କମିଶନରେଟ୍ ପୁଲିସର ସ୍ପେଶାଲ ଡ୍ରାଇଭ୍:ଧରାପଡ଼ିଲେ ୫ସ୍ଥାନରୁ୧୩ ନିଶା ବେପାରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କମିଶନରେଟ୍ ପୁଲିସ ନିଶା ବେପାରୀଙ୍କୁ ସାବାଡ଼ କରିବା ପାଇଁ ଚଳାଇଥିବା ସ୍ପେଶାଲ ଡ୍ରାଇଭ୍ରେ ଆଜି ପୁଣି ୧୩ ନିଶା ବେପାରୀ ଗିରଫ ହୋଇଛନ୍ତି । କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି), ଜଟଣୀ, ଚନ୍ଦକା, ଖାରବେଳନଗର, ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୩ ଜଣଙ୍କୁ ଧରିଛନ୍ତି । ସେମାନଙ୍କ ଠାରୁ ୮୪ ଗ୍ରାମ ବ୍ରାଉନ୍ସୁଗର, ୧୨ କେଜି ଗଞ୍ଜେଇ, ୫୪ ହଜାର ଟଙ୍କା ଓ ୫ଟି ବାଇକ୍ ଜବତ କରାଯାଇଛି । ଏହି ଧରପଗଡ଼ରେ କମିଶନରେଟ୍ ପୁଲିସ ଆଜି ସୁଦ୍ଧା ୩୦ ଜଣ ନିଶା ବେପାରୀଙ୍କୁ ଗିରଫ କଲାଣି । ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
ଜଟଣୀ ଥାନା ପୁଲିସ ୨ଟି ମାମଲାରେ ୫ ବ୍ରାଉନ୍ସୁଗର ବେପାରୀଙ୍କୁ ଗିରଫ କରିଛି । ଜଟଣୀ ନୂଆଗାଁରେ କ୍ୟୁଏଟି ଓ ଜଟଣୀ ଥାନା ପୁଲିସ ମିଳିତ ଚଢ଼ଉ କରି ଅଜୁ ନାୟକ(୨୦) ଓ ସୁକାନ୍ତ ନାୟକ(୪୦)ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୦ ଗ୍ରାମର ବ୍ରାଉନ୍ସୁଗର, ୪୨ ହଜାର ୩ଶହ ଟଙ୍କା ଓ ଦୁଇଟି ବାଇକ୍ ଜବତ କରିଛନ୍ତି । ସେହିପରି ଗଙ୍ଗପଡ଼ା ନିକଟରେ ଥିବା ଏକ ନିର୍ମାଣାଧୀନ ଘର ନିକଟରେ ଚଢ଼ଉ କରି ୩ ବେପାରୀଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ଗଉ ଓରଫ ଗୌତମ ବେହେରା(୨୭), ରାଜା ଓରଫ ରାଜେଶ ପଟ୍ଟନାୟକ(୧୯) ଓ ରକି ଓରଫ ପ୍ରିତମ ଦାସ(୨୧) । ୩ ଜଣଙ୍କ ଠାରୁ ୩୧ ଗ୍ରାମ ବ୍ରାଉନ୍ସୁଗର, ୧୨ ହଜାର ଟଙ୍କା ଓ ଦୁଇଟି ବାଇକ୍ ଜବତ କରାଯାଇଛି । ଆଜି ୫ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଚନ୍ଦକା ଥାନା ପୁଲିସ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧ କିଲୋ ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ବେପାରୀ ହେଲେ ଗୋଠପାଟଣାରେ ଦୋକାନ କରିଥିବା ଜୟକୃଷ୍ଣ ପ୍ରଧାନ । ଜୟକୃଷ୍ଣ ଦୋକାନରେ ଗଞ୍ଜେଇ କାରବାର କରୁଥିବା ଖବରପାଇ ପୁଲିସ ଚଢ଼ଉ କରିଥିଲା । ତାଙ୍କୁ ଗିରଫ କରିବା ସହ ଗଞ୍ଜେଇ ଓ ଏକ ସ୍କୁଟି ଜବତ କରିଥିଲା । ଆଜି ଜୟକୃଷ୍ଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଖଣ୍ଡଗିରି ଥାନା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ନୁର୍ ଓରଫ ସେକ୍ ନୁର୍ଦ୍ଦିନ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ନୁର୍ ଓ ତା’ ସହଯୋଗୀ ଅଜୁ ଓରଫ ଅର୍ଜୁନ ପ୍ରଧାନ, ମୂରଲୀ ଓରଫ ହେମନ୍ତ କୁମାର ମାହାଳିକ ଓ ଶିବ ଓରଫ ରମାକାନ୍ତ ଜେନା । ୪ ଜଣଙ୍କ ଠାରୁ ୧୦ କେଜି ୬୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ନୁର୍ ଜଣେ ପେଶାଦାର ଅପରାଧୀ । ତା’ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଆଦି ମାମଲା ରହିଛି । କେବଳ ଖଣ୍ଡଗିରି ଥାନାରେ ନୁର୍ ନାମରେ ୯ଟି ଅପରାଧିକ ମାମଲା ଥିବା ପୁଲିସ କହିଛି । ୪ ବେପାରୀଙ୍କୁ ପୁଲିସ ବରମୁଣ୍ଡା ଅଞ୍ଚଳରୁ ଗିରଫ କରିଥିଲା । ଆଜି ୪ ଜଣଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଖାରବେଳନଗର ଥାନା ପୁଲିସ ଦୁଇ ବ୍ରାଉନ୍ସୁଗର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୫ ଗ୍ରାମ ଓଜନର ବ୍ରାଉନ୍ସୁଗର ଓ ୮୦୦ ଟଙ୍କା ଜବତ କରିଛି । ଗିରଫ ଦୁଇଜଣ ହେଲେ ଲୋକେଶ ପାଲ ଓ ଶିବ ଶଙ୍କର ବେହେରା । ଉଭୟେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ପୁଲିସ ମାଡ଼ି ବସିଥିଲା । ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଲୋକେଶ ନାମରେ ପୂର୍ବରୁ ମଧ୍ୟ ଖାରବେଳନଗର ଥାନାରେ ମାମଲା ରହିଛି ।
ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡ଼ିଆରେ ଚଢ଼ଉ କରି ଜଣେ ବେପାରୀକୁ ଗିରଫ କରିବା ସହ ୭.୪ ଗ୍ରାମ ବ୍ରାଉନ୍ସୁଗର, ୧୩୫୦ ଟଙ୍କା ଓ ଗୋଟିଏ ବାଇକ୍ ଜବତ କରିଛି । ଗିରଫ ବେପାରୀର ନାମ ରାଜା ଓରଫ ଅଜୟ ପରିଡ଼ା(୨୦) । ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ରାକାମା । ସେ ହଳଦୀପଡ଼ିଆରେ ରହି ବ୍ରାଉନ୍ସୁଗର କାରବାର କରୁଥିଲା । ଆଜି ରାଜାକୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons