ବଲାଙ୍ଗୀର,(ବି.ବି.ନ୍ୟୁଜ୍): ବାଲି ଚାଲାଣ ପାଇଁ ଅନୁମତି ଦେବାକୁ ୨୦ହଜାର ଟଙ୍କା ଲାଞ୍ଚ ମାଗି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀ ଦେଓଗାଁ ତହସିଲ ଅନ୍ତର୍ଗତ ଗାଈବାହାଲ ବାଲି ଖାଦାନ ପାଇଁ ବିରେନ ଦଳାଇଙ୍କଠାରୁ ଲାଞ୍ଚ ନେଇଥିଲେ । ଲାଞ୍ଚ ନେବାର କିଛି ସମୟ ପରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗିରଫ କରିବା ସହ ଟଙ୍କା ଜବତ କରିଥିଲେ । ଏଥିସହ ଶ୍ରୀ ଚୌଧୁରୀଙ୍କ ଦେଓଗାଁସ୍ଥିତ କାର୍ଯ୍ୟାଳୟ, ବଲାଙ୍ଗୀର ସହରର ଥିବା ଭଡ଼ାଘର ଏବଂ ରାୟଗଡ଼ାସ୍ଥିତ ନିଜ ଘରେ ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା । ତାଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ କହିଛନ୍ତି ।
ସାଗରପାଲି ଗ୍ରାମର ବିରେନ ଦଳାଇ ଗାଈବାହାଲ ବାଲି ଖାଦାନର ଲିଜ ପାଇଛନ୍ତି । କିନ୍ତୁ ଇତିମଧ୍ୟରେ ତାଙ୍କର ଟ୍ରାନଜିଟ ପାସ୍(ୱାଇ-ଫର୍ମ)ର ଅବଧି ଶେଷ ହେବାକୁ ଆସିଥିଲା । ତେଣୁ ବିରେନ ତହସିଲରେ ଉକ୍ତ ଫର୍ମ ପାଇଁ ଆବେଦନ କରିଥିଲେ । କିନ୍ତୁ ଆବେଦନ ପରେ ମଧ୍ୟ ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀ ଲାଞ୍ଚ ମାଗିବା ସହିତ ଦିନ ଗଡ଼ାଇ ଚାଲିଥିଲେ । ସେ ୱାଇ ଫର୍ମ ଦେବାକୁ ୨୫ହଜାର ଟଙ୍କା ମାଗିଥିଲେ । ତେଣୁ ସେ ପ୍ରଥମେ ୫ହଜାର ଟଙ୍କା ଦେଇଥିବା ବେଳେ ପୂର୍ବ ନିଷ୍ପତ୍ତି ମୁତାବକ ଆଜି ୨୦ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏହାପୂର୍ବରୁ ବିରେନ ବଲାଙ୍ଗୀର ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବାରୁ ସମ୍ବଲପୁର ଭିଜିଲାନ୍ସ ବିଭାଗ କେସ ନଂ ୨୦ ତା୧୧ା୭ା୨୦୧୯ରେ ଏକ ମାମଲା ରୁଜୁ କରି ତାଙ୍କର ଅଫିସ ବାହାରେ ଜଗି ରହିଥିଲେ । ପୂର୍ବ ଯୋଜନା ମୁତାବକ ଆଜି ପୂର୍ବାହ୍ନ ୧୨ଟା ୧୫ରେ ବିରେନ ୨୦ହଜାର ଟଙ୍କା ଶ୍ରୀ ଚୌଧୁରୀଙ୍କୁ ଦେଇ ଆସିବା ପରେ ଭିଜିଲାନ୍ସ ଟିମ ଯାଇ ତାଙ୍କଠାରୁ ଟଙ୍କା ଜବତ କରିଥିଲେ ।
ଅପରପକ୍ଷେ, ଗିରଫ ହେବା ପରେ ଶ୍ରୀ ଚୌଧୁରୀ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏପରିକି ଗତ ଦୁଇ ସପ୍ତାହ ପୂର୍ବରୁ ବିରେନକୁ କୌଣସି ଏକ କାରଣରୁ ଜୋରିମାନା କରିଥିଲେ । ତେଣୁ ସେ ପ୍ରତିଶୋଧ ପରାୟଣ ହୋଇ ଯୋଜନା କରି ତାଙ୍କୁ ଗିରଫ କରାଇଛନ୍ତି ବୋଲି କହିଛନ୍ତି । ତେବେ ଯାଞ୍ଚ ବେଳେ ତାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା ନଗଦ ଏବଂ ଅନେକ ସୁନାରୁପା ଗହଣା ମିଳିଛି ।
Comments are closed, but trackbacks and pingbacks are open.