କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଟାଉନଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଅଖାରେ ଭର୍ତ୍ତି କରି ସହର ଉପକଣ୍ଠ ୨୦ ନଂ ଜାତୀୟ ରାଜପଥ ବାଇପାସ୍ ଓଭର ବ୍ରିଜ୍ ତଳେ ଫିଙ୍ଗି ଦିଆଯାଇଥିବାବେଳେ ମଙ୍ଗଳବାର ଟାଉନ ପୁଲିସ ଉଦ୍ଧାର କରିଛି । ତେବେ ଲୁନା ମୋପେଡ୍ ଗାଡିରେ କେହି ଜଣେ ଦୁର୍ବୃତ୍ତ ଅଖାଟି ନେଉଥିଲା । ସ୍ଥାନୀୟ ଅଞ୍ଚଳର ଲୋକେ ଅଖାରେ କ’ଣ ଅଛି ବୋଲି ପଚାରିବାରୁ ଘଟଣାସ୍ଥଳରେ ଅଖା ସହ ଲୁନା ମୋପେଡ୍ ଛାଡି ପଳାଇଥିଲା । ପରେ ଲୋକେ ପୁଲିସକୁ ଖବର ଦେଇଥିବାବେଳେ ପୁଲିସ ପହଞ୍ଚିବା ପୂର୍ବରୁ ପୁଣିଥରେ ଲୁନା ମୋପେଡ୍ ଗାଡିକୁ ନେଇଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ଉକ୍ତ ମୋପେଡ୍ର ନମ୍ବର ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ମଙ୍ଗଳବାର ସକାଳ ପ୍ରାୟ ୧୦ ଟାରେ ଜଣେ ସନ୍ଦିଗ୍ଧ ଲୁନା ମୋପେଡ୍ରେ ଏକ ବଡ଼ ଅଖା ନେଇ ୨୦ନଂ ଜାତୀୟ ରାଜପଥ ଓଭର ବିି୍ରଜ୍ ତଳ ଆପ୍ରୋଚ ରାସ୍ତାରେ ଯାଉଥିଲା । ଉକ୍ତ ରାସ୍ତାରେ ଯାତାୟାତ କମ୍ ହେଉଥିବାରୁ ଏହା ଦେଖି ସ୍ଥାନୀୟ ଲୋକଙ୍କ ସନେ୍ଦହ ହୋଇଥିଲା ଏବଂ ସେମାନେ ଉକ୍ତ ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ବ୍ୟକ୍ତି ଜଣକ କିଛି ଦୂରରେ ଲୁନା ମୋପେଡ୍ ଏବଂ ଅଖାଟିକୁ ଛାଡି ଚାଲି ଯାଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକେ ଟାଉନଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଟାଉନ ଥାନା ଅଧିକାରୀଣି ପ୍ରମୋଦିନି ସାହୁ, ଏସଆଇ ଅମିତ ଭୂୟାଁ, ଡିଏସପି କ୍ରାଇମ ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହେଲେ ପୁଲିସ ପହଞ୍ଚିବା ବେଳକୁ ଘଟଣାସ୍ଥଳରେ ଉକ୍ତ ମୋପେଡ୍ ଗାଡିଟି ନଥିଲା । ଅଖା ଖୋଲି ଦେଖିବାରେ ଅଖା ଭିତରେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରହିଥିଲା । ମହିଳାଙ୍କର ୨ ହାତ, ୨ ଗୋଡ, ମୁଣ୍ଡ ଏବଂ ଶରୀରକୁ ୬ ଖଣ୍ଡ କରି ପୃଥକ୍ ପୃଥକ୍ ଭାବେ କଟା ହୋଇଥିଲା । ଏହା ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ପୁଲିସ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରି ଟାଉନଥାନାରେ ୨୮୬/୨୦୨୦ ରେ ମାମଲା ରୁଜୁ କରିଛି । ମହିଳାଙ୍କ ବୟସ ଏବଂ ପରିଚୟ ମିଳିପାରି ନାହିଁ । ଲୋକଙ୍କ ଠାରୁ ପଚରା ଉଚୁରା କରିବା ପରେ ପୁଲିସକୁ ଉକ୍ତ ସ୍ଥାନରେ ପଡିଥିବା ମୋପେଡ୍ ଗାଡିର ଫଟୋ ଏବଂ ନମ୍ବର ମିଳିଛି । ସେହି ମୋପେଡ୍ର ନମ୍ବରକୁ ପାଥେୟ କରି ତଦନ୍ତ ଜାରି ରଖିଛି ପୁଲିସ । କିଏ ଏବଂ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରିଛି ସେ ଦିଗରେ ତଦନ୍ତ ଜାରି ରହିଛି ।
Comments are closed, but trackbacks and pingbacks are open.