ଗୋଷାଣି, (ବି.ବି.ନ୍ୟୁଜ୍): ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଅନ୍ତର୍ଗତ ଏସ୍.ସୋବରା ଗାଁ ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ଟ୍ରାକ୍ଟର୍ (ଓଡି୨୦ଏ-୬୮୪୦) ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକ୍ଟର୍ରେ ବସିଥିବା ଜଣେ ମହିଳା କୁସୁମ ଶବର (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ଘର ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ଼ ଗାଁ । ଦୁର୍ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ଭୋଜି ଖାଇ ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ଗାରାବନ୍ଧ ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଆହତମାନଙ୍କୁୁ ଗାରାବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା । ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।
ପୁଲିସ ସୂଚନା ଅନୁସାରେ, ସନ୍ଧିଗାଁର ଜଣେ ଯୁବତୀ ସୋବରା ପଞ୍ଚାୟତର ଅନ୍ଧାରଝୋଲାରେ ବିବାହ କରିଥିଲେ । ତାଙ୍କୁ ପ୍ରସବ ପାଇଁ ବାପଘର ଲୋକ ଡାକି ଆଣିଥିଲେ । ଶୁକ୍ରବାର ପରମ୍ପରା ଅନୁସାରେ ନବଜାତକକୁ ତାଙ୍କ ଘରେ ଛାଡ଼ିବା ପାଇଁ ବନ୍ଧୁବାନ୍ଧବ ଏବଂ ଗାଁ ଲୋକ ଯାଇଥିଲେ । ସେଠାରୁ ଭୋଜି ଖାଇ ଏକ ଟ୍ରାକ୍ଟର୍ରେ ଫେରୁଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମସ୍ତ ଯାତ୍ରୀ ଏଣେତଣେ ଛିଟିକି ପଡ଼ିଥିଲେ । ଟ୍ରାକ୍ଟର୍ ଟ୍ରଲି ତଳେ କୁସୁମ ଶବର ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାରାବନ୍ଧ ଥାନା ପୁଲିସ ମୃତଦେହ ଜବତ କରିବା ସହ ଆହତମାନଙ୍କୁୁ ଗାରାବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଇଲା । ୬ ଜଣ ଗୁରୁତର ପାରଳାଖେମୁଣ୍ଡି ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟମାନେ ଗାରାବନ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.