ମାଲକାନଗିରି,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓବାଦୀ-ପୁଲିସ ଗୁଳି ବିନିମୟ । ଏଥିରେ କେହି ମୃତାହତ ହୋଇନାହାନ୍ତି । ପୁଲିସ୍ ପକ୍ଷରୁ ମାଓ କ୍ୟାମ୍ପ ଧ୍ୱଂସ କରାଯାଇଛି । ସେଠାରୁ ଜବତ ହୋଇଛି ବିପୁଳ ଗୋଳାବାରୁଦ । ଗୁଳି ବିନିମୟ ବେଳେ ବହୁ କ୍ୟାଡର୍ ମାଓବାଦୀ ଖସି ପଳାଇବାରେ ସଫଳ ହୋଇଥିବା କୁହାଯାଉଛି । ମାଓକ୍ୟାମ୍ପରୁ ୧୬ଟି ଗୁଳି, ଏସ୍ଏଲ୍ଆର୍ ମାଗାଜିନ, ୩୨ଟି ଡିଟୋନେଟର, ବିପୁଳ ବିସ୍ଫୋରକ, ୱାକିଟକି, କ୍ୟାମେରା, ମାଓ ପୋଷାକ ଓ ପୁସ୍ତକ ଜବତ ହୋଇଛି ।
ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରିଶିକେଶ ଡି ଖିଲାରୀ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟାରେ ଚିତ୍ରକୋଣ୍ଡା ପାପରମେଟଲା ପଞ୍ଚାୟତର ଗୁନାମାମୁଡି ଏବଂ ଭୀମରାମ ଜଙ୍ଗଲ ନିକଟରେ ଡିଭିଏଫ, ଏସ୍ଓଜି ଏବଂ ବିଏସ୍ଏଫ୍ ଯବାନଙ୍କ ସହ ଆନ୍ଧ୍ର ପୁଲିସ୍ର ମିଳିତ କମ୍ବିଂ ଅପରେସନ୍ ଚାଲୁ ରହିଥିଲା । ଏହି ସମୟରେ ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀମାନେ ଯବାନମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଯବାନମାନେ ପାଲଟା ଜବାବ ଦେଇଥିଲେ । ଯବାନଙ୍କ ମୁକାବିଲା କରିନପାରି ମାଓବାଦୀମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରୁ ଉପରୋକ୍ତ ସାମଗ୍ରୀ ଜବତ କରାଯାଇଥିଲା ।
ସୂଚନାଥାଉକି, ସୋମବାର ଯୋଡ଼ାମ୍ବ ନିକଟ ଜଙ୍ଗଲରେ କମ୍ବିଂ ବେଳେ ମାଓବାଦୀ ଏବଂ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓ କ୍ୟାମ୍ପରୁ ବିପୁଳ ଗୋଳାବାରୁଦ ଜବତ ହୋଇଥିଲା । ସ୍ୱାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ଏବଂ ଥାନା ପ୍ରତିÂା ପରେ ମାଓବାଦୀଙ୍କ ଉପଦ୍ରବ ହ୍ରାସ ପାଇଛି । ମାଓବାଦୀମାନେ ଲୁଚିଛପି ହିସାଂକାଣ୍ଡ ଘଟାଇବା ଲାଗି ଯୋଜନା ଜାରି ରଖିଛନ୍ତି । ଗତ ଦୁଇଦିନ ହେଲା କୌଣସି ଏକ ବଡଧରଣର ହିଂସାକାଣ୍ଡ ଘଟାଇବା ଯୋଜନାରେ ଥିଲେ । ବିପୁଳ ସାମଗ୍ରୀ ଜବତ ପରେ ସେମାନଙ୍କ ଏହି ଯୋଜନା ପଣ୍ଡ ହୋଇଥିବା ପୁଲିସ୍ ଦାବି କରୁଛି । ମାଓପ୍ରବଣ ଅଞ୍ଚଳରେ ନିୟମିତ ମାଓଦମନ କାର୍ଯ୍ୟ ଚାଲିଛି ଏବଂ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ଏସ୍ପି ଶ୍ରୀ ଖିଲାରୀ କହିଛନ୍ତି ।


Comments are closed, but trackbacks and pingbacks are open.