ମାଉଜର୍ ସହ ୩୦ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଉତ୍ତରପ୍ରଦେଶ ଏବଂ ହରିୟାଣା ଚାଲାଣ ବେଳେ ସଦର ପୁଲିସ ଜବତ କରିଛି ୩ କୁ୍ୟଣ୍ଟାଲ ଗଞ୍ଜେଇ । କାରବାରରେ ଲିପ୍ତ ୫ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ସାନ୍ତାରିବାଡ଼ିର ମହମ୍ମଦ ଆସିଫ(୨୯), ଉତ୍ତରପ୍ରଦେଶ ବୁଧାନାର ନାସିର ଅହମ୍ମଦ(୨୮), ହରିଆଣା ଫରିଦାବାଦ୍ର ଦୁର୍ଗା ନନ୍ଦୁ ମିଶ୍ର(୫୨), କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ମାଳିଡ଼ମ୍ବଗୁଡାର ନବୀନ ହରିଜନ(୨୪) ଏବଂ ଜୟପୁର ବ୍ଲକ କଳାଗୁଡ଼ାର କାର୍ତ୍ତିକ କନ୍ଧପାନ(୩୬) । ସେମାନଙ୍କ ପାଖରୁ ୩୧୦ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏଥିସହ କାରବାରରେ ବ୍ୟବହୃତ ଏକ କଣ୍ଟେନର, କାର୍, ବାଇକ୍, ୫ଟି ମୋବାଇଲ୍, ନଗଦ ଦେଢ ଲକ୍ଷ ଟଙ୍କା ଜବତ ହୋଇଛି । ଉଲ୍ଲେଖନୀୟ କଥା ହେଲା, ପ୍ରଥମ ଥର ଗଞ୍ଜେଇ କାରବାରରେ କୌଣସି ମାଫିଆ ପାଖରୁ ପୁଲିସ ଘଟଣାସ୍ଥଳରୁ ମାଉଜର୍ ଏବଂ ୩ଟି ଗୁଳି ଜବତ କରିବା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢେ ୧୦ ଟାରେ ବିଶେଷ ସୂତ୍ରରୁ ଓଆଇସି ଶ୍ରୀ ମହାକୁଡ଼ଙ୍କୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଏକ ଖବର ଆସିଥିଲା । ଜାତୀୟ ରାଜପଥ-୨୬ର କୋରାପୁଟ ଘାଟି ଶିବ ମନ୍ଦିର ପାଖରେ ୫ରୁ ୭ ଜଣ ଗଞ୍ଜେଇ ଲୋଡିଂ କରୁଥିବା ଜଣାପଡିଥିଲା । ନିଜେ ଶ୍ରୀ ମହାକୁଡ୍, ଏସ୍ଆଇ ନବୀନ ଟପ୍ପୋ, ଏଏସ୍ଆଇ ଗଣେଶ ପ୍ରସାଦ ବେହେରା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଲୋଡିଂ ସ୍ଥାନରେ ପହଞ୍ଚିଥିଲା । ପୁଲିସକୁ ଦେଖି ସମସ୍ତେ ଦୌଡିବା ଆରମ୍ଭ କରିଥିଲେ । କର୍ମଚାରୀମାନେ ଉପରୋକ୍ତ ୫ ଜଣଙ୍କୁ ଧରିବାରରେ ସକ୍ଷମ ହୋଇଥିଲେ । ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ନମ୍ବରବିହୀନ ଏକ କଣ୍ଟେନର, କାର୍ ଏବଂ ବାଇକ୍ ଥିଲା । କାର୍ରୁ ୨୩ ପ୍ୟାକେଟ୍ ଏବଂ କଣ୍ଟେନର୍ କ୍ୟାବିନ୍ରୁ ୩୯ ଏପରି ମୋଟ ୬୨ ପ୍ୟାକେଟ୍ ଗଞ୍ଜେଇ ଜବତ କରାଯାଇଥିଲା । ଅଭିଯୁକ୍ତମାନେ ଏକାଧିକ ବ୍ୟବସାୟୀଙ୍କ ପାଖରୁ ଗଞ୍ଜେଇ କିଣି ଚାଲାଣ କରୁଥିବା ମାନିଥିଲେ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । କଳାଗୁଡାର କାର୍ତ୍ତିକ ପାଖରୁ ଏକ ମାଉଜର ସହ ୩ଟି ଗୁଳି ଜବତ କରାଯାଇଥିଲା । ଗଞ୍ଜେଇ ବ୍ୟବସାୟୀମାନେ ଉକ୍ତ ମାଉଜର ତାକୁ ଦରକାର ବେଳେ ବ୍ୟବହାର କରିବାକୁ ଦେଇଥିବା ସେ ସ୍ୱୀକାର କରିଥିଲା । ଗଞ୍ଜେଇ ଯୋଗାଇଥିବା ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଥିବା ଶ୍ରୀ ମହାକୁଡ଼ କହିଛନ୍ତି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ୧୦୦ ଦିନ ଭିତରେ ସହର ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ମୋଟ ୮ ହଜାର ୬୧୬ କେଜି ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ସାଢେ ୪ କୋଟିରୁ ଅଧିକ ଟଙ୍କା ହେବ । ଏ ସମ୍ପର୍କରେ ଥାନାରେ ରୁଜୁ ହୋଇଛି ୧୪ଟି ମାମଲା । ଗିରଫ ହୋଇଛନ୍ତି ୫୦ ଜଣ । କାରବାରରେ ବ୍ୟବହୃତ ୮ଟି ଟ୍ରକ୍, ୨ଟି କଣ୍ଟେନର, ୨ଟି ଭ୍ୟାନ୍, ୭ଟି କାର୍, ୧୦ ଟି ବାଇକ୍ ସହ ୪୦ରୁ ଅଧିକ ମୋବାଇଲ ଜବତ କରିଛି । ଏଥିସହ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । କୋଟିଏରୁ ଅଧିକ ଟଙ୍କାର କାରବାର ହୋଇଥିବା ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ସିଜ୍ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons