ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ପଥରଗଡ଼ ଗ୍ରାମର ମଦମୃତୁ୍ୟ ଘଟଣାକୁ ନେଇ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କୁ ରାଜ୍ୟ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରିପୋର୍ଟ ତଲବ କରଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ତରଫରୁ ପ୍ରାଥମିକ ମିଳିତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଅବକାରୀ, ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ମଦ ପ୍ରସ୍ତୁତକାରୀ ତଥା ଯୋଗାଣକାରୀ ଠିକାଦାରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୩ ଜଣଙ୍କୁ ପୁଲିସ କାବୁ କରିଛି । ସେପଟେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ବୁଧବାର ଜିଲ୍ଲା ପ୍ରଶାସନର ଏକ ଟିମ୍ ମୃତକଙ୍କ ପରିବାରକୁ ଭେଟି ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଲେଖାଏଁ ସହାୟତା, ହରିଶ୍ଚନ୍ଦ୍ର ସହୟତା ସାଙ୍ଗକୁ ରାସନ୍ କିଟ୍ ପ୍ରଦାନ କରିଛନ୍ତି । ଏହାଛଡ଼ା ମୃତକଙ୍କ ପତ୍ନୀଙ୍କୁ ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଯଥାଶୀଘ୍ର ସାମିଲ୍ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ସ୍ୱାଇଁ ଜଣାଇଛନ୍ତି । ଅନ୍ୟପକ୍ଷରେ ଅବକାରୀ ବିଭାଗର ଅଧିକ ଫୋର୍ସ୍ ଜିଲ୍ଲାରେ ମୁତୟନ କରାଯାଇ ଚଢ଼ଉକୁ ଜୋର୍ଦାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।


Comments are closed, but trackbacks and pingbacks are open.