ଚୋରକୁ ଧରିବା ପାଇଁ ଠେଙ୍ଗା-ଟର୍ଚ୍ଚ ଧରି ଜଗିଲେ ଗାଁ ଲୋକେ

Get real time updates directly on you device, subscribe now.

ଆଠଗଡ଼ : ସାଧାରଣ ଲୋକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପ୍ରଶାସନକୁ ଅଖଣ୍ଡ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର । ଆଇନ ଶୃଙ୍ଖଳା ପରିସ୍ଥିତି ହେଉ ଅବା ସାଧାରଣ ଜୀବନ ଯାପନ କରିବାପାଇଁ ସବୁଠି ଆବଶ୍ୟକତା ରହିଛି । କେଉଁଠି ଠିକଣା ଢଙ୍ଗରେ କାମ କରୁଛି, ତ କେଉଁଠି ଠିକଣା ଢଙ୍ଗରେ କାମ ବି ହେଉନି । ଯାହାର ସମ୍ମୁଖୀନ ହେଉଛନ୍ତି ସାଧାରଣଲୋକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ସହରଠୁ ମାତ୍ର ୩୦ କିମି ଦୂରରେ ଥିବା ଆଠଗଡ଼ ଥାନା “ବାଇଲୋ” ଗାଁରେ ।
ବାଇଲୋ ଗାଁରେ ଶହେରୁ ଅଧିକ ପରିବାର ବସବାସ କରୁଛନ୍ତି । କିନ୍ତୁ ରାତ୍ରି ସମୟରେ ଚୋରମାନଙ୍କ ଦୌରାତ୍ମ ଏହି ଗ୍ରାମର ଲୋକମାନଙ୍କ ନିଦ ହଜାଇ ଦେଇଛି । ବାରମ୍ବାର ଚୋରି ହେଉଥିବା ବେଳେ ଆଠଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରିବା ଏବେ ଏହି ଗାଁ ପାଇଁ ଚିନ୍ତାର କାରଣ ପାଲଟିଛି,।
ଗ୍ରାମର ଚୋରୀ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଆଠଗଡ଼ ପୋଲିସ ପ୍ରଶାସନ କିଛି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ପକ୍ଷରୁ ନିଜ ସୁରକ୍ଷା ନିଜେ କର ଓ ତୁମ ଜୀବନ ଭଳି ଆମ ଜୀବନ ପ୍ରତି ବିପଦ ଅଛି ବୋଲି ସଫେଇ ଦେଇଛନ୍ତି ।
ଅନ୍ୟପଟେ ବାଇଲୋ ଗ୍ରାମବାସୀ ଆଠଗଡ଼ ପୋଲିସ ପ୍ରଶାସନ ପାଖରୁ ନିରାଶ ହେବା ପରେ ଏବେ ନିଜସୁରକ୍ଷା ନିଜେ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଗ୍ରାମର ମୁରବୀ ମାନେ ଗ୍ରାମସଭା ଡକାଇ ପ୍ରତିଦିନ ରାତିରେ ପାଳି କରି ଦଶଜଣ ଲେଖାଏଁ ରାତ୍ରି ୯ଟା ରୁ ସକାଳ ୬ଟା ପର୍ୟ୍ୟନ୍ତ କଡ଼ାପ୍ରହରା ଦେଉଛନ୍ତି । ଖାଲି ସେତିକି ନୁହେଁ ଘର ପିଛା ଦଶ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଗାଁର ପ୍ରତ୍ୟେକ ଖୁଣ୍ଟରେ ବିଦ୍ୟୁତ ଆଲୋକର ବ୍ୟବସ୍ତା କରିଛନ୍ତି । ଗାଁ କମିଟି ତରଫରୁ ରାତ୍ରି ଜଗୁଆଳି ଭାବରେ କାର୍ୟ୍ୟ ସମ୍ପାଦନ କରୁଥିବା ଲୋକମାନଙ୍କ ପାଇଁ ଏକ ପରିଚୟ ପତ୍ରର ବ୍ୟବସ୍ତା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons