଓ ଦିଶାରୀଙ୍କ ଶରଣ ପଶି ଝଡ଼ାଫୁଙ୍କା କରୁଛନ୍ତି । ଏଭଳି ଖବର ଜଣାପଡ଼ିବା ପରେ ଆଜି ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଆକ୍ରାନ୍ତମାନଙ୍କ ପରିଶ୍ରା ଏବଂ ରକ୍ତ ନମୁନା ସଂଗ୍ରହ କରିଛି । ତା ସହିତ ବିଭିନ୍ନ ଜଳଉତ୍ସର ନମୁନା ସଂଗ୍ରହ କରାଯାଇଥିବା ମାଥିଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ୍ ଅଫିସର ଅମିୟ କୁମାର ସ୍ୱାଇଁ କହିଛନ୍ତି ।
ଛତିଶଗଡ଼ ସୀମାରେ ରହିଛି ଏହି ଗାଁ । ଅତ୍ୟନ୍ତ ଦୁର୍ଗମ ଏବଂ ନକ୍ସଲପ୍ରବଣ । ଗତ କିଛିଦିନ ହେଲା ଗାଁରେ ଦେଖାଦେଇଛି ଏହି ଅଜଣା ରୋଗ । ସପ୍ତାହକ ଭିତରେ ଆଖି ବୁଜିଲେଣି ଗାଁର ବାମନ ମାଢି, ଆଡମା ସୋଡି, ମିଡିଆ ସୋଡି, କସା ମାଢି, ଲକ୍ଷ୍ମୀ କବାସୀ, ଇର୍ମା କବାସୀ, ମଙ୍ଗଳା ମାଡକାମୀ, ୧୪ ବର୍ଷର ସନମତୀ ମାଢି ଓ ପଦ୍ମା ମାଢି ପ୍ରମୁଖ ୯ଜଣ । ପ୍ରତିଦିନ କେହି ନା କେହି ଏହି ରୋଗର ଶିକାର ହେଉଛନ୍ତି । ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । କରୋନା ସଂକ୍ରମଣ ଭୟ ଥିବାରୁ ମେଡିକାଲ ଯିବାକୁ ପସନ୍ଦ କରୁନାହାନ୍ତି । କାଳେ କେହି ଗୁରୁତ୍ୱ ଦେବେକି ନାହିଁ କିମ୍ବା ପରୀକ୍ଷା କରି ମାଲକାନଗିରି କିମ୍ବା ଅନ୍ୟ କୁଆଡେ ପଠାଇ ଦେଇପାରନ୍ତି ଆଶଙ୍କା କରି ଘରୁ ଗୋଡ଼ କାଢୁନାହାନ୍ତି । ଗାଁର ଶିକ୍ଷିତ ଲୋକଙ୍କ ପରାମର୍ଶ ନମାନି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ଦିଶାରୀ ଓ ଗୁଣିଆ ପାଖକୁ ରୋଗୀଙ୍କୁ ନେଇ ଝଡ଼ାଫୁଙ୍କା କରାଉଛନ୍ତି । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ମୃତୁ୍ୟର କାରଣ ହେଉଛି ବୋଲି କେତେକ ଶିକ୍ଷିତ ଯୁବକ କହିଛନ୍ତି ।
୯ ଜଣଙ୍କ ଜୀବନ ଗଲାପରେ ଖବର ପାଇଥିଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ । ଆଜି ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ବିଡିଓ ଆଶିଷ କୁମାର ଭୋଇଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସନ୍ଧ୍ୟାରାଣୀ ପ;ନାୟକ ଏବଂ ମାଥିଲି ଗୋÂୀସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀ ସ୍ୱାଇଁ ସୋଡ଼ିଗୁଡ଼ା ଗାଁରେ ପହଞ୍ଚିଥିଲେ । କେଉଁ କାରଣରୁ ରୋଗ ବ୍ୟାପୁଛି, ତାହାର ଅନୁସନ୍ଧାନ କରିଥିଲେ । ରୋଗରେ ଆକ୍ରାନ୍ତ ଥିବା ୧୩ ଜଣଙ୍କ ପରିଶ୍ରା ଏବଂ ରକ୍ତ ନମୁନା ସହ ବିଭିନ୍ନ ଜଳଉତ୍ସର ନମୁନା ସଂଗ୍ରହ କରିଥିଲେ । ଡାକ୍ତର ଶ୍ରୀ ସ୍ୱାଇଁ କହିଛନ୍ତି, ନମୁନା ପରୀକ୍ଷା ପରେ ରୋଗର ପ୍ରକୃତ କାରଣ ଜଣାପଡ଼ିବ । ଯେଉଁମାନେ ଆକ୍ରାନ୍ତ ଅବସ୍ଥାରେ ଅଛନ୍ତି, ସେମାନଙ୍କୁ ଡାକ୍ତରଖାନା ନିଆଯିବ । ଦରକାର ପଡ଼ିଲେ ବାହାରକୁ ପଠାଯିବା ବ୍ୟବସ୍ଥା କରାଯିବ । ପ୍ରାୟ ମାସକ ତଳେ ଏହି ଗାଁର ଜଣେ ରୋଗୀ ଡାକ୍ତରଖାନାକୁ ଆସିଥିଲେ । ତାଙ୍କର କିଡନୀଜନିତ ସମସ୍ୟା ଥିଲା । ତେଣୁ ପରୀକ୍ଷା ପରେ ପ୍ରକୃତ ରୋଗ ସଂପର୍କରେ ଜଣାପଡ଼ିବ ।
ସୂଚନାଥାଉକି, ମାଥିଲି ସଦର ମହକୁମାରୁ କମାରପାଲ୍ଲି ପଞ୍ଚାୟତର ଦୂରତା ପ୍ରାୟ ୫୦ କିମି । ସେଠାକୁ ଯିବା ଲାଗି ସେଭଳି କୌଣସି ଗମନାଗମନ ସୁବିଧା ନାହିଁ । ଆଗରୁ ଗୋଟିଏ ବସ୍ ଚାଲୁଥିଲା । ତାକୁ ନକ୍ସଲମାନେ ଜାଳିଦେଲେ । ତା ପରଠୁ କାଁଭାଁ କେମିତି ଟ୍ୟାକ୍ସି ଚାଲୁଛି ମହୁପଦର ପର୍ଯ୍ୟନ୍ତ । ମହୁପଦରରୁ କମାରପାଲ୍ଲି ପଞ୍ଚାୟତର ଦୂରତା ୫ କିମି । ଏହି ୫ କିମି ଲୋକେ ଚାଲି ଚାଲି ଯାଇଥାନ୍ତି । କରୋନା ପରଠୁ ସେମାନଙ୍କ ଅବସ୍ଥା ଆହୁରି ଦୁର୍ବିସହ ହୋଇପଡ଼ିଛି । କୌଣସି ଗାଡ଼ି ମିଳୁନଥିବାରୁ ଜରୁରୀକାଳିନ ପରିସ୍ଥିତିରେ ଗରିବ ଆଦିବାସୀମାନେ ମାଥିଲି ପର୍ଯ୍ୟନ୍ତ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳୁଛି । ମାଥିଲି ଓ ମହୁପଦର ମଧ୍ୟରେ ରହିଛି ସାଲିମି ସ୍ୱାସ୍ଥ୍ୟକେନ୍ଦ୍ର । ସେଠାରେ ବି ସ୍ୱାସ୍ଥ୍ୟସେବା ଠିକ୍ରେ ମିଳୁନି । ତେଣୁ ଏସବୁ ଅସୁବିଧା ସାଙ୍ଗକୁ କରୋନା ଭୟ ମାଡ଼ିବସିଛି ଲୋକଙ୍କୁ । ଜିଲ୍ଲା ପ୍ରଶାସନ ଏସବୁ ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟିଦେବା ଦରକାର । ତା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଆକ୍ରାନ୍ତମାନଙ୍କୁ ଡାକ୍ତରଖାନା ଆଣି ମାଗଣାରେ ଚିକିତ୍ସା ସେବା ଯୋଗାଇବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons